ପୁରୀ: ଭାବର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ଦେଖନ୍ତିନି ଧନ, ସମ୍ପତ୍ତି କି ଆଡମ୍ବର। କେବଳ ବୁଝନ୍ତି ଭକ୍ତର ନିଷ୍କପଟ ପ୍ରେମ ଆଉ ଭକ୍ତିଭାବ। କାଳିଆ ସାଆନ୍ତଙ୍କ ନିକଟରେ ଶବ୍ଦର ଆବଶ୍ୟକତା ନଥାଏ, ତାଙ୍କ ପାଖରେ ସ୍ୱୟଂ ପହଞ୍ଚିଯାଏ ଭକ୍ତର ମନର ଭାବନା। ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବଡ଼ଦାଣ୍ଡରେ। ବନ୍ଧୁ ହୋଇ ଜଣେ ଆସିଲେ ଜଣେ ଅପରିଚିତ। ସହଜ ହୋଇଗଲା ଜଗା ଦର୍ଶନ।

ଏ ହେଉଛନ୍ତି କେଉଁଝର ବଡ଼ବିଲ ଅଞ୍ଚଳର ଦିବ୍ୟାଙ୍ଗ ଯୁବକ କାର୍ତ୍ତିକ ଭରଦ୍ୱାଜ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯିବାକୁ ମନରେ ବହୁତ ଆଗ୍ରହ ଥିଲା। ସେଥିପାଇଁ ସେ ଚାଲି ଆସିଲେ ପୁରୀ। କିନ୍ତୁ ମନରେ ଦ୍ୱନ୍ଦ୍ୱ ଆଉ ଆଶଙ୍କା। କାରଣ ସେ ଜଣେ ଦିବ୍ୟାଙ୍ଗ। ହରାଇଛନ୍ତି ହାତ ଆଉ ଗୋଡ଼। ହେଲେ ଏତେ ଭିଡ଼ ଭିତରେ ମନ୍ଦିର ଭିତରକୁ ଯିବେ ବା କେମିତି। କାର୍ତ୍ତିକ ଥକି ପଡ଼ିଥିଲେ। ମନ ଦୁଃଖରେ ଜଗନ୍ନାଥଙ୍କୁ ଡାକୁଥିଲେ।

ହେଲେ ଇଏ ପରା ଜଗା ଦୁଆର। ଭକ୍ତର ଭାବକୁ ବୁଝିବାରେ କେମିତି ବା ଉଣା କରିବ କାଳିଆ ସାଆନ୍ତ। କାର୍ତ୍ତିକ ସିନା ବାଇଶି ପାହାଚ ଚଢ଼ି ଆସିପାରିବେନି। ସେଇଥିପାଇଁ ତ ଦେବଦୂତ ପଠାଇଲେ ମହାପ୍ରଭୁ ଜଗନ୍ନାଥ। ଅଚିହ୍ନା ଯୁବକ ଟିଏ କାର୍ତ୍ତିକଙ୍କ ପାଖକୁ ଧାଇଁ ଆସି କହିଲେ- ଆରେ ସାଙ୍ଗ, ମୁଁ ଅଛି ପରା। ଚାଲ, ଜଗା ଦର୍ଶନ କରିବା।

କଥାଟି ହେଲା ଜଣେ ହୋଟେଲ କର୍ମଚାରୀଙ୍କ ସହିତ ସହିତ କାର୍ତ୍ତିକଙ୍କ ସାକ୍ଷାତ ହୋଇଥିଲା। ନାଁ ତାଙ୍କର ବୁଲୁ। ସେ ହାତଧରି କାର୍ତ୍ତିକଙ୍କୁ ହୋଟେଲ ଭିତରକୁ ନେଇଗଲେ। ଖାଇବା ସରିବା ପରେ କାର୍ତ୍ତିକଙ୍କୁ ଶ୍ରୀମନ୍ଦିର ନେବା ପାଇଁ ଚେଷ୍ଟା ଆରମ୍ଭ କଲେ। ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ପ୍ରଶାସନ ପକ୍ଷରୁ କରାଯାଇଥିବା ହୁଇଲ ଚେୟାରରେ କାର୍ତ୍ତିକଙ୍କୁ ବସାଇ ଶ୍ରୀମନ୍ଦିର ଗଲେ। ଭାଗ୍ୟରେ ଥିଲେ ଏଭଳି ସାଙ୍ଗ ମିଳେ ବୋଲି କହିଛନ୍ତି କାର୍ତ୍ତିକ।

also read- ଧର୍ମ ପରିବର୍ତ୍ତନ କଲେ ସୁସ୍ଥ ହୁଏ କି ଶରୀର ? ପଶ୍ଚାତାପ ପରେ ଉଈ ହୁଙ୍କାରେ ପଶିଲେ ପୂରା ପରିବାର

ଦୁଇବର୍ଷ ବୟସରେ ଏକ ଦୁର୍ଘଟଣାରେ କାର୍ତ୍ତିକଙ୍କୁ ଡାହାଣ ପଟ ହାତ ଓ ଗୋଡ ହରାଇବାକୁ ପଡ଼ିଥିଲା। କିନ୍ତୁ ସବୁକଥା ଭୁଲି ଆଗକୁ କେମିତି ବଢିବେ ସେନେଇ ସେ ପ୍ରୟାସ କଲେ। ତେବେ ପୁରୀ ଭଳି ପବିତ୍ର କ୍ଷେତ୍ରରେ ତାଙ୍କୁ ଏଭଳି ଜଣେ ସାଙ୍ଗ ପାଇଁ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ମିଳିଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ସତରେ କାଳିଆ, ତୋ ଲୀଳା ଚମତ୍କାର।