ନୂଆଦିଲ୍ଲୀ: ଫ୍ରାନ୍ସରେ ଶିକ୍ଷା ସମସ୍ୟାକୁ ନେଇ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି । ଏହି ଆନ୍ଦୋଳନର ପ୍ରଭାବରେ ଫ୍ରାନ୍ସର ପ୍ରାୟ ୪୦୦ଟି ସ୍କୁଲକୁ ବନ୍ଦ କରାଯାଇଛି । ଶିକ୍ଷକ ଅଭାବ ଏବଂ ସ୍କୁଲର ଜର୍ଜରିତ କୋଠାକୁ ନେଇ ଗତ ମାସରେ ଏହି ପ୍ରତିବାଦ ଆରମ୍ଭ ହୋଇଥିଲା । ଏହି ଆନ୍ଦୋଳନ ଏବେ ହିଂସାର ରୂପ ନେଇଛି । ଏଥିରେ ଅନେକ ଆହତ ହୋଇଛନ୍ତି ଏବଂ ଅନେକ ଲୋକଙ୍କୁ ଗିରଫ କରାଯାଇଛି ।

ଶୁକ୍ରବାର ଫ୍ରାନ୍ସ ନ୍ୟାୟ ମନ୍ତ୍ରୀ ଜେରାଲ୍ଡ ଡାରମାନିନ୍ କହିଛନ୍ତି, "ଏହି ଆନ୍ଦୋଳନରେ ଏକ ସକ୍ରିୟ ଏବଂ ଅରାଜକତା ସୃଷ୍ଟି କରୁଥିବା ସଂଖ୍ୟାଲଘୁ ଗୋଷ୍ଠୀ ଭାଗ ନେଉଛନ୍ତି । ସେମାନେ ହାଇସ୍କୁଲ ଛାତ୍ର କି ନୁହନ୍ତି ସେ ନେଇ ଆମେ ସମ୍ପୂର୍ଣ୍ଣ ନିଶ୍ଚିତ ନାହୁଁ ।" ପ୍ରତିବାଦ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ୨,୦୦୦ ଜଣଙ୍କୁ ଗିରଫ କରାଗଲାଣି ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, "ହାଇସ୍କୁଲ ଛାତ୍ରଙ୍କ ବିକ୍ଷୋଭ ଏବେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ଆଡ଼କୁ ଯାଉଛି । ଯେତେବେଳେ ଲୋକମାନେ ବସକୁ ଟାର୍ଗେଟ୍ କରୁଛନ୍ତି ଏବଂ ସ୍କୁଲରେ ନିଆଁ ଲଗାଉଛନ୍ତି, ତାହା କେବଳ ପ୍ରତିବାଦର ବିଷୟ ହୋଇ ରହିନାହିଁ ।" ଫ୍ରାନ୍ସର ଶିକ୍ଷା ମନ୍ତ୍ରୀ ଏଡୋଆର୍ଡ ଗେଫ୍ରେ ବ୍ରୋଡକାଷ୍ଟର 'ଫ୍ରାନ୍ସ ୨'କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ "୪୦୦ରୁ ଅଧିକ ସ୍କୁଲ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ" ବନ୍ଦ କରାଯାଇଛି ।

ପ୍ରଧାନମନ୍ତ୍ରୀ ସେବାଷ୍ଟିଆନ୍ ଲେକୋର୍ନୁଙ୍କ ଏମର୍ଜେନ୍ସି ମିଟିଂରେ ଏହି ଅରାଜକତା ପଛରେ 'ଲା ଫ୍ରାନ୍ସ ଇନ୍ସୋମାଇଜ୍' (LFI)ର ସଦସ୍ୟଙ୍କ ସମେତ କଟ୍ଟର ବାମପନ୍ଥୀ ନେତାମାନଙ୍କ ହାତ ଥିବା ନେତାମାନେ ଦାବି କରିଛନ୍ତି । ତେବେ LFI ସାଂସଦ ଲୁଇସ୍ ବୋୟାର୍ଡ ଫ୍ରେଞ୍ଚ୍ ବ୍ରୋଡକାଷ୍ଟରଗୁଡ଼ିକୁ ଦେଇଥିବା ପ୍ରତିକ୍ରିୟାରେ ଏହି ଦାବିକୁ ଖଣ୍ଡନ କରିଛନ୍ତି ।