ନୂଆଦିଲ୍ଲୀ ୧୦।୧୦: ଆଫଗାନିସ୍ତାନ ଜାତୀୟ ପତାକାକୁ ନେଇ ତାଲିବାନ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତ୍ତକୀଙ୍କ ସାମ୍ବାଦିକ ସମ୍ମିଳନୀରେ ଜୋରଦାର ବିବାଦ ହୋଇଛି। ନୂଆଦିଲ୍ଲୀସ୍ଥିତ ଆଫଗାନିସ୍ତାନ ଦୂତାବାସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତତ୍କାଳୀନ ସରକାରରେ ନିଯୁକ୍ତ ଦୂତାବାସ କର୍ମଚାରୀମାନେ ମୁତ୍ତକୀଙ୍କ ତାଲିବାନ ଟିମ୍ କୁ ଇସ୍ଲାମିକ ଏମିରେଟର ସ୍ୱେତ ଇସ୍ଲାମୀ ପତାକା ଲଗାଇବାକୁ ଦେଇ ନାହାନ୍ତି।

ଏ ନେଇ କିଛି ସମୟ ଜୋରଦାର ବିତର୍କ ଚାଲିବା ପରେ ସାମ୍ବାଦିକ ସମ୍ମିଳନୀ କକ୍ଷରୁ ପତାକା ହଟାଇ ଦିଆଯାଇଥିଲା। ପୁରୁଣା କର୍ମଚାରୀଙ୍କ ତର୍କ ଥିଲା ଯେ ଭାରତ ସରକାର ଏପର୍ଯ୍ୟନ୍ତ ତାଲିବାନ ପତାକାକୁ ମାନ୍ୟତା ଦେଇ ନାହାନ୍ତି, ଏଣୁ ସେମାନେ ଦୂତାବାସ କାର୍ଯ୍ୟାଳୟରେ ନୂଆ ପତାକା ଲଗାଇବାକୁ ଦେବେନି। ନୂଆଦିଲ୍ଲୀସ୍ଥିତ ଦୂତାବାସ ପରିସରରେ ଏବେବି ଆଫଗାନିସ୍ତାନର ପୁରୁଣା ସରକାରଙ୍କ ପତାକା ଉଡୁଛି, ଯାହା ଅବଦୁଲ୍ଲା ଅବଦୁଲ୍ଲା ଓ ଅସ୍ରଫ ଗନିଙ୍କ ନେତୃତ୍ୱାଧୀନ ସରକାରଙ୍କ ପ୍ରତୀକ ଥିଲା।

ଭାରତ ସରକାର ତାଲିବାନ ନେତୃତ୍ୱାଧୀନ ଇସ୍ଲାମିକ୍ ଏମିରେଟ ଅଫ ଆଫଗାନିସ୍ତାନକୁ ଏପର୍ଯ୍ୟନ୍ତ ଅଧିକାରୀକ ରୂପେ ମାନ୍ୟତା ଦେଇ ନାହାନ୍ତି। ଏଣୁ ତାଲିବାନ ସରକାରଙ୍କ ପତାକା ଦୂତାବାସରେ ଅମାନ୍ୟ ବୋଲି କୁହାଯାଇଛି। ତେବେ ମୁତ୍ତକୀଙ୍କ ଟିମ୍‌ ସାମ୍ବାଜିକ ସମ୍ମିଳନୀ କାଳରେ ଟେବୁଲ ଉପରେ ଏକ ଛୋଟ ତାଲିବାନ ପତାକା ରଖିଥିଲେ। ଉଲ୍ଲେଖଯୋଗ୍ୟ ଯେ ୨୦୨୧ରେ ତାଲିବାନ ଆଫଗାନିସ୍ତାନରେ ବିଦ୍ରୋହ କରି ଦେଶର ଶାସନକୁ ନିଜ ହାତକୁ ନେଇଥିଲେ।

ନୂଆଦିଲ୍ଲୀସ୍ଥିତ ଦୂତାବାସ ପରିସରରୁ ବାହାରିବା ବେଳେ ତାଲିବାନ ସରକାରଙ୍କ ବିଦେଶମନ୍ତ୍ରୀ ଅମୀରଖାନ ମୁତ୍ତକୀ କହିଛନ୍ତି ଯେ ଏହି ଦୂତାବାସ ଆଫଗାନିସ୍ତାନ ଇସ୍ଲାମୀ ଗଣ ରାଜ୍ୟର। ଭାରତୀୟ ବିଦେଶମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ମୁତ୍ତକୀଙ୍କ ବୈଠକ କାଳରେ ମଧ୍ୟ ଆଫଗାନିସ୍ତାନ ପତାକା ଲଗାଯାଇ ନଥିଲା। ଏହା ଭାରତର  ନିଷ୍ପକ୍ଷ କୂଟନୈତିକ ସ୍ଥିତିକୁ ଦର୍ଶାଉଛି। ତେବେ ମୁତ୍ତକୀଙ୍କ ସହ ଜୟଶଙ୍କରଙ୍କ ବୈଠକ ପରେ ଆଫଗାନିସ୍ତାନର ତାଲିବାନ ପ୍ରଶାସନ ସହିତ ଭାରତ ସମ୍ପର୍କ ଆଗକୁ ବଢାଇବାକୁ ସଂକେତ ଦେଇଛି।

ତାଲିବାନ ସରକାରଙ୍କ ବିଦେଶମନ୍ତ୍ରୀ ଅମୀର ଖାନ ମୁତ୍ତକୀ ଭାରତ ଓ ଆଫଗାନିସ୍ତାନ ବନ୍ଧୁତ୍ୱର ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଆମେରିକା ସୈନ୍ୟ ଅଭିଯାନ କାଳରେ ତାଲିବାନ ଅନେକ ଉଠାପକା ଦେଖିଛି, ହେଲେ କେବେ ଭାରତ ବିରୋଧରେ ବୟାନବାଜୀ କରି ନାହିଁ। ତାଲିବାନ ସର୍ବଦା ଭାରତ ସହିତ ଭଲ ସମ୍ପର୍କକୁ ଗୁରୁତ୍ୱ ଦେଇଛି। ଉଲ୍ଲେଖଯୋଗ୍ୟ ଯେ ମୁତ୍ତକୀ ଓ ତାଙ୍କ ପ୍ରତିନିଧି ମଣ୍ଡଳ ୮ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଏହି ସମୟରେ ସେ ଅନେକ ଦ୍ୱିପକ୍ଷୀୟ ବୈଠକରେ ଅଂଶଗ୍ରହଣ କରିବେ।