News7 Logo

ବିଦାୟ ନେବ ଦକ୍ଷିଣ-ପଶ୍ଚିମ ମୌସୁମୀ, ତାରିଖ ଘୋଷଣା କଲେ IMD

NEWS7
gfx

ନୂଆଦିଲ୍ଲୀ ୧୨।୯: ଦୀର୍ଘ ଓ ଅତ୍ୟଧିକ ବର୍ଷା ପରେ ଏବେ ପଛକୁ ଫେରିବ ମୌସୁମୀ। ଦେଶର କେତେକ ରାଜ୍ୟରୁ ମୌସୁମୀର ଅପସାରଣ ଆରମ୍ଭ ହେବ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ନେଇ ଶୁକ୍ରବାର ଘୋଷଣା କରିଛନ୍ତି। ଏଥିରେ ଦେଶରୁ ମୌସୁମୀ ଅପସାରଣ ପ୍ରକ୍ରିୟା ୧୫ ସେପ୍ଟେମ୍ବରରୁ ଆରମ୍ଭ ହେବ ବୋଲି କହିଛନ୍ତି। ଏହି ପ୍ରତ୍ୟାବର୍ତ୍ତନ ସର୍ବ ପ୍ରଥମେ ଉତ୍ତର-ପଶ୍ଚିମ ଭାଗରୁ ଆରମ୍ଭ ହେବ।

ସାଧାରଣତଃ ଜୁନ ୧ ତାରିଖରେ ଭାରତୀୟ ଉପମହାଦ୍ୱୀପକୁ ମୌସୁମୀର ଆଗମନ ହୋଇଥାଏ ଓ ଜୁଲାଇ ୮ ତାରିଖ ବେଳକୁ ସାରା ଦେଶକୁ ଆଚ୍ଛାଦିତ କରିସାରିଥାଏ। ଚଳିତବର୍ଷ ମୌସୁମୀ ନିର୍ଦ୍ଧାରିତ ତାରିଖର ୯ ଦିନ ପୂର୍ବରୁ ଅର୍ଥାତ ଜୁନ ୨୯ ତାରିଖ ବେଳକୁ ଦେଶକୁ ପହଞ୍ଚି ସାରିଥିଲା। ୨୦୨୦ ମସିହା ପରେ ପ୍ରଥମ ଥର ଦେଶକୁ ସଅଳ ମୌସୁମୀ ଆସିଥିଲା। ଏଥର ମୌସୁମୀ କେରଳକୁ ମେ ୨୪ ତାରିଖରେ ପହଞ୍ଚିଥିଲା। ୨୦୦୯ ମସିହା ପରେ ପ୍ରଥମ ଥର ଦେଶକୁ ଏତେ ଶୀଘ୍ର ମୌସୁମୀ ଆସିଥିଲା।

ଚଳିତବର୍ଷ ମୌସୁମୀରେ ସାରା ଦେଶ ମୋଟ ୮୩୬.୨ ମିଲିମିଟର ବର୍ଷା ପାଇଛି। ଦେଶରେ ସ୍ୱଭାବିକ ବର୍ଷା ୭୭୮.୬ ମିଲିମିଟର ଠାରୁ ଏହା ୭% ଅଧିକ ବର୍ଷିଛି। ଯଦିଓ ୧୫ ସେପ୍ଟେମ୍ବରରୁ ମୌସୁମୀ ଅପସାରଣ ଆରମ୍ଭ ହେବ ତେବେ ପୂର୍ବୋପକୂଳରୁ ଫେରିବାକୁ ସମୟ ଲାଗିବ। ପୂର୍ବାନୁମାନ ଅନୁସାରେ ୧୫ ଅକ୍ଟୋବର ପୂର୍ବରୁ ପଶ୍ଚିମବଙ୍ଗରୁ ମୌସୁମୀ ଫେରିବାର ସମ୍ଭାବନା ନାହିଁ। ଏହାର ଅର୍ଥ ହେଉଛି ଚଳିତବର୍ଷ ଦୁର୍ଗା ପୂଜା ବର୍ଷାରେ ଭିଜିବ। ଦେଶରେ ଦୁର୍ଗା ପୂଜା ଆରମ୍ଭ ହେବା ପୂର୍ବରୁ ଲଘୁଚାପ ଓ ଘୂର୍ଣ୍ଣିବଳୟ କାରଣରୁ ପୂଜା ବେଳେ ବର୍ଷା ହେବ ବୋଲି ଆକଳନ କରାଯାଉଛି।