ନୂଆଦିଲ୍ଲୀ, ୦୫/୦୪ : ରବିବାର ଆଇପିଏଲର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ୍ ଏବଂ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ । ମୁକାବିଲାରେ ଟସ୍ ଜିତିଥିଲା ଲକ୍ଷ୍ନୌ । ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ୍ ୯ ଓ୍ୱିକେଟ୍ ବିନିମୟରେ ୧୫୬ ରନ୍ ସ୍କୋର୍ କରିଛି । ଏହାସହ ଲକ୍ଷ୍ନୌକୁ ବିଜୟ ପାଇଁ ୧୫୭ ରନର ଟାର୍ଗେଟ୍ ଦେଇଛି । ି

ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ

ହାଇଦ୍ରାବାଦ୍ ପାଇଁ ଓପନିଂ ଯୋଡିରେ ବ୍ୟାଟିଂ କରିବାକୁ ଆସିଥିଲେ ଟ୍ରେଭିସ୍ ହେଡ୍ ଏବଂ ଅଭିଷେକ ଶର୍ମା । ଉଭୟଙ୍କଠୁ ବଡ ସ୍କୋର ଆଶା କରୁଥିଲେ ଫ୍ୟାନ୍ସ । କିନ୍ତୁ ଖାତା ଖୋଲି ପାରିନଥିଲେ ଅଭିଷେକ । ବିନା କୌଣସି ରନରେ ସେ ପ୍ୟାଭିଲିୟନ ଫେରିଥିଲେ । ତାଙ୍କ ପରେ ହେଡ୍ ମଧ୍ୟ ମହମ୍ମଦ ସାମିଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ସେହିପରି ଅଧିନାୟକ ଇଶାନ କିଷାନ ମଧ୍ୟ ମାତ୍ର ଏକ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।

କ୍ଲାସେନ-ନୀତିଶଙ୍କ ଦମଦାର୍ ବ୍ୟାଟିଂ

ଏସଆରଏଚ୍ ପକ୍ଷରୁ ହେନରିକ୍ କ୍ଲାସେନ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଟପ୍ ଅର୍ଡର ଭୁଶୁଡିଥିଲେ ମଧ୍ୟ ମିଡିଲ ଅର୍ଡରରେ କ୍ଲାସେନଙ୍କ ବ୍ୟାଟ୍ ଗର୍ଜନ କରିଥିଲା । ସେ ୪୧ ବଲରୁ ୬୨ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ବ୍ୟତୀତ ନୀତିଶ କୁମାର ରେଡ୍ଡି ମଧ୍ୟ ଅର୍ଧଶତକୀୟ ପାଳି ଖେଳିଥିଲେ । ନୀତିଶ ୫୬ ରନ୍ କରିଥିଲେ । କ୍ଲାସେନ୍ ୧୮ ଓଭର ଯାଏଁ କ୍ରିଜରେ ରହି ଏସଆରଏଚ୍ ପାଇଁ ଲଢୁଆ ସ୍କୋର ଛିଡା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲିଆମ୍ ଲିଭିଂଷ୍ଟୋନ୍ ଏବଂ ହର୍ଷ ଦୁବେ ଯଥାକ୍ରମେ ୧୪ ଏବଂ ୦ ରନ୍ କରିଥିଲେ । ନୀତିଶ ଏବଂ କ୍ଲାସେନ୍ ଆଉଟ୍ ହେଲା ପରେ ଅନ୍ୟ କୌଣସି ବ୍ୟାଟର ଲକ୍ଷ୍ନୌ ବୋଲରଙ୍କ ମୁକାବିଲା କରିପାରିନଥିଲେ । ଫଳରେ ଦଳ ନିର୍ଧାରିତ ୨୦ ଓଭରରେ ୯ ଓ୍ୱିକେଟ୍ ହରାଇ ୧୫୬ ରନ୍ କରିବାରେ ସକ୍ଷମ ହୋଇଥିଲା ।

ମହମ୍ମଦ ସାମିଙ୍କ ଶାଣିତ ବୋଲିଂ

ଲକ୍ଷ୍ନୌ ପକ୍ଷରୁ ମହମ୍ମଦ ସାମି ଦୁଇଟି ମୂଲ୍ୟବାନ୍ ଓ୍ୱିକେଟ୍ ନେଇଛନ୍ତି । ସେ ଦୁଇ ଓପନରଙ୍କୁ ଆଉଟ୍ କରି । ଅଭେଶ ଖାନ୍ ଏବଂ ପ୍ରିନ୍ସ ଯାଦବ ମଧ୍ୟ ଦୁଇଟି ଓ୍ୱିକେଟ୍ ନେଇଛନ୍ତି । ସେହିପରି ଲକ୍ଷ୍ନୌ ପକ୍ଷରୁ ଦିଗଭେଶ୍ ରାଠିଙ୍କ ସମେତ ଏମ୍ ସିଦ୍ଧାର୍ଥ ଗୋଟିଏ ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଛନ୍ତି ।