ଭୁବନେଶ୍ଵର: ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଶନିବାର ପ୍ରବଳ ବର୍ଷା ହେବ । ସୁନ୍ଦରଗଡ଼, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା ଓ ବଲାଙ୍ଗିରରେ ଲଗାଣ ବର୍ଷା ହୋଇପାରେ । କିନ୍ତୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା କମିବ। ପାଣିପାଗ ବିଭାଗ ଆକଳନ କରିଛି ।

ଶନିବାର ପାଇଁ ଓଡ଼ିଶା ସମେତ ୧୫ ରାଜ୍ୟକୁ ଝଡ଼ ବର୍ଷା ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୨୪ରେ ପୁଣି ଏକ ଘୂର୍ଣ୍ଣିବଳୟ ନେଇ ପୂର୍ବାନୁମାନ କରାଯାଇଛି । ଲଗାଣ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି । କିଛି ସ୍ଥାନରେ ନଈ ଉଚ୍ଛୁଳୁଛି । କିଛି ସ୍ଥାନରେ ବନ୍ଧ ବାଡ଼ ଡେଇଁ ପାଣି ଗାଁରେ ପଶିଛି ।

ସେପଟେ ଜଳ ସଂପଦ ବିଭାଗ ସୂଚନା ଅନୁଯାୟୀ ଜୁଲାଇ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୭% ଅଧିକ ବର୍ଷା ରେକର୍ଡ କରାଯାଇଛି । ଗତ ୪୮ ଘଣ୍ଟା ଧରି ଚାଲିଥିବା ତୁହାକୁ ତୁହା ବର୍ଷା ପ୍ରଭାବରେ ସାପୁଆ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଢେଙ୍କାନାଳ ଓ ଆଠଗଡ଼ର ବହୁ ଗାଁରେ ପାଣି ପଶିଯାଇଛି । ଜଳସ୍ତର ୧୭.୬୪ ମିଟର ରହିଛି । ଏଠାରେ ସର୍ବୋଚ୍ଚ ସଙ୍କେତ ୧୭,୮୩ ମିଟର ଥିବାବେଳେ ଜଳସ୍ତର ଏହାର ପାଖାପାଖି ରହିଛି । ସେହିଭଳି କଳା ନଦୀର ମଞ୍ଚନ୍ତିରେ ବିପଦ ସଙ୍କେତ ସ୍କୁଲ ୬.୫୦ ମିଟର ଥିବାବେଳେ ଜଳସ୍ତର ୬.୩.୬ ମିଟର ରହିଛି ।

ସାପୁଆ ନଦୀରେ ପାଣି ବଢ଼ିଲେ ଢେଙ୍କାନାଳ ଓ ଆଠଗଡ଼ ପ୍ରଭାବିତ ଆଶଙ୍କା ରହିଥିବା ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ଭଦ୍ରକର ଆଖୁଆପଦା ଏବଂ ଜଳକାର ମଥାନୀରେ ଜଳସ୍ତର ବିପଦ ସଙ୍କେତ ନିକଟତର ହୋଇଛି । ଏହାଦ୍ବାରା ବାଲେଶ୍ବର ଜିଲ୍ଲା ପ୍ରଭାବିତ ହୋଇପାରେ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିପାରେ ବୋଲି ଆକଳନ କରାଯାଉଛି । ଶନିବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୩ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ଭାରତ କହିଛନ୍ତି ।