ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏବେ ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ରାଜ୍ୟ ବିଜେପିର ପୂର୍ବତନ ସଭାପତି କେ. ଆନ୍ନାମଲାଇ ଦଳ ଛାଡ଼ି ଏକ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଗତ ୨୪ ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ତାଙ୍କ ସମର୍ଥକମାନେ ଏହି ଦାବି କରୁଥିବା ବେଳେ, ଏହା ବିଜେପି ପାଇଁ ଏକ ଶକ୍ତ ଝଟକା ହୋଇପାରେ । ସୋସିଆଲ ମିଡିଆରେ ନୂଆ ଦଳର ନାଁ ଓ ପତାକାକୁ ନେଇ ଚର୍ଚ୍ଚା ଲାଗିରହିଛି ।

ତାମିଲନାଡୁ ବିଧାନସଭା ନିର୍ବାଚନ ଶେଷ ହୋଇଛି ଏବଂ ନୂଆ ଦଳ ଟିଭିକେ ସରକାର ଗଠନ କରିଛି । ଏହା ପରେ ମଧ୍ୟ ଆନ୍ନାମଲାଇଙ୍କୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ସୋସିଆଲ ମିଡିଆରେ ତାଙ୍କର ସମର୍ଥକମାନେ ସମ୍ଭାବ୍ୟ ନୂଆ ପାର୍ଟିର ନାମ ଏବଂ ପତାକାର ଡିଜାଇନ୍ ସଂପର୍କରେ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି । ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, ତାମିଲନାଡୁର ସୁପରଷ୍ଟାର୍ ବିଜୟ ଯେଉଁଭଳି ନିଜର ନୂଆ ଦଳ ଗଠନ କରି ରାଜନୀତିରେ ସଫଳତା ପାଇଛନ୍ତି, ଆନ୍ନାମଲାଇ ମଧ୍ୟ ସେହିଭଳି କିଛି ବଡ଼ ଯୋଜନା କରୁଥାଇପାରନ୍ତି ।

ଏପରି ମଧ୍ୟ ଚର୍ଚ୍ଚା ହେଉଛି ଯେ, ଚଳିତ ଜୁନ୍ ମାସରେ ହିଁ ସେ ନିଜର ନୂଆ ଦଳ ବିଷୟରେ ଆନୁଷ୍ଠାନିକ ଘୋଷଣା କରିପାରନ୍ତି।ଆନ୍ନାମଲାଇଙ୍କ କିଛି କାର୍ଯ୍ୟକଳାପ ଏହି ଗୁଜବକୁ ଆହୁରି ଖୋରାକ ଯୋଗାଇଛି । ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ 'ତ୍ରି-ଭାଷା ନୀତି' (Three-Language Policy) ଲାଗୁ କରିବାକୁ ସିବିଏସଇ (CBSE) ନେଇଥିବା ନିଷ୍ପତ୍ତିକୁ ଆନ୍ନାମଲାଇ ସମାଲୋଚନା କରିଛନ୍ତି । ଏହା ବିଜେପିର ଆଭିମୁଖ୍ୟଠାରୁ ଭିନ୍ନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ 'ମନ୍ କୀ ବାତ୍' କୁ ନେଇ ସେ ନିଜ ଆଡ଼ୁ କୌଣସି ପୋଷ୍ଟ କରିନାହାନ୍ତି। କେବଳ ପ୍ରଧାନମନ୍ତ୍ରୀଙ୍କ ଏକ ଟ୍ୱିଟ୍କୁ ସେ ରିଶେୟାର୍ (Reshare) କରିଛନ୍ତି, ଯାହାକୁ ନେଇ ରାଜନୈତିକ ବିଶେଷଜ୍ଞଙ୍କ ମହଲରେ ଭିନ୍ନ ଚର୍ଚ୍ଚା ପ୍ରକାଶ ପାଇଛି ।

ପୂର୍ବତନ ଆଇପିଏସ୍ ଅଫିସର କେ. ଆନ୍ନାମଲାଇ ତାମିଲନାଡୁ ବିଜେପିର ସବୁଠାରୁ କମ୍ ବୟସର (୩୭ ବର୍ଷରେ) ସଭାପତି ହୋଇ ରେକର୍ଡ କରିଥିଲେ। ଜୁଲାଇ ୨୦୨୧ ରୁ ୨୦୨୫ ପର୍ଯ୍ୟନ୍ତ ସେ ଏହି ପଦବୀରେ ଥିଲେ। ତେବେ ତାଙ୍କ ଅସନ୍ତୋଷ ପଛରେ କିଛି ପ୍ରମୁଖ କାରଣ ରହିଛି । ୨୦୨୬ ବିଧାନସଭା ନିର୍ବାଚନ ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏଆଇଏଡିଏମକେ (AIADMK) ସହ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହାକୁ ଆନ୍ନାମଲାଇ ପସନ୍ଦ କରିନଥିଲେ। ପରେ ସେ ଦଳର ନିଷ୍ପତ୍ତି ମାନି ଏନଡିଏ (NDA) ପାଇଁ ପ୍ରଚାର କରିଥିଲେ।

ଏଆଇଏଡିଏମକେ ସହ ମେଣ୍ଟ ଭାଙ୍ଗିବା ପରେ ଆନ୍ନାମଲାଇ ସେହି ଦଳର ନେତୃତ୍ୱକୁ କଡ଼ା ସମାଲୋଚନା କରୁଥିଲେ। ଏହି କାରଣରୁ ନିର୍ବାଚନ ପୂର୍ବରୁ ବିଜେପି ହାଇକମାଣ୍ଡ ତାଙ୍କୁ ରାଜ୍ୟ ସଭାପତି ପଦରୁ ହଟାଇ ଦେଇଥିଲେ, ଯାହାକୁ ନେଇ ସେ କ୍ଷୁବ୍ଧ ଥିବା କୁହାଯାଉଛି। ଏହି ସମସ୍ତ ଚର୍ଚ୍ଚା ମଧ୍ୟରେ ବିଜେପି ସୂତ୍ରରୁ ଭିନ୍ନ ଖବର ପ୍ରକାଶ ପାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ ଏହିସବୁ ଖବର କେବଳ ଏକ ଗୁଜବ। ଆନ୍ନାମଲାଇ ବିଜେପିରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଅଛନ୍ତି ଏବଂ ଖୁବଶୀଘ୍ର କେନ୍ଦ୍ରୀୟ ରାଜନୀତିରେ ତାଙ୍କୁ ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବାକୁ ଯାଉଛି।