ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି ଯେ ଦିଲ୍ଲୀ ହାଇକୋର୍ଟରେ ଚାଲିଥିବା ସତ୍ୟନିକେତନ ବିଲ୍ଡିଂ ଭୁଶୁଡିବା ମାମଲାକୁ ନିଜ ପାଖକୁ ଟ୍ରାନ୍ସଫର କରୁ ନାହାନ୍ତି, କାରଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଗଲାଣି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଅହସାନଦ୍ଦିନ ଅମାନୁଲ୍ଲାହ ଓ ଜଷ୍ଟିସ୍ ଆର.ମହାଦେବନଙ୍କ ବେଞ୍ଚ କହିଛନ୍ତି ଯେ ସେ ଏବେକା ସ୍ଥିତିରେ କୌଣସି ପରିବର୍ତ୍ତନ କରିବାକୁ ଚାହୁଁ ନାହାନ୍ତି ଓ ହାଇକୋର୍ଟ କିଛି କିଛି ସମୟ ଅନ୍ତରାଳରେ ନିଜ ନିର୍ଦ୍ଦେଶର ପାଳନ ମନିଟରିଂ କରିବେ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସାଉଥ କ୍ୟାମ୍ପସ ସଲଗ୍ନ ସତ୍ୟ ନିକେତନରେ ଛାତ୍ରଙ୍କ ଲାଗି ପେଇଙ୍ଗ ଗେଷ୍ଟ (ପିଜି) ସୁବିଧା ସମ୍ପନ୍ନ ପଞ୍ଚମହଲା ବିଲ୍ଡିଂ ଗତ ରବିବାର ମଧ୍ୟାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ଭୁଶୁଡି ପଡିଥିଲା। ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୨ ଜଣ ଆହତ ହୋଇଛନ୍ତି। ଏହି ମାମଲାରେ ଏମିକସ କ୍ୟୁରୀ (ନ୍ୟାୟମିତ୍ର) ଭାବେ ନିଯୁକ୍ତ ବରିଷ୍ଠ ଓକିଲ ଅଜିତ ସିହ୍ନା କହିଛନ୍ତି ଯେ ନିଜ ବ୍ୟକ୍ତିଗତ ସୂତ୍ର ଓ ମିଡିଆ ରିପୋର୍ଟରୁ ଜଣା ପଡିଛି ଯେ ସିଭିକ୍ ଅଥରିଟିଜ ଅନଧିକୃତ ନିର୍ମାଣ ଓ ପିଜି ଆବାସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛନ୍ତି ଓ ଏଥିରେ ୪ ମହଲାରୁ ଅଧିକ ଉଚ୍ଚ ବିଲ୍ଡିଂକୁ ଭଙ୍ଗା ଯାଉଛି।

ଦିଲ୍ଲୀ ସରକାର ଓ ମ୍ୟୁନିସିପାଲ କର୍ପୋରେସନ ଅଫ ଇଣ୍ଡିଆ ପକ୍ଷରୁ ହାଜର ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ବେଞ୍ଚଙ୍କୁ ଆଗ୍ରହ କରିଛନ୍ତି ଯେ ସେ ହାଇକୋର୍ଟରୁ କେସ୍ ଟ୍ରାନ୍ସଫର ନ କରନ୍ତୁ। କାରଣ ସିଭିକ୍ ଅଥରିଟିଜ ଏବେ ଅଧିକ ଫୋକସ ସହିତ କାମ କରୁଛନ୍ତି। ସୁପ୍ରିମକୋର୍ଟ ବେଞ୍ଚ ଏମିକସ କ୍ୟୁରୀ ଓ ସୋଲିସିଟର ଜେନେରାଲଙ୍କ ଅନୁରୋଧକୁ ସ୍ୱୀକାର କରିଛନ୍ତି ଓ କହିଛନ୍ତି ଯେ ସେ କେସ୍ ଟ୍ରାନ୍ସଫର କରୁ ନାହାନ୍ତି ଓ ଅନଧିକୃତ ନିର୍ମାଣ ବିରୋଧରେ ପୂର୍ବର ନିର୍ଦ୍ଦେଶ ପାଳନ କରାଯିବ।

ସେପ୍ଟେମ୍ବର ୮ ତାରିଖରେ ସୁପ୍ରିମକୋର୍ଟ କହିଥିଲେ ଯେ ଯଦି ଆବଶ୍ୟକତା ପଡିଲା ତେବେ କେସ୍ ସୁପ୍ରିମକୋର୍ଟକୁ ଟ୍ରାନ୍ସଫର ହୋଇପାରେ। ରବିବାର ଘଟିଥିବା ଏହି ଘଟଣାରେ ବିଲ୍ଡିଂର ମାଲିକ, ତାଙ୍କ ପତ୍ନୀ ଓ ପୁଅକୁ ଗିରଫ କରାଯାଇଛି। ଅନ୍ୟପଟେ ମାମଲାରେ ଏମସିଡି କାର୍ଯ୍ୟାନୁଷ୍ଠାନ କରି ୫ ଜଣ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି।