ନୂଆଦିଲ୍ଲୀ: ବଢ଼ୁଛି ରାଜ୍ୟମାନଙ୍କର ଋଣ ଭାର। ବର୍ଷକୁ ବର୍ଷ ଅଧିକ କ୍ଷତି ସହିବାରେ ଲାଗିଛନ୍ତି ରାଜ୍ୟ। ସ୍ଥିତି ଏଭଳି ହୋଇଛି ଯେ, ବର୍ତ୍ତମାନ ଦେଶର ୧୮ ରାଜ୍ୟ ସେମାନଙ୍କର ରାଜସ୍ବ କ୍ଷତିର ଧାର୍ଯ୍ୟ ୩ ପ୍ରତିଶତ ସୀମା ଟପିସାରିଛନ୍ତି। ଭାରତର ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ ବା CAGଙ୍କ ଦ୍ୱାରା ଜାରି ରାଜ୍ୟ ଆର୍ଥିକ ସ୍ଥିତିର ତୃତୀୟ ବାର୍ଷିକ ସମୀକ୍ଷା ରିପୋର୍ଟରୁ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି।

ରିପୋର୍ଟ ଅନୁସାରେ, ଦେଶର ୨୮ଟି ରାଜ୍ୟର ସମ୍ମିଳିତ ଋଣ ଭାର ବା Total Liabilities ଗତ ୧୦ ବର୍ଷ ମଧ୍ୟରେ ୧୯୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ୨୦୧୫-୧୬ ଆର୍ଥିକ ବର୍ଷରେ ଥିବା ୩୧.୨୦ ଲକ୍ଷ କୋଟି ଟଙ୍କାର ଋଣ ଭାର ଏବେ ବଢ଼ିଯାଇ ୯୦.୫୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସେଥି ମଧ୍ୟରୁ ୧୮ଟି ରାଜ୍ୟ ନିଜର ଆର୍ଥିକ ନିଅଣ୍ଟ ସୀମା ବା ରାଜକୋଷୀୟ ଘାଟା (Fiscal Deficit)ର ଲିମିଟକୁ ଅତିକ୍ରମ କରିସାରିଛନ୍ତି।

Also Read: ଏବେ କମ ଭଢ଼ାରେ ବି ବିମାନ ଯାତ୍ରା କରିପାରିବେ: Air India ଆଣିଲା ନୂଆ ଭଡ଼ା ବ୍ୟବସ୍ଥା

ସର୍ଭେ ଅନୁଯାୟୀ, ମେଘାଳୟର ରାଜସ୍ବ କ୍ଷତି ସର୍ବାଧିକ ରହିଛି। ଏହି ରାଜ୍ୟର ରାଜସ୍ବ କ୍ଷତି ଏହାର ସକଳ ଘରୋଇ ଉତ୍ପାଦ ବା ଜିଏସଡିପି ଠାରୁ ୮.୬୯% ଅଧିକ ରହିଛି। ଏହା ପଛକୁ ୬.୧୪% ସହ ନାଗାଲାଣ୍ଡ ଏବଂ ୫.୫୯% ସହ ସିକିମ ରହିଛି। ସେହିଭଳି ଓଡ଼ିଶା, ଗୁଜରାଟ, କର୍ଣ୍ଣାଟକ, କେରଳ ଏବଂ ମହାରାଷ୍ଟ୍ର ସମେତ ୧୪ଟି ପ୍ରମୁଖ ରାଜ୍ୟର ରାଜସ୍ବ କ୍ଷତି ୨୦୨୩-୨୪ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୨୫ ପ୍ରତିଶତରୁ ଅଧିକ ବଢ଼ିଯାଇଛି।

ରିପୋର୍ଟରେ ଆହୁରି କୁହାଯାଇଛି, ରାଜ୍ୟଗୁଡ଼ିକର ମୋଟ ସାର୍ବଜନୀନ ଋଣ ପ୍ରାୟ ୩ ଗୁଣ ବଢ଼ିଯାଇ ଜିଏସଡିପିର ୨୩%ରେ ପହଞ୍ଚିଛି। ଚିନ୍ତାର ବିଷୟ ହେଉଛି, ଅନେକ ରାଜ୍ୟ କୌଣସି ସ୍ଥାୟୀ ସମ୍ପତ୍ତି ବା ଭିତ୍ତିଭୂମି ନିର୍ମାଣ କରିବା ବଦଳରେ ନିଜର ଦୈନନ୍ଦିନ ପ୍ରଶାସନିକ ଓ ରାଜସ୍ୱ ଖର୍ଚ୍ଚ ମେଣ୍ଟାଇବା ପାଇଁ ଏହି ଋଣ ନେଉଛନ୍ତି। ଆହୁରି ମଧ୍ୟ ୧୫ ତମ ଅର୍ଥ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ, ୩୨.୮%ର ଋଣ ସୀମାକୁ ମଧ୍ୟ ଦେଶର ୧୩ଟି ରାଜ୍ୟ ପାର୍ କରିସାରିଲେଣି।

Also Read: ୨୦୩୦ ସୁଦ୍ଧା ଚାଲିଯିବ ୨୨% ଚାକିରି, AI ନ ଶିଖିଲେ ମିଳିବନି ନିଯୁକ୍ତି,ଏକାଧିକ କୋର୍ସ ମୂଲ୍ୟହୀନ

RBIର WMAରେ ଆଶ୍ଚର୍ଯ୍ୟଜନକ ବୃଦ୍ଧି

ଆହୁରି ମଧ୍ୟ ରିପୋର୍ଟରେ କୁହାଯାଇଛି ରାଜ୍ୟଗୁଡ଼ିର ଦୈନନ୍ଦିନ ଆୟ ଏବଂ ବ୍ୟୟ ମଧ୍ୟରେ ତାଳମେଳ ରଖିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ରୁ ନେଉଥିବା ସ୍ୱଳ୍ପକାଳୀନ ଅସ୍ଥାୟୀ ଋଣ ବା ‘ୱେଜ୍ ଆଣ୍ଡ ମିନ୍ସ ଆଡଭାନ୍ସେସ୍’ (WMA)ର ପରିମାଣ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି। ୨୦୧୫-୧୬ରେ ରାଜ୍ୟଗୁଡ଼ିକ ମାତ୍ର ୭୪,୮୩୨ କୋଟି ଟଙ୍କାର WMA ବ୍ୟବହାର କରୁଥିବା ବେଳେ ୨୦୨୪-୨୫ରେ ଏହା ବୃଦ୍ଧି ପାଇ ୬.୮୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହି କ୍ରମାଗତ ଆର୍ଥିକ ଚାପକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକ ନିଜ ବଜେଟ୍ର ପରିଚାଳନାରେ ସଂସ୍କାର ଆଣିବା ସହ ଦୀର୍ଘକାଳୀନ ସ୍ଥିରତା ପାଇଁ ସତର୍କତାମୂଳକ ଋଣ ପରିଚାଳନା ନୀତି ଆପଣେଇବା ଜରୁରୀ ବୋଲି ସିଏଜି ମତ ପ୍ରକାଶ କରିଛି।