ମୁମ୍ଵାଇ ୨୬।୦୮; ପାକିସ୍ତାନର ରାଜଧାନୀ ଇସଲାମାବାଦରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ସେଠାକାର ଏକ ପ୍ରମୁଖ ହସ୍ପିଟାଲ ନର୍ସରୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପ୍ରାୟ ୧୫ ଜଣ ନବଜାତ ଶିଶୁଙ୍କର ପ୍ରାଣହାନି ଘଟିଛି। ଏହି ଅଘଟଣରେ ମାତ୍ର ଗୋଟିଏ ଶିଶୁ ବର୍ତ୍ତି ଯାଇଛି। ବର୍ତ୍ତମାନ ଏହି ଅଭାବନୀୟ ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି।

ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (PIMS)ର ସ୍ତ୍ରୀ ରୋଗ ବିଭାଗରେ ଏହି ଘଟଣା ଘଟିଛି। ସୂତ୍ର ଅନୁଯାୟୀ ହସ୍ପିଟାଲର ନର୍ସରୀରେ ଏକ ଏୟାର-କଣ୍ଡିସନର କମ୍ପ୍ରେସର ବିସ୍ଫୋରଣ ହେବା ଫଳରେ ଅଗ୍ନିକାଣ୍ଡ ଘଟିଥିଲା। PIMS ଅଧିକାରୀଙ୍କ ଅନୁଯାୟୀ, ଘଟଣା ସମୟରେ ନର୍ସରୀରେ ୧୬ ଜଣ ନବଜାତ ଶିଶୁ ଥିଲେ। ଯେଉଁଥିରୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା କେବଳ ଗୋଟିଏ ଶିଶୁର ଜୀବନ ବଞ୍ଚିଯାଇଥିଲା।

ଅଗ୍ନିକାଣ୍ଡ ଖବର ପାଇବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ନବଜାତ ଶିଶୁମାନଙ୍କୁ ସ୍ତ୍ରୀ ରୋଗ ବିଭାଗରୁ ବାହାର କରାଯାଇଥିଲା। ୧୬ ଜଣ ଶିଶୁଙ୍କ ମଧ୍ୟରୁ କେବଳ ଗୋଟିଏ ବଞ୍ଚି ପାରିଥିଲା। ଉଦ୍ଧାର ଅଧିକାରୀମାନେ ବର୍ତ୍ତମାନର ପରିସ୍ଥିତି ବିଷୟରେ ସୂଚନା ପ୍ରଦାନ କରି କହିଛନ୍ତି ଯେ ନିଆଁ ଲିଭାଇ ଦିଆଯାଇଛି ଏବଂ ଦଳଗୁଡ଼ିକ ଘଟଣାସ୍ଥଳରେ କୁଲିଂ ଅପରେସନ୍ କରୁଛନ୍ତି।