କଲୋମ୍ବୋ: ଟି-୨୦ ବିଶ୍ଵକପ୍ ୨୦୨୬ରୁ ବିଦା ହୋଇଛି ସହ ଆୟୋଜକ ଶ୍ରୀଲଙ୍କା। କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଇଥିବା ସୁପର-୮ର କର ବା ମର ମୁକାବିଲାରେ ଶ୍ରୀଲଙ୍କା ନ୍ୟୁଜିଲାଣ୍ଡ ହାତରୁ ଶୋଚନୀୟ ପରାଜୟ ଭୋଗିଛି। ରଚିନ ରବୀନ୍ଦ୍ରନଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଏବଂ ଅଧିନାୟକ ମିଚେଲ୍ ସାଣ୍ଟନରଙ୍କ ଅଧିନାୟକତ୍ଵ ଇନିଂସ ବଳରେ ଗୁରୁତ୍ଵପୂର୍ଣ୍ଣ ମ୍ୟାଚକୁ ନ୍ୟୁଜିଲାଣ୍ଡ ୬୧ ରନରେ ଜିତି ନେଇଛି। ବିଜୟ ସହ କିଓ୍ଵି ଦଳର ସେମି ଆଶା ମଜବୁତ ହୋଇଛି। ଶ୍ରୀଲଙ୍କାର ଘରୋଇ ମାଟିରେ ବିଶ୍ଵକପ୍ ଜିତିବାର ସ୍ଵପ୍ନ ଚୂରମାର ହୋଇଛି।

ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୭ ଓ୍ଵିକେଟ୍ ହରାଇ ୧୬୮ ରନ କରିଥିଲା। ଅଧିନାୟକ ମିଚେଲ୍ ସାଣ୍ଟନର ୪୭ ରନ କରିଥିବା ବେଳେ ରଚିନ ରବୀନ୍ଦ୍ରନ ୩୨ ଓ କୋଲି ମ୍ୟାକୋଞ୍ଚି ୩୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଜବାବରେ ଘରୋଇ ଶ୍ରୀଲଙ୍କା ବ୍ୟାଟିଂରେ ଦୟନୀୟ ପ୍ରଦର୍ଶନ କରି ୧୦୭ ରନ କରି ପାରିଛି। ରଚିନ ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।

Also read: ​​​​​​​ଜିମ୍ବାଓ୍ୱେ ବିପକ୍ଷ ମୁକାବିଲା ଖେଳିବେ ରିଙ୍କୁ ସିଂ : ବାପାଙ୍କୁ କ୍ୟାନ୍ସର, କିନ୍ତୁ ଦେଶ ପାଇଁ ଆଗେଇ ଆସିଲେ...

୧୬୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଶ୍ରୀଲଙ୍କାର ଆରମ୍ଭ ଅତି ଦୟନୀୟ ଥିଲା। ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ୪୬ ରନ ଭିତରେ ଅଧା ବ୍ୟାଟର ପାଭିଲିୟନ ଫେରିଥିଲେ। ପଥୁମ ନିଶଙ୍କା ଖାତା ଖୋଲି ପାରି ନ ଥିଲେ। ଏହା ପରେ ଚରିଥ ଅସଲଙ୍କା(୫ ରନ), କୁଶଲ ମେଣ୍ଡିସ(୧୧ ରନ), ପଭନ ରଥନାୟକ(୧୦ ରନ) ପାଭିଲିୟନ ଫେରିଥିଲେ। ମଧ୍ୟ କ୍ରମରେ କାମିନ୍ଦୁ ମେଣ୍ଡିସ ୩୧ ରନ କରି କିଛି ସମୟ ସଂଘର୍ଷ କରିଥିଲେ। ରଚିନ ରବୀନ୍ଦ୍ରନ ବ୍ୟାଟିଂ ବିପର୍ଯ୍ୟୟ ଘଟାଇ ଶ୍ରୀଲଙ୍କାକୁ ମ୍ୟାଚରେ ପୂରା ବ୍ୟାକଫୁଟକୁ ଠେଲିଥିଲେ।

ଏହା ପରେ ଦାସୁନ ସନାକା ୩ ରନ, ଦୁଶାନ ହେମନ୍ତ ୩ ରନ କରିଥିଲେ। ଦୁନିଥ ଓ୍ଵେଲାଲାଗେ ଶେଷ ଆଡ଼କୁ ୨୯ ରନ କରିବାରୁ ଦଳ ୧୦୭ ରନ କରି ପାରିଥିଲା। ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ରଚିନ ୨୭ ରନ ଦେଇ ୪ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ମାଟ୍ ହେନରୀ ୨ଟି,  ମିଚେଲ୍ ସାଣ୍ଟନର ଓ  ଗ୍ଲେନ ଫିଲିପ୍ସ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।