ନୂଆଦିଲ୍ଲୀ, ୨୨ /୦୩:ଗତ ସପ୍ତାହରେ ହର୍ମୋଜ ପ୍ରଣାଳୀ ଦେଇ ଭାରତ ଆସୁଥିବା ଏକ ଏଲପିଜି ଭର୍ତ୍ତି ଟ୍ୟାଙ୍କରକୁ ଇରାନର ନୌସେନା ସୁରକ୍ଷା ଦେଇଥିଲା । ଯାହାଫଳରେ ଏହି ଟ୍ୟାଙ୍କରଟି ସୁରକ୍ଷିତ ଭାବେ ସେଠାରୁ ଭାରତ ଅଭିମୁଖେ ଆସିଥିଲା । ଭାରତ ଓ ଇରାନ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ପରେ ଏହା ସମ୍ଭବ ହୋଇଥିଲା । ଶନିବାର ପ୍ରକାଶିତ ଏକ ରିପୋର୍ଟରେ ଏଭଳି ଦାବି କରାଯାଇଛି ।

ଗତ ଫେବ୍ରୁଆରୀ ୨୮ ତାରିଖରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରଠାରୁ ମଧ୍ୟପ୍ରାଚ୍ୟର ପ୍ରମୁଖ ଜଳମାର୍ଗ ହର୍ମୋଜ ପ୍ରଣାଳୀକୁ ଇରାନ ବନ୍ଦ କରିଦେଇଛି । ଫଳରେ ସେହି ଜଳମାର୍ଗରେ ଜାହାଜ କିମ୍ବା ତୈଳ ବା ଗ୍ୟାସ୍ ଟ୍ୟାଙ୍କର ଚଳାଚଳ ବନ୍ଦ ରହିଛି । ଏପରିକି କେତେକ ଟ୍ୟାଙ୍କର ଉପରେ ଇରାନ ମଧ୍ୟ ଆକ୍ରମଣ କରିଛି ।

​​​​​​​Also Read :- ଇସ୍ରାଏଲର 'ଲିଟିଲ୍ ଇଣ୍ଡିଆ' ଉପରେ ମିସାଇଲ୍ ଆକ୍ରମଣ, ୪୭ ଗୁରୁତର

ଏହି ଜଳମାର୍ଗ ବନ୍ଦ ହେବା ଫଳରେ ବିଶ୍ୱରେ ୨୦ ପ୍ରତିଶତ ତୈଳ ପରିବହନ ପ୍ରଭାବିତ ହୋଇଛି । ତେଣୁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ତୈଳ ଓ ଗ୍ୟାସ୍ ସଙ୍କଟ ସୃଷ୍ଟି ହୋଇଛି । ସେପଟେ ଇରାନ କହିଛି କି ହୋର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇନାହିଁ । କେବଳ ଅନୁମତି ମିଳୁଥିବା ଜାହାଜ କିମ୍ବା ଟ୍ୟାଙ୍କର ସେହି ଜଳମାର୍ଗରେ ଯାଇପାରିବ । ହର୍ମୋଜ ପ୍ରଣାଳୀ ଖୋଲିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାଟୋ ସଦସ୍ୟ ରାଷ୍ଟ୍ରମାନଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ତାକୁ ଗ୍ରହଣ କରିନାହାନ୍ତି ।

ସେପଟେ ଭାରତ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ନିଜ ଦେଶର କିଛି ଜାହାଜକୁ ସୁରକ୍ଷିତ ଫେରାଇ ଆଣିବାରେ ସକ୍ଷମ ହୋଇଛି । ଏବେ ବି ଆହୁରି ୨୨ ଜାହାଜ ଓ ଟ୍ୟାଙ୍କର ଉପସାଗରୀୟ ଅଞ୍ଚଳର ବିଭିନ୍ନ ବନ୍ଦରରେ ଅଟକି ରହିଛନ୍ତି । ସେଗୁଡିକୁ ନିରାପଦରେ ଆଣିବା ଲାଗି ଭାରତ ଉଦ୍ୟମ ଜାରି ରଖିଛି । କିଛି ରିପୋର୍ଟରେ କୁହାଯାଇଛି କି ଇରାନ ହୋର୍ମୁଜ ଜଳମାର୍ଗରେ ଜାହାଜ ଛାଡିବା ଲାଗି ପ୍ରତି ଜାହାଜ ପିଛା ୧୬ରୁ ୧୮ କୋଟି ଟଙ୍କା ନେଉଛି ।