ଡିମୋନା, ୨୨ /୦୩: ଇରାନର ଭୟଙ୍କର ଆକ୍ରମଣ । ଥରିଲା ଇସ୍ରାଏଲ । ଶନିବାର ସନ୍ଧ୍ୟାରେ ଇରାନର ମିସାଇଲ ଦକ୍ଷିଣ ଇସ୍ରାଏଲରେ ମାଡ ହୋଇଛି ।ତେହେରାନଯୁଦ୍ଧରେ ବାଲିଷ୍ଟିକ୍ ମିସାଇଲ୍ ପ୍ରୟୋଗ କରିଥିଲା । ଯାହା ଇସ୍ରାଏଲୀ ସହର ଡିମୋନାରେ ମାଡ ହୋଇଛି । ଏଠାରେ ଅନେକ ପରମାଣୁ ରିଆକ୍ଟର ରହିଛି । ଆହୁରି ମଧ୍ୟ ଭାରତୀୟ ସମୁଦାୟ ଏଠାରେ ବସବାସ କରନ୍ତି ।

ରିପୋର୍ଟ ଅନୁସାରେ, ଡିମୋନା ହେଉଛି ଇସ୍ରାଏଲର ଏକ ପ୍ରମୁଖ ସହର । ଏହାକୁ ଲିଟିଲ୍ ଇଣ୍ଡିଆ ମଧ୍ୟ କୁହାଯାଏ । ତେବେ ଇରାନ ଆକ୍ରମଣରେ ଅତିକମରେ୪୭ଜଣ ଆହତ ହୋଇଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମିସାଇଲ ଏକ ବିଲ୍ଡିଂରେ ମାଡ ହୋଇଥିଲା । ଏହାର ଆଖପାଖରେ ଥିବା ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ମିସାଇଲ ଆକ୍ରମଣ ପରେ ତୁରନ୍ତ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଫଳରେ ବଡ ବିପଦକୁ ଏଡାଇ ଦିଆଯାଇଥିଲା ।

ଡିମୋନାରେ ପ୍ରାୟ ୩୦ ପ୍ରତିଶତ ଜନତା ହେଲେ ଭାରତୀୟ ବଂଶୋଦ୍ଧବ ଇହୁଦୀ । ଯେଉଁମାନଙ୍କ ସଂଖ୍ୟା ୭୫୦୦ରୁ ଅଧିକ ହେବ । ଏମାନଙ୍କ ମଧ୍ୟରୁ ଅଧିକାଂଶ ମହାରାଷ୍ଟ୍ରରୁ ଯାଇ ସେଠାରେ ରହିଛନ୍ତି । ଏଠାକାର ଗଳିକନ୍ଦିରେ ଲୋକେ ମରାଠି ଭାଷା କହୁଥିବା ସହ ଅନେକ ଭାରତୀୟ ମିଠା ଦୋକାନ ଦେଖିବାକୁ ମିଳିଥାଏ ।

ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି ଯେ, ସେମାନଙ୍କ ଏୟାର ଡିଫେନ୍ସ ସିଷ୍ଟମ ଠିକ୍ ଭାବେ କାମ କରିନଥିଲା । ସାଧାରଣ ଲୋକେ ରହୁଥିବା ଘରେ ଏହା ପଡିଥିଲା । ଫଳରେ ଆପାଖରେ ଥିବା ଅନେକ ପୁରୁଣା ଘର ଭାଙ୍ଗି ଯାଇଛି । ଇରାନ ନିଜର ପରମାଣୁ କେନ୍ଦ୍ର ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ଏପରି କରିଥିବା ଡିଫେନ୍ସ ଫୋର୍ସ କହିଛି ।