ରାୟଗଡ଼ା ୯।୮: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡାଙ୍ଗସରଡ଼ା ଆଶ୍ରମ ସ୍କୁଲ ହଷ୍ଟେଲରୁ ଛାତ୍ର ନିଖୋଜ ହୋଇଛି । ନିଖୋଜର ୬ ଦିନ ପରେ ଏନେଇ ଥାନାରେ ଏତଲା ଦିଆଯାଇଛି । ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ରାୟଗଡ଼ା ଜିଲ୍ଲା ଯୁଗାପଦରର ଗ୍ରାମର ସ୍ଵର୍ଗତ ମନୋଜ ଶବରଙ୍କ ୧୨ ବର୍ଷର ପୁଅ କୁନାଲ ଡାଙ୍ଗସରଡ଼ା ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ରହି ଷଷ୍ଠ ଶ୍ରେଣୀରେ ପଢୁଥିଲେ । ଗତ ଜୁଲାଇ ୩୧ ତାରିଖ ଦିନ ସେ ହଷ୍ଟେଲରେ ଗାଧୋଉଥିବା ସମୟରେ ଦୁଇ ଜଣ ଅଜଣା ଯୁବକ ବାଇକ୍ରେ ଆସି ତୋ ଭାଇ ଡାକୁଛି କହି ତାଙ୍କୁ ସେଠାରୁ ନେଇଯାଇଥିଲେ । ତେବେ ସ୍କୁଲ୍ କର୍ତ୍ତୃପକ୍ଷ ଛାତ୍ର ଜଣଙ୍କ ପରିବାର ନିକଟକୁ ଯାଇଥିବ ଭାବି ଚୁପ୍ ରହିଥିଲେ ।

Also Read:- ସ୍ୱପ୍ନ ଥିଲା KBC ହଟ୍ ସିଟ୍ : ଶେଷ ପାହାଚରେ ଅଟକିଲେ ‘ଜଙ୍ଗଲ ରାଣୀ’ ଜୟନ୍ତି ବୁରୁଦା

ଅନ୍ୟପଟେ ପୁଅ ହଷ୍ଟେଲରେ ନଥିବା ପରିବାର ଲୋକ ଜାଣିବାକୁ ପାଇ ହଷ୍ଟେଲରେ ପହଞ୍ଚି ସ୍କୁଲ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଗତ ଗୁରୁବାର ଦିନ ପରିବାର ଓ ସ୍କୁଲ୍ କର୍ତ୍ତୃପକ୍ଷ ଉଭୟ ଡାଙ୍ଗସୋରଡ଼ା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି । ତେବେ ସ୍କୁଲ କର୍ତ୍ତୃପଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ପିଲାକୁ ଖୋଜି ଆଣିବାକୁ କହିଛନ୍ତି ନିଖୋଜ ଶିଶୁର ମାଆ ।