ସମ୍ବଲପୁର ୦୭।୦୯ : ସ୍କୁଲକୁ ଯିବା ବେଳେ ଛାତ୍ରଙ୍କୁ ତୀର ମାଡ଼। ଖାଇବା ଥାଳି ପାଇଁ ଅଳ୍ପକେ ବର୍ତ୍ତିଲେ ଛାତ୍ର । ତୀର ମାରି ହତ୍ୟା ଉଦ୍ୟମ କରିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ କେଉଟବେର୍ଣ୍ଣି ଗାଁ ସ୍କୁଲ ନିକଟରେ।

ମିଳିଥିବା ସୂଚନା ଅନୁସାରେ, ଗାଁର ଅମୂଲ୍ୟ ଧଳ ନିଜ ପୁଅ ସୌମ୍ୟରଞ୍ଜନ ଧଳଙ୍କୁ ସ୍କୁଲକୁ ନେଇ ଯାଉଥିବା ସମୟରେ ଗାଁର ମୁଚି ସାହୁ ନାମକ ଜଣେ ଦୁର୍ବୃତ୍ତ ହଠାତ୍ ତୀର ମାରିଥିଲା । ତୀରଟି ସୌମ୍ୟରଞ୍ଜନଙ୍କ ଆଡ଼କୁ ଦ୍ରୁତ ଗତିରେ ଆସିଥିବା ବେଳେ ତାଙ୍କ ପାଖରେ ଥିବା ଖାଇବା ଥାଳି ବାଜି ଅଳ୍ପକେ ବର୍ତ୍ତି ଯାଇଥିଲା। ଥାଳିଟି ଢାଲ ପରି କାମ କରିବାରୁ ଛାତ୍ର ଜଣକ ସମ୍ଭାବ୍ୟ ବଡ଼ ବିପଦରୁ ରକ୍ଷା ପାଇଯାଇଛନ୍ତି ଏବଂ ତାଙ୍କ ଜୀବନ ବଞ୍ଚିଯାଇଛି। ପୂର୍ବ ଶତ୍ରୁତାରୁ ତୀର ମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ସେପଟେ ପୋଲିସ ମଧ୍ୟ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ।

Also Read:-ସୋମବାର ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଏକାଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର