ନୂଆଦିଲ୍ଲୀ: ଗତ ଜାନୁୟାରୀରେ ପଶ୍ଚିମବଙ୍ଗରେ ହୋଇଥିବା ଆଇ-ପିଏସି ଚଢଉରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଖଲକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ ଗଣତନ୍ତ୍ରକୁ ଏପରି ବିପଦରେ ପକାଇବା ପାଇଁ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଅନୁମତି ଦିଆଯାଇ ନପାରେ। ସେହିପରି ମାମଲାକୁ ରାଜ୍ୟ ଓ କେନ୍ଦ୍ର ବିବାଦ କହି ହାଲୁକା କରିଦେବାକୁ ମମତା ସରକାରଙ୍କ ତର୍କ ଉପରେ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। କୋର୍ଟ କହିଛନ୍ତି ଯେ ଯେତେବେଳେ କୌଣସି କେନ୍ଦ୍ରୀୟ ଏଜେନ୍ସୀ ତଦନ୍ତରେ ମୁଖ୍ୟମନ୍ତ୍ରୀ ନିଜେ ଯାଇ ଦଖଲ ଦେବା ଘଟଣାକୁ କେବଳ କେନ୍ଦ୍ର ଓ ରାଜ୍ୟ ବିବାଦ ଭାବେ ଦେଖା ଯାଇ ପାରିବନି।

ସୁପ୍ରିମକୋର୍ଟ କହିଛନ୍ତି ଯେ ସମ୍ବିଧାନ ନିର୍ମାତା ଏଭଳି ପରିସ୍ଥିତିର କେବେ କଳ୍ପନା କରିନଥିବେ ଯେ କୌଣସି ମୁଖ୍ୟମନ୍ତ୍ରୀ ଏପରି ଚଢଉ ସ୍ଥଳକୁ ଯାଇ ପହଞ୍ଚିଯିବେ। ସୁପ୍ରିମକୋର୍ଟ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଯାହା ଚାଲିଛି ଏହାକୁ ନେଇ କୋର୍ଟ ଆଖି ବନ୍ଦ କରି ବସି ପାରିବେନି।

ଆସନ୍ତୁ ଜାଣିବା ମାମଲା କ’ଣ?
ସୁପ୍ରିମକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସେହି ମାମଲା ଉପରେ ଶୁଣାଣି କରୁଛନ୍ତି ଯେଉଁଥିରେ ମମତା ବାନାର୍ଜୀଙ୍କ ବିରୋଧରେ ତଦନ୍ତରେ ହସ୍ତକ୍ଷେପ ଲାଗି ଏତଲା ରୁଜୁ ନିମନ୍ତେ ଦାବି କରାଯାଇଛି। ଇଡି କହିଛି ଯେ ଯେତେବେଳେ ଆଇ-ପିଏସି କାର୍ଯ୍ୟାଳୟରେ ତଲାସୀ ଅଭିଯାନ ଚାଲିଥିଲା ସେହି ସମୟରେ ମମତା ବାନାର୍ଜୀ ପରିସରରେ ପ୍ରବେଶ କରି ସେଠାରୁ ଜୋର ଜବରଦସ୍ତ ଡିଜିଟାଲ ଡିଭାଇସ ଓ ଡକ୍ୟୁମେଣ୍ଟ ନେଇ ଚାଲି ଯାଇଥିଲେ। ଇଡି ପିଟିସନରେ ମମତା ବାନାର୍ଜୀ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ରାଜୀବ କୁମାର ଓ କୋଲକାତା ପୋଲିସ କମିଶନର ମନୋଜ କୁମାରଙ୍କୁ ପକ୍ଷ କରି ଏତଲା ରୁଜୁ କରିବାକୁ ଦାବି କରିଛି।

ଇଡି ପିଟିସନ ଉପରେ ପ୍ରଶ୍ନ ଉଠାଇଛନ୍ତି ମମତା
ବୁଧବାର ଶୁଣାଣି କାଳରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଓକିଲ ମେନକା ଗୁରୁସ୍ୱାମୀ ଏହି ମାମଲାରେ ଇଡିର ପିଟିସନକୁ ନେଇ ପ୍ରଶ୍ନ କରିଛନ୍ତି। ସେ ତର୍କ ଦେଇଛନ୍ତି ଯେ ଏହି ମାମଲାରେ ଆର୍ଟିକଲ ୩୨ ଅନୁସାରେ ମୌଳିକ ଅଧିକାର ଉଲ୍ଲଂଘନର ଦାବି କରୁଥିବା ଇଡିର ଆବେଦନ ଶୁଣାଣି ଯୋଗ୍ୟ ନୁହେଁ। କାରଣ ଏହା ରାଜ୍ୟ ବନାମ କେନ୍ଦ୍ର ସରକାରଙ୍କ ମାମଲା। ଏଣୁ ଏଥିରେ ଆର୍ଟିକଲ ୧୩୧ ଅନୁସାରେ ଶୁଣାଣି ହେବା ଉଚିତ। ତେବେ ସୁପ୍ରିମକୋର୍ଟ ମେନକା ଗୁରୁସ୍ୱାମୀଙ୍କ ତର୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି ଏଥିରେ ରାଜ୍ୟ ସରକାରଙ୍କ ଅଧିକାରର କଥା ଆସିଲା କେଉଁଠୁ? ଏହା କେନ୍ଦ୍ର ବନାମ ରାଜ୍ୟ ମାମଲା ଆଦୌ ନୁହେଁ। ଜଣେ ମୁଖ୍ୟମନ୍ତ୍ରୀ ଏପରି କୌଣସି ଚଢଉ ସ୍ଥାନକୁ ଯାଇ ହସ୍ତକ୍ଷେପ କରିପାରିବେ ନାହିଁ।

ସମ୍ବିଧାନ ନିର୍ମାତା ଏଭଳି ପରିସ୍ଥିତିର କଳ୍ପନା କରିନଥିବେ
କୋର୍ଟ କହିଛନ୍ତି ଯେ ନିଜ ତର୍କରେ ଆପଣ ବି.ଆର. ଆମ୍ବେଦକର ଓ ଏଚଏମ ସିରୱାଇଙ୍କ ଭଳି ସମ୍ବିଧାନ ବିଶେଷଜ୍ଞଙ୍କ ଉଦାହରଣ ଦେଇଛନ୍ତି। ହୁଏତ ସେମାନେ କେବେ ଭାବି ନଥିବେ ଭାରତରେ ଏପରି ସମୟ ଆସିବ ଯେତେବେଳେ ରାଜ୍ୟରେ ଶାସନ କରୁଥିବା ମୁଖ୍ୟମନ୍ତ୍ରୀ କୌଣସି ଯାଞ୍ଚ ଏଜେନ୍ସୀ ଅଫିସକୁ ନିଜେ ଯାଇ ପହଞ୍ଚି ଯିବେ। ଶୁଣାଣି କାଳରେ କୋର୍ଟ କହିଛନ୍ତି ଯେ ସେ ପଶ୍ଚିମବଙ୍ଗର ପରିସ୍ଥିତିକୁ ଅଣଦେଖା କରିପାରିବେ ନାହିଁ। କୋର୍ଟ କହିଛନ୍ତି ଯେ ଏହା କୌଣସି ସାଧାରଣ ମାମଲା ନୁହେଁ।

ସୁପ୍ରିମକୋର୍ଟ ଅନ୍ୟ ବେଞ୍ଚରେ ପେଣ୍ଡିଂ ଏସଆଇଆର କେସ୍ ର ଉଦାହରଣ ଦେଇ କହିଛନ୍ତି ଯେ ଆମେ ସେଠାକାର ପରିସ୍ଥିତିକୁ ଆଖିବୁଜି ଦେଇ ପାରିବୁନି। ସେଠାରେ କିଛି ବିଚାର ବିଭାଗୀୟ ଅଧିକାରୀଙ୍କୁ ବନ୍ଧକ କରାଯାଇଥିଲା। ଏଣୁ ଏହା କହିବା ଉଚିତ ହେବନି ଇଡି ପ୍ରଥମେ ଅଭିଯୋଗ ନେଇ ମାଜିଷ୍ଟ୍ରେଟଙ୍କ ନିକଟକୁ ଯିବାର ଥିଲା। ଏହା କୌଣସି ରାମ ଅଥବା ଶ୍ୟାମ ମଧ୍ୟରେ ବିବାଦର କଥା ନୁହେଁ। ପଶ୍ଚିମବଙ୍ଗରେ ଏପରି ପରିସ୍ଥିତି ଉପୁଜିଛି ଯେ ଯେଉଁଥି ପାଇଁ ବିବାଦ ସୁପ୍ରିମକୋର୍ଟକୁ ଆସିଛି।