ଙ୍କିଶାନା: ମଧ୍ୟ ଆଫ୍ରିକୀୟ ଦେଶ କଙ୍ଗୋରେ ଇବୋଲା ଭାଇରସ ପ୍ରକୋପ ବେଳକୁ ବେଳ ଭୟାବହ ହେବାରେ ଲାଗିଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଜାରି ତାଜା ତଥ୍ୟ ଅନୁସାରେ ଦେଶରେ ଇବୋଲା ଆକ୍ରାନ୍ତଙ୍କ ମୋଟ ମୃତ୍ୟୁ ସଂଖ୍ୟା ୪ହଜାର ପାର କରିଯାଇଛି। ଏହି ବିପଦଜନକ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ଲଗାତାର ସଂଘର୍ଷ ଜାରି ରଖିଛନ୍ତି। ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ରିପୋର୍ଟ ଅନୁସାରେ ଏ ପର୍ଯ୍ୟନ୍ତ ଭୂତାଣୁ ଯୋଗୁ ୮୩୦୦ରୁ ଅଧିକ କନଫର୍ମ ମାମଲା ସାମ୍ନାକୁ ଆସିଲାଣି।

ଉଲ୍ଲେଖଯୋଗ୍ୟ ଯେ ୮୩୦୦ କନଫର୍ମ ମାମଲାରୁ ୪,୦୧୮ ଜଣଙ୍କ ମୃତ୍ୟୁ ହେବାର ଏହି ତଥ୍ୟ ମୋଟ ମାମଲାର ପାଖାପାଖି ଅଧା। ଏଥିରୁ ଭୂତାଣୁ କେତେ ଘାତକ ତାହା ସହଜରେ ଅନୁମାନ କରାଯାଇ ପାରେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଏହା ଇତିହାସର ସବୁଠୁ ଦ୍ରୁତ ବ୍ୟାପୁଥିବା ଇବୋଲା ପ୍ରକୋପରେ ପରିଣତ ହୋଇଛି। ତେବେ ଧ୍ୟାନ ଦେବା ଯୋଗ୍ୟ କଥା ହେଉଛି ଏବେ କଙ୍ଗୋରେ ପ୍ରକୋପ କରୁଥିବା ଇବୋଲା ଭାଇରସ ‘ବୁଣ୍ଡିବୁଗ୍ୟୋ ଷ୍ଟ୍ରେନର ଭାଇରସ’। ତେବେ ସବୁଠୁ ବଡ଼ କଥା ହେଉଛି ଏହି ବିରଳ ଭୂତାଣୁ ସଂକ୍ରମଣର ନା କୌଣସି ଚିକିତ୍ସା ଅଛି ନା ପ୍ରଭାବୀ ଭ୍ୟାକ୍ସିନ। ଏଣୁ ପରିସ୍ଥିତିକୁ ଆୟତ କରିବା କଷ୍ଟକର ହୋଇପଡିଛି।

ଅନ୍ୟପଟେ ବଢୁଥିବା ମାମଲାକୁ ନଜରରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ନିକଟରେ ଏ କଥାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ଯେ ଏହି ଭାଇରସ ଦ୍ରୁତ ବ୍ୟାପିବା ସହିତ ନୂଆ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରସରୁଛି। ଭୌଗଳିକ ରୂପେ ଏହାର ଲଗାତାର ବିସ୍ତାର ଯୋଗୁ ସେଠାକାର ସୀମିତ ଚିକିତ୍ସା ସଂସାଧନ ଓ ଚିକିତ୍ସକ ଦଳ ଅତ୍ୟନ୍ତ ଚାପରେ କାମ କରୁଛନ୍ତି। ପ୍ରଶାସନ ଓ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଏଜେନ୍ସୀ ଏହି ମହାମାରୀକୁ ନିୟନ୍ତ୍ରିତ କରିବା ପାଇଁ ସବୁ ସମ୍ଭବ ପ୍ରୟାସ ଜାରି ରଖିଛନ୍ତି। ତେବେ ଭୂତାଣରୁ ଦ୍ରୁତ ପ୍ରସାର ଏବେ ଅଧିକାରୀଙ୍କ ଚିନ୍ତା ବଢାଇ ଦେଇଛି।