ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଅଗଷ୍ଟ ୧୭ରେ କର୍କଟ ରାଶିରୁ ବାହାରି ନିଜ ରାଶି ସିଂହ ମଧ୍ୟକୁ ପ୍ରବେଶ କରିବେ। ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ସମ୍ମାନ, ଉଚ୍ଚ ପଦବୀ ଏବଂ କ୍ୟାରିୟରର କାରକ ବୋଲି ଧରାଯାଏ। ସିଂହ ରାଶିରେ ସୂର୍ଯ୍ୟ ସବୁଠାରୁ ଅଧିକ ଶକ୍ତିଶାଳୀ ହୋଇଥାନ୍ତି। ଯାହାଫଳରେ ଲୋକଙ୍କ ଜୀବନରେ ବଡ଼ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ। ତେବେ ଏହି ଚଳନ ଦ୍ୱାରା ସମସ୍ତ ୧୨ଟି ରାଶି ଉପରେ କେଉଁ ପ୍ରକାରର ପ୍ରଭାବ ପଡ଼ିବ ଓ ଏହାର ପ୍ରତିକାର କଣ ?

୧୨ଟି ରାଶି ଉପରେ ସୂର୍ଯ୍ୟ ଗୋଚରର ପ୍ରଭାବ ଓ ପ୍ରତିକାର

ମେଷ ରାଶି: ସୂର୍ଯ୍ୟ ମେଷ ରାଶିର ପଞ୍ଚମ ଭାବରେ ଗୋଚର କରୁଛନ୍ତି। ଏହି ସମୟ ପାଠପଢ଼ା, ପ୍ରେମ ଜୀବନ ଏବଂ ସନ୍ତାନଙ୍କ ସହ ଜଡ଼ିତ ପ୍ରସଙ୍ଗ ପାଇଁ ଅତ୍ୟନ୍ତ ଶୁଭ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ତେବେ ପ୍ରତିଦିନ ସକାଳେ ଉଦିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।

ବୃଷ ରାଶି: ସୂର୍ଯ୍ୟ ଚତୁର୍ଥ ଭାବରେ ଗୋଚର କରୁଥିବାରୁ ପରିବାର ଓ ସମ୍ପତ୍ତି ପ୍ରସଙ୍ଗରେ ସତର୍କ ରହିବାକୁ ହେବ। ଘରର ଦାୟିତ୍ୱ ବଢ଼ିପାରେ ଏବଂ ଅହଂକାର ଯୋଗୁ ବିବାଦ ହୋଇପାରେ। ତେବେ ମାତାପିତାଙ୍କୁ ଆଦର କରନ୍ତୁ ଓ ସୂର୍ଯ୍ୟଦେବଙ୍କୁ ଲାଲ ରଙ୍ଗର ଫୁଲ ଅର୍ପଣ କଲେ ଉତ୍ତମ ଫଳ ମିଳିବ।

ମିଥୁନ ରାଶି: ତୃତୀୟ ଭାବରେ ଗୋଚର ଯୋଗୁ ସାହସ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବ୍ୟବସାୟ ସମ୍ପ୍ରସାରଣ, ଯୋଗାଯୋଗ ଓ ଅଳ୍ପ ଦୂରକୁ ଯାତ୍ରା ପାଇଁ ଏହା ଶ୍ରେଷ୍ଠ ସମୟ। ଭାଇଭଉଣୀଙ୍କ ସହ ସମ୍ପର୍କ ସୁଧୁରିବ। ରବିବାର ଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କଲେ ଭଲ ଫଳ ମିଳିବ।

କର୍କଟ ରାଶି: ସୂର୍ଯ୍ୟ କର୍କଟ ରାଶିର ଦ୍ୱିତୀୟ ଭାବରେ ଗୋଚର ହେଉଥିବାରୁ ଆପଣଙ୍କର ଧନ ଓ ବାଣୀ ଉପରେ ପ୍ରଭାବ ପଡ଼ିବ। ଆୟର ନୂଆ ଉତ୍ସ ମିଳିପାରେ, କିନ୍ତୁ କଟୁ ଭାଷା ପ୍ରୟୋଗ ଓ ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ରବିବାର ଦିନ ଗହମ କିମ୍ବା ଗୁଡ଼ ଦାନ କରନ୍ତୁ।

ସିଂହ ରାଶି: ସୂର୍ଯ୍ୟ ନିଜ ରାଶି ଅର୍ଥାତ୍ ପ୍ରଥମ ଭାବରେ ଗୋଚର କରୁଛନ୍ତି। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶକ୍ତିଶାଳୀ ସମୟ. ସମାଜରେ ମାନ-ସମ୍ମାନ, ପ୍ରତିଷ୍ଠା ଓ କ୍ୟାରିୟରରେ ନୂଆ ସୁଯୋଗ ମିଳିବ, ତେବେ ଅହଂକାରଠାରୁ ଦୂରରେ ରୁହନ୍ତୁ। ଉଦିତ ସୂର୍ଯ୍ୟଙ୍କୁ ଲାଲ ଚନ୍ଦନ ମିଶ୍ରିତ ଜଳ ଅର୍ପଣ କଲେ ଅଧିକ ଶୁଭ ଫଳ ମିଳିବ।

Also Read: ଶ୍ରାବଣରେ ବକ୍ରି କରିବେ ଶନି ! ଏହି ୪ଟି ରାଶି ହେବେ ମାଲାମାଲ

କନ୍ୟା ରାଶି: ଦ୍ୱାଦଶ ଭାବରେ ଗୋଚର ହେଉଥିବାରୁ ସ୍ୱାସ୍ଥ୍ୟ ଏବଂ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ବିଦେଶ ସହ ଜଡ଼ିତ କାର୍ଯ୍ୟରେ ପ୍ରଗତି ହେବ, କିନ୍ତୁ ମାନସିକ ଚିନ୍ତା ବଢ଼ିପାରେ। ରବିବାର ଦିନ ତମ୍ବା କିମ୍ବା ଗହମ ଦାନ କରନ୍ତୁ।

ତୁଳା ରାଶି: ଏକାଦଶ ଭାବରେ ସୂର୍ଯ୍ୟଙ୍କ ଗୋଚର ଫଳରେ ଆର୍ଥିକ ଲାଭ ଓ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବ। ବନ୍ଧୁ ଏବଂ ସମାଜର ପ୍ରଭାବଶାଳୀ ବ୍ୟକ୍ତିମାନେ ଆପଣଙ୍କୁ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବେ। ଭଗବାନ ସୂର୍ଯ୍ୟଦେବଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ।

ବିଛା ରାଶି: ଦଶମ ଭାବରେ ଗୋଚର ଯୋଗୁ କ୍ୟାରିୟରରେ ଉନ୍ନତି ଓ ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ଯୋଗ ରହିଛି। ସରକାରୀ କାର୍ଯ୍ୟରେ ସଫଳତା ମିଳିବ, ମାତ୍ର ବରିଷ୍ଠ ଅଧିକାରୀଙ୍କ ସହ ବିବାଦରୁ ଦୂରେଇ ରୁହନ୍ତୁ। ନିଜର ପିତା ଏବଂ ଗୁରୁଜନମାନଙ୍କୁ ସମ୍ମାନ କରନ୍ତୁ।

ଧନୁ ରାଶି: ନବମ ଭାବରେ ଗୋଚର ହେଉଥିବାରୁ ଭାଗ୍ୟର ସହଯୋଗ ମିଳିବ ଓ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବଢ଼ିବ। ଉଚ୍ଚଶିକ୍ଷା କିମ୍ବା ବିଦେଶ ଯାତ୍ରା ପାଇଁ ଯୋଜନା କରୁଥିବା ଲୋକଙ୍କୁ ଶୁଭ ଖବର ମିଳିପାରେ। ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କଲେ ଭଲ ଫଳ ମିଳିବ।

ମକର ରାଶି: ଅଷ୍ଟମ ଭାବରେ ଗୋଚର ହେଉଥିବାରୁ ଆର୍ଥିକ ବିପଦ ନେବାରୁ ଦୂରେଇ ରୁହନ୍ତୁ। ବିନିଯୋଗ, ଟ୍ୟାକ୍ସ ଏବଂ ସ୍ୱାସ୍ଥ୍ୟ ମାମଲା ପ୍ରତି ଅଧିକ ସତର୍କ ରହିବା ଆବଶ୍ୟକ। ଭାବପ୍ରବଣ ହୋଇ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। ରବିବାର ଦିନ ଗୁଡ଼ ଏବଂ ତମ୍ବା ଦାନ କରନ୍ତୁ।

କୁମ୍ଭ ରାଶି: ସପ୍ତମ ଭାବରେ ଗୋଚର ହେଉଥିବାରୁ ବୈବାହିକ ଜୀବନ ଓ ବ୍ୟବସାୟିକ ସାଥୀଙ୍କ ସହ ସମ୍ପର୍କ ଉପରେ ଧ୍ୟାନ ଦେବାକୁ ହେବ। ଜୀବନସାଥୀଙ୍କ ସହ ମନୋମାଳିନ୍ୟରୁ ବିରତ ରୁହନ୍ତୁ। ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କଲେ ଅଧିକ ଶୁଭ ଫଳ ମିଳିବ।

ମୀନ ରାଶି: ଷଷ୍ଠ ଭାବରେ ଗୋଚର ହେଉଥିବାରୁ ଶତ୍ରୁ ଓ ବାଧାବିଘ୍ନ ଉପରେ ବିଜୟ ଲାଭ କରିବେ। କୋର୍ଟ କଚେରୀ ମାମଲା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବ। ଅନୁଶାସିତ ଜୀବନଶୈଳୀ ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବ। ନିୟମିତ ଭାବେ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

ବି.ଦ୍ର: ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଆଧାରିତ। ପ୍ରମେୟ ନ୍ୟୁଜ ସେଭେନ ଏନେଇ କୌଣସି ଦାବି କରୁନାହିଁ। ଅଧିକ ସୂଚନା ପାଇଁ ଜ୍ୟୋତିର୍ବିଦଙ୍କ ସହ ପରାମର୍ଶ କରିନିଅନ୍ତୁ।