ନୂଆଦିଲ୍ଲୀ : ଆମେରିକାରେ ଚାକିରି କରୁଥିବା ଭାରତୀୟଙ୍କ ପାଇଁ ଗ୍ରୀନ୍ କାର୍ଡ ପ୍ରକ୍ରିୟା ଦୀର୍ଘଦିନ ଧରି ଏକ ବଡ଼ ଚିନ୍ତାର ବିଷୟ ହୋଇଆସିଛି । ଏହି ସମୟରେ ଜୋହୋ ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁ ବିଦେଶରେ କାମ କରୁଥିବା ଭାରତୀୟମାନଙ୍କୁ ନେଇ ଏକ ବୟାନ ଦେଇଛନ୍ତି । ସେ ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ନିଜ ଦେଶକୁ ଫେରି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଆହୁରି ମଜବୁତ କରିବାକୁ ଆହ୍ୱାନ ଦେଇଛନ୍ତି। ଏହା ସହିତ ସଫ୍ଟୱେର୍ ଚାକିରିର ଭବିଷ୍ୟତ ଏବଂ କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବକୁ ନେଇ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି । ଆମେରିକାରେ ଚାକିରି, ଉଚ୍ଚ ଦରମା ଓ ସ୍ଥାୟୀ ଭାବେ ରହିବାର ସ୍ୱପ୍ନ ଦେଖୁଥିବା ଭାରତୀୟ ପେଶାଦାରଙ୍କ ପାଇଁ ଏବେ ଏହା ଏକ ବଡ଼ ପ୍ରଶ୍ନ ଯେ ଆଉ କେତେ ଦିନ ଗ୍ରୀନ୍ କାର୍ଡ ପାଇଁ ସେମାନେ ଅପେକ୍ଷା କରିବେ? ଅକ୍ଟୋବର ୧୩ ତାରିଖରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ କରି ଶ୍ରୀଧର ଭେମ୍ବୁ ବିଦେଶରେ ରହୁଥିବା ଭାରତୀୟଙ୍କୁ ନିଜ ଦେଶକୁ ଫେରିବା କଥା ଚିନ୍ତା କରିବାକୁ କହିଛନ୍ତି। ଆମେରିକାରେ ରହିବା ପାଇଁ ଥିବା ଅନିଶ୍ଚିତତା ମଧ୍ୟରେ ଅପେକ୍ଷା କରିବା ବଦଳରେ ନିଜ ଦେଶକୁ ଫେରି ଆସିବା ଭଲ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ ଲେଖିଛନ୍ତି, ଯେ “ଯେତେବେଳେ ବାହାର ଦେଶ ଆପଣଙ୍କୁ ଘରକୁ ଯିବାକୁ କୁହେ, ଆପଣ ଘରକୁ ଆସନ୍ତୁ। ବିକଳ୍ପ କ’ଣ? ଆମକୁ ରହିବାକୁ ଅନୁମତି ଦେବାକୁ ସେମାନଙ୍କୁ ଅନୁରୋଧ କରିବା? ବେଆଇନ ଭାବରେ ରହିବା?” ତାଙ୍କ ଏହି ମନ୍ତବ୍ୟ ଆମେରିକାରେ ଗ୍ରୀନ୍ କାର୍ଡ ପାଇଁ ଅପେକ୍ଷା କରୁଥିବା ଭାରତୀୟ କର୍ମଜୀବୀଙ୍କ ଭବିଷ୍ୟତକୁ ନେଇ ଏକ ନୂଆ ଆଲୋଚନା ସୃଷ୍ଟି କରିଛି।ତେବେ ଏହି ଚର୍ଚ୍ଚା ମଧ୍ୟରେ ଏବେ ଆଉ ଏକ କଥାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ଭାରତରେ ଶିକ୍ଷା ବ୍ୟବସ୍ଥା, ବିଦେଶରେ ପାଠପଢ଼ା ଏବଂ ଯୁବପିଢ଼ିର ଭବିଷ୍ୟତକୁ ନେଇ ଯେତେବେଳେ ଆଲୋଚନା ହୁଏ, ସେବେ ଦେଶର କିଛି ପ୍ରମୁଖ ରାଜନେତାଙ୍କ ପିଲାମାନଙ୍କ ବିଦେଶୀ ଶିକ୍ଷାକୁ ନେଇ ମଧ୍ୟ କଥା ଉଠିଥାଏ । ହାର୍ଭାର୍ଡ, ଅକ୍ସଫୋର୍ଡ, ୟେଲ୍ ଭଳି ବିଶ୍ୱପ୍ରସିଦ୍ଧ ଶିକ୍ଷାନୁଷ୍ଠାନରେ ଅଧିକାଂଶ ଅଭିନେତା ଓ ରାଜନେତାଙ୍କ ପିଲାମାନେ ଯାଇ ପାଠ ପଢ଼ିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ କାହିଁକି ରାଜନେତାମାନେ ନିଜ ପିଲାଙ୍କୁ ନିଜ ଦେଶ ଅପେକ୍ଷା ବିଦେଶରେ ଶିକ୍ଷା ପ୍ରଦାନ କରୁଛନ୍ତି ?

ଭାରତର ଅନେକ ନାମିଦାମୀ ନେତା ଓ ଅଭିନେତାମାନେ ନିଜେ କିମ୍ବା ନିଜ ପିଲାଙ୍କୁ ବିଦେଶ ଶିକ୍ଷାନୁଷ୍ଠାନରେ ପାଠ ପଢ଼ାଉଛନ୍ତି । ଦେଶର ବିଶିଷ୍ଟ ରାଜନେତାଙ୍କ ଲିଷ୍ଟରେ ପ୍ରଥମେ ଅଛନ୍ତି ପୀୟୂଷ ଗୋୟଲ । ପୀୟୂଷ ଗୋୟଲଙ୍କ ପୁଅ ହାର୍ଭାର୍ଡରେ ପାଠ ପଢିଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ପୁଅ ଧ୍ରୁବ ଗୋୟଲ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଶିକ୍ଷା ଗ୍ରହଣ କରିବା ସହ ହାର୍ଭାର୍ଡ ବିଜନେସ୍ ସ୍କୁଲ୍ରୁ ଏମ୍ବିଏ ମଧ୍ୟ କରିଛନ୍ତି। ସୂଚନା ଅନୁସାରେ, ସେ ଏବେ ନିବେଶ କ୍ଷେତ୍ରରେ କାର୍ଯ୍ୟରତ। ପୀୟୂଷ ଗୋୟଲଙ୍କ ଝିଅ ରାଧିକା ଗୋୟଲ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଗ୍ରହଣ କରିବା ପରେ ଆମେରିକାର ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ, ସାନ୍ ଡିଏଗୋରେ ଅର୍ଥନୀତିରେ ପିଏଚ୍ଡି ଅଧ୍ୟୟନ କରିଛନ୍ତି। ତାଙ୍କର ଗବେଷଣା କ୍ଷେତ୍ର ମଧ୍ୟରେ ସାର୍ବଜନୀନ ଅର୍ଥନୀତି, ବିକାଶ ଓ ରାଜନୈତିକ ଅର୍ଥନୀତି ରହିଛି।ସେଭଳି ୟେଲ୍ରେ ନିଜ ଶିକ୍ଷା ଶେଷ କରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପୁଅ । କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପୁଅ ମହାନାର୍ଯ୍ୟମନ ସିନ୍ଧିଆ ଆମେରିକାର ପ୍ରତିଷ୍ଠିତ ୟେଲ୍ ବିଶ୍ୱବିଦ୍ୟାଳୟରୁ ୨୦୧୯ରେ ସ୍ନାତକ ଶିକ୍ଷା ସମାପ୍ତ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତାଙ୍କ ଭଉଣୀ ଅନନ୍ୟା ରାଜେ ସିନ୍ଧିଆ ରୋଡ୍ ଆଇଲାଣ୍ଡ ସ୍କୁଲ୍ ଅଫ୍ ଡିଜାଇନ୍ରୁ ଶିକ୍ଷା ଗ୍ରହଣ କରିଛନ୍ତି।

ଦେଶର ଅର୍ଥମନ୍ତ୍ରୀଙ୍କ ଝିଅ ମଧ୍ୟ ବିଦେଶରୁ ନିଜ ଶିକ୍ଷା ଲାଭ କରିଛନ୍ତି | କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକଳା ବାଙ୍ଗମୟୀ ଆମେରିକାର ନର୍ଥୱେଷ୍ଟର୍ଣ୍ଣ ୟୁନିଭର୍ସିଟିର ମେଡିଲ୍ ସ୍କୁଲ୍ରୁ ସାମ୍ବାଦିକତା କ୍ଷେତ୍ରରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଛନ୍ତି। ଏହା ଆମେରିକାର ଏକ ପରିଚିତ ସାମ୍ବାଦିକତା ଶିକ୍ଷାନୁଷ୍ଠାନ। ସେଭଳି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ପୁଅ ଅର୍ଜୁନ ଜୟଶଙ୍କର ନ୍ୟୁୟର୍କ ୟୁନିଭର୍ସିଟିରୁ ସ୍ନାତକ ଶିକ୍ଷା ଗ୍ରହଣ କରିଥିବା ରିପୋର୍ଟରେ କୁହାଯାଇଛି। ତାଙ୍କ ଝିଅ ମେଧା ଜୟଶଙ୍କର ଆମେରିକାର ଡେନିସନ୍ ୟୁନିଭର୍ସିଟିରୁ ସିନେମା କ୍ଷେତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଜୟଶଙ୍କରଙ୍କ ପରିବାରର ସଦସ୍ୟମାନଙ୍କ ଶିକ୍ଷାଗତ ଯାତ୍ରା ଭିନ୍ନ ଭିନ୍ନ ବିଷୟ ସହ ଜଡ଼ିତ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିଲାମାନେ ମଧ୍ୟ ବ୍ରିଟେନ୍ରେ ଶିକ୍ଷା ଗ୍ରହଣ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ପୁଅ ହରିଶ ନଡ୍ଡା ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ସୂଚନା ରହିଛି ।

ଏହିସବୁ ତଥ୍ୟକୁ ଦେଖିଲେ ଜଣାପଡ଼ୁଛି ଯେ ଭାରତର ଅଧିକାଂଶ ରାଜନୈତିକ ପରିବାରର ପରବର୍ତ୍ତୀ ପିଢ଼ି ଉଚ୍ଚଶିକ୍ଷା ପାଇଁ ବିଦେଶର ପ୍ରତିଷ୍ଠିତ ଅନୁଷ୍ଠାନକୁ ବାଛିଛନ୍ତି। ତେବେ ବିଦେଶୀ ଶିକ୍ଷାକୁ ନେଇ କାହିଁକି ସବୁବେଳେ ହୋଇଥାଏ ଚର୍ଚ୍ଚା ? କେତେକ ଶିକ୍ଷାବିତ୍ଙ୍କ ମତରେ, ଦେଶର ଶିକ୍ଷା ବ୍ୟବସ୍ଥାର ଗୁଣବତ୍ତା, ଗବେଷଣା ସୁବିଧା ଓ ଉଚ୍ଚଶିକ୍ଷାର ସୁଯୋଗ ବଢ଼ାଇବା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଅନ୍ୟପକ୍ଷରେ, ଛାତ୍ରଛାତ୍ରୀଙ୍କୁ ନିଜ ପସନ୍ଦ ଅନୁଯାୟୀ ଦେଶ କିମ୍ବା ବିଦେଶରେ ପଢ଼ିବାର ସ୍ୱାଧୀନତା ରହିବା ଉଚିତ ବୋଲି ମତ ରହିଛି। ହାର୍ଭାର୍ଡ, ଅକ୍ସଫୋର୍ଡ ଓ ୟେଲ୍ ଭଳି ଶିକ୍ଷାନୁଷ୍ଠାନରେ ପଢ଼ିବା ଅନେକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ। ଭାରତୀୟ ରାଜନେତାଙ୍କ ପିଲାମାନଙ୍କ ଶିକ୍ଷାଗତ ଯାତ୍ରା ଏହି ପ୍ରସଙ୍ଗକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି। ତେବେ ବିଦେଶୀ ଡିଗ୍ରୀ ସହିତ ଦେଶର ଶିକ୍ଷା ବ୍ୟବସ୍ଥାର ଉନ୍ନତି ଓ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ମଧ୍ୟ ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇ ରହିଛି।