ନୂଆଦିଲ୍ଲୀ: ସ୍ପେନ୍‌ର ରାଜଧାନୀ ମାଦ୍ରିଦରେ ଗୃହ ନିର୍ମାଣ ସଙ୍କଟ (Housing Crisis) ଏବଂ ଙର ଭଡ଼ା ବୃଦ୍ଧିକୁ ନେଇ ସାରା ଦେଶରେ ବିଶାଳ ଜନଆନ୍ଦୋଳନ ମୁଣ୍ଡ ଟେକିଛି। ଭାଡ଼ାଟିଆଙ୍କ ସୁରକ୍ଷା ପାଇଁ କଡ଼ା ନିୟମ, ଜାଲିଆତି ବିରୋଧୀ ଆଇନ ଏବଂ ବିକଳ୍ପ ରହିବା ସ୍ଥାନ ବିନା ଉଚ୍ଛେଦକୁ ସମ୍ପୂର୍ଣ୍ଣ ବ୍ୟାନ୍ କରିବା ଦାବିରେ ଦଶ ହଜାରରୁ ଅଧିକ ଲୋକ ରାଜପଥକୁ ଓହ୍ଲାଇଛନ୍ତି। ବୁଧବାର ଦିନ ମାଦ୍ରିଦର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଦୀର୍ଘ ଦଶନ୍ଧି ଧରି ରହିଆସୁଥିବା ୮୭ ବର୍ଷୀୟା ବୃଦ୍ଧା ମାରିଆ ଡେଲ୍ କାର୍ମେନ୍ ଅବାସ୍କାଲଙ୍କୁ ବଳପୂର୍ବକ ବାହାର କରାଯିବା ପରେ ଏହି ଜନଆକ୍ରୋଶ ତୀବ୍ର ହୋଇଛି। ବୃଦ୍ଧା ଜଣଙ୍କୁ ଷ୍ଟ୍ରେଚରରେ ନିଜ ଘରୁ ବାହାର କରାଯାଇ ଆମ୍ବୁଲାନ୍ସରେ ନିଆଯାଉଥିବା ସମୟର ଦୁଃଖଦ ଦୃଶ୍ୟ ଏବଂ ଗଣମାଧ୍ୟମର ବ୍ୟାପକ ପ୍ରସାରଣ ତାଙ୍କୁ ସ୍ପେନର ଗୃହ ସଙ୍କଟର ଏକ ପ୍ରମୁଖ ପ୍ରତୀକ ବନାଇ ଦେଇଛି।

ସ୍ପେନ ଗଣମାଧ୍ୟମ ଏବଂ ମାଦ୍ରିଦ୍ ଟେନାଣ୍ଟସ ୟୁନିୟନର ରିପୋର୍ଟ ଅନୁସାରେ, ଅବାସ୍କାଲଙ୍କ ପିତା ୧୯୫୬ ମସିହାରେ ପ୍ରଥମେ ଏହି ଘରଟିକୁ ଭାଡ଼ାରେ ନେଇଥିଲେ। ପିତାମାତାଙ୍କ ମୃତ୍ୟୁ ପରେ ଅବାସ୍କାଲ ସେଠାରେ ରହିଆସୁଥିଲେ, ଯେଉଁଠାରେ ସରକାରୀ ଭାଡ଼ା ନିୟନ୍ତ୍ରଣ ସୀମା (Rent Cap) ଲାଗୁ ଥିଲା। ତେବେ ୨୦୧୮ରେ ଏହି ଆପାର୍ଟମେଣ୍ଟର ମାଲିକାନା ବଦଳିଯାଇଥିଲା। ପରବର୍ତ୍ତୀ ସମୟରେ ଉର୍ବାଜେଷ୍ଟିଓନ୍ ନାମକ ଏକ ଇନଭେଷ୍ଟମେଣ୍ଟ ଫଣ୍ଡ୍ ଏହି ସମ୍ପତ୍ତିକୁ କିଣିବା ପରେ ତାଙ୍କର ମାସିକ ଭାଡ଼ା ୫୦୦ ୟୁରୋରୁ ବୃଦ୍ଧି କରି ୨,୬୫୦ ୟୁରୋ (ପ୍ରାୟ ୨.୪ ଲକ୍ଷ ଟଙ୍କା) କରିଦେଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ୧,୬୫୦ ୟୁରୋକୁ ହ୍ରାସ କରାଯାଇଥିଲେ ସୁଦ୍ଧା, ନିଜର ସ୍ୱଳ୍ପ ପେନ୍‌ସନ୍ ଟଙ୍କାରେ ଏହି  ଭଡ଼ା ଦେବା ବୃଦ୍ଧା ଅସମର୍ଥ ଥିଲେ। ପୂର୍ବରୁ ଅଦାଲତ ତିନି ଥର ତାଙ୍କୁ ସୁରକ୍ଷା ଦେଇଥିଲେ ସୁଦ୍ଧା ଶେଷରେ ତାଙ୍କୁ ଘରୁ ବାହାର କରିଦିଆଗଲା।

ଏହି ସମ୍ପୂର୍ଣ୍ଣ ଘଟଣା ସ୍ପେନର ସାଧାରଣ ନାଗରିକଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ସୃଷ୍ଟି କରିଛି। ବିକ୍ଷୋଭକାରୀଙ୍କ ଅଭିଯୋଗ ଯେ, ପୁଞ୍ଜିପତି ଏବଂ ବିଦେଶୀ ଫଣ୍ଡଗୁଡ଼ିକ ଶସ୍ତାରେ ଘର କିଣି ଅତ୍ୟଧିକ ଭାଡ଼ା ଆଦାୟ କରୁଛନ୍ତି । ଫଳରେ ସାଧାରଣ ପରିବାର, ଯୁବକ ଏବଂ ବୃଦ୍ଧ ନାଗରିକମାନେ ବାସହୀନ ହୋଇପଡ଼ୁଛନ୍ତି। ପ୍ରତିବାଦ ସ୍ୱରୂପ ଶନିବାର ହଜାର ହଜାର ପ୍ରଦର୍ଶନକାରୀ ମାଦ୍ରିଦର ପ୍ରସିଦ୍ଧ ପୁଏର୍ତା ଡେଲ୍ ସୋଲ୍ (Puerta del Sol) ସ୍କୋୟାରରେ ତମ୍ବୁ ଟାଣି ବସିବା ସହ ଆନ୍ଦୋଳନ ଆରମ୍ଭ କରିଛନ୍ତି। ହସ୍ପିଟାଲ ବେଡରୁ ଏକ ଭିଡିଓ ବାର୍ତ୍ତା ଜାରି କରି ଅବାସ୍କାଲ କହିଛନ୍ତି ଯେ, ସେ ନିଜ ଘରକୁ ବଞ୍ଚାଇ ପାରିଲେ ନାହିଁ ସତ, ମାତ୍ର ନିଜ ଅଧିକାର ପାଇଁ କିପରି ଲଢ଼ାଯାଏ ତାହା ଅନ୍ୟମାନଙ୍କୁ ଶିଖାଇବାକୁ ସେ ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରିଛନ୍ତି।

ସ୍ପେନ୍ ୟୁରୋପର ଚତୁର୍ଥ ବୃହତ୍ତମ ଅର୍ଥବ୍ୟବସ୍ଥା ହୋଇଥିଲେ ସୁଦ୍ଧା, ସାଧାରଣ ଲୋକଙ୍କ ଆୟ ତୁଳନାରେ ଘର ଭାଡ଼ା ଓ ଘରର ମୂଲ୍ୟ ଅସମ୍ଭବ ଭାବେ ବୃଦ୍ଧି ପାଇଛି। ପର୍ଯ୍ୟଟନ ଏବଂ ପ୍ରବାସୀ ଜନସଂଖ୍ୟା ବୃଦ୍ଧି ହେତୁ ମାଦ୍ରିଦ୍, ବାର୍ସିଲୋନା ଏବଂ ଭାଲେନ୍ସିଆ ପରି ପ୍ରମୁଖ ସହରଗୁଡ଼ିକରେ ଘରର ଘୋର ଅଭାବ ଦେଖାଦେଇଛି। ବ୍ୟାଙ୍କ ଅଫ୍ ସ୍ପେନର ଆକଳନ ଅନୁଯାୟୀ, ଗତବର୍ଷ ଦେଶରେ ପ୍ରାୟ ୫,୫୦,୦୦୦ ବାସଗୃହର ଅଭାବ ରହିଥିଲା। ଦେଶଗୁଡ଼ିକ ମଧ୍ୟରେ ସରକାରୀ ସାଧାରଣ ଭାଡ଼ାଘର ମାମଲାରେ ସ୍ପେନ୍ ସବୁଠାରୁ ପଛରେ ରହିଛି, ଯେଉଁଠାରେ ସରକାରୀ ଭାଡ଼ାଘରର ମୋଟ ଭାଗ ୨ ପ୍ରତିଶତରୁ ବି କମ୍ ।  ସରକାରୀ ପାଣ୍ଠିରେ ନିର୍ମିତ ଘରଗୁଡ଼ିକୁ ପୂର୍ବରୁ ଘରୋଇ କମ୍ପାନୀଙ୍କୁ ବିକ୍ରି କରିଦିଆଯାଇଥିବାରୁ ଆଜି ଏହି ସଙ୍କଟ ଉଗ୍ର ରୂପ ନେଇଛି।