ଓସ୍ଲୋ: ପୃଥିବୀରେ ଦେଶମାନେ ପରସ୍ପର ସହ ବିବାଦରେ ଲାଗି ରହିଛନ୍ତି, ହେଲେ ମହାକାଶରେ ବିଶ୍ୱର ଅନେକ ଦେଶ ମିଳିତ କାମ କରୁଛନ୍ତି। ବୋଧ ହୁଏ ଏହି କାରଣରୁ ଏଥର ନୋବେଲ ଶାନ୍ତି ପୁରସ୍କାରର ସମ୍ଭାବିତ ସୂଚୀରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ର ଚର୍ଚ୍ଚା ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି। ଆଇଏସ୍ଏସ୍ କୁ ଏବେ ଅନ୍ତର୍ଜାତୀୟ ସହଯୋଗର ଉଦାହରଣ ଭାବେ ଦେଖା ଯାଉଛି। ଏହି ସମ୍ମାନଜନକ ପୁରସ୍କାରର ଘୋଷଣା ଅକ୍ଟୋବର ମାସରେ ହେବ।

ପ୍ରସ୍ତାବ ହୋଇଛି ୨୮୭ ନାମ
ଶାନ୍ତି ନୋବେଲ ନିମନ୍ତେ ଚଳିତବର୍ଷ ୨୮୭ ଜଣଙ୍କ ନାମ ପ୍ରସ୍ତାବ ହୋଇଛି। ଏଥିରେ ଏକ ଚତୁର୍ଥାଂଶରୁ ଅଧିକ ବିଭିନ୍ନ ସଙ୍ଗଠନ ଅଛନ୍ତି। ସମ୍ଭାବିତ ନାମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି, ସୁଦାନ ଏମାର୍ଜେନ୍ସୀ ଟିମ୍, ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଶିଶୁ ଅଧିକାର ଲାଗି କାମ କରୁଥିବା ଲୋକେ ଓ ସଙ୍ଗଠନ ଏବଂ ପ୍ରମୁଖ ଅନ୍ତର୍ଜାତୀୟ କୋର୍ଟ ରହିଛନ୍ତି। ଅନ୍ତର୍ଜାତୀୟ ସହଯୋଗର ଉଦାହରଣ ଆଇଏସ୍ଏସ୍ ପିସ୍ ରିସର୍ଚ୍ଚ ଇନଷ୍ଟିଟ୍ୟୁଟ୍ ମଧ୍ୟ ଏହି ସୂଚୀରେ ରହିଛି । ଏଥିରେ ଓସ୍ଲୋର ନିର୍ଦ୍ଦେଶକ ହାକୋନ ଜେରଲୋ ସମ୍ଭାବିତ ଦାବିଦାରଙ୍କ ଉପରେ ନଜର ରଖୁଥିବା ଟିମ୍ ରେ ସାମିଲ ଅଛନ୍ତି।

ଜେରଲୋଙ୍କ ଅନୁସାରେ ଆଇଏସ୍ଏସ୍ ଓ ଏହାକୁ ସଞ୍ଚାଳନ କରୁଥିବା ଅନ୍ତର୍ଜାତୀୟ ସହଯୋଗ ମହାକାଶ ଗବେଷଣାରେ ଦେଶମାନେ ମିଳିତ କାମ କରିବାର ଏକ ଅସାଧାରଣ ଉଦାହରଣ ଅଟେ। ଖାସ କରି ଏପରି ସମୟରେ ଯେତେବେଳେ ବିଶ୍ୱର ବିଭିନ୍ନ ଭାଗରେ ଅନ୍ତର୍ଜାତୀୟ ସହଯୋଗ ଦୁର୍ବଳ ହେଉଛି ଓ ଦେଶମାନେ ଜାତୀୟ ହିତକୁ ଗୁରୁତ୍ୱ ଦେଉଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ମଧ୍ୟ ଏହି ଦୌଡରେ ରହିଛି। ଟ୍ରମ୍ପ ମଧ୍ୟ ପୂର୍ବରୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ତାଙ୍କର ଇଛା ପ୍ରକଟ କରିସାରିଛନ୍ତି। ତେବେ ଇରାନ ଓ ଇସ୍ରାଏଲ ସମ୍ପର୍କିତ ତାଙ୍କ ଆଭିମୁଖ୍ୟ ଓ ନୀତିକୁ ନେଇ ତାଙ୍କ ନାମ କୁ ନେଇ ବିବାଦର ଆଶଙ୍କା ମଧ୍ୟ କରାଯାଉଛି।

ସୋମବାର ଆରମ୍ଭ ହେବ ନୋବେଲ ପୁରସ୍କାର ଘୋଷଣା
ଚଳିତବର୍ଷ ନୋବେଲ ପୁରସ୍କାର ଘୋଷଣା ସୋମବାର ଚିକିତ୍ସା ପୁରସ୍କାରରୁ ଆରମ୍ଭ ହେବ। ଏହାପରେ ଫିଜିକ୍ସ, ରସାୟନ ଓ ସାହିତ୍ୟ ଆଦି ପୁରସ୍କାର ଘୋଷଣା ହେବ। ତେବେ ଶାନ୍ତି ନୋବେଲ ଘୋଷଣା ଶୁକ୍ରବାର ହେବ। ଅର୍ଥଶାସ୍ତ୍ରରେ ନୋବେଲ ଅକ୍ଟୋବର ୧୨ ତାରିଖରେ ଘୋଷଣା କରାଯିବ। ବିଜେତାଙ୍କୁ ପୁରସ୍କାର ରୂପେ ୧୨ଲକ୍ଷ ଡଲାର (୧.୨କୋଟି ସ୍ୱିଡିସ୍ କ୍ରୋନର) ପ୍ରଦାନ କରାଯିବ।