ମୁମ୍ବାଇ ୦୨।୦୯; ବିପଦରେ ଯିଏ ସାହାଯ୍ୟର ହାତ ବଢାଏ, ସିଏ ପ୍ରକୃତ ନାୟକ! କୋଭିଡ୍ ସମୟରୁ ଲୋକଙ୍କ ପାଇଁ ଆଇଡଲ ପାଲଟିଥିବା ବଲିଉଡର ଲୋକପ୍ରିୟ ଅଭିନେତା ସୋନୁ ସୁଦ । ଏବେ ସେ ପୁଣିଥରେ ପ୍ରମାଣିତ କରିଛନ୍ତି ଯେ ମାନବିକତା ହିଁ ସବୁଠୁ ବଡ଼ ଧର୍ମ। ଗତ ସପ୍ତାହରେ ନେପାଳରେ ଘଟିଥିବା ଭୟଙ୍କର ବନ୍ୟାରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ବର୍ତ୍ତମାନ ନେପାଳରେ ପହଞ୍ଚିଛନ୍ତି।"

" ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସୋନୁ କହିଛନ୍ତି ଆମେ ବନ୍ୟା ପୀଡିତଙ୍କୁ ଭେଟିବା ପାଇଁ ଏଠାକୁ ଆସିଛୁ। ଆମେ ଭାରତରୁ ଯଥେଷ୍ଟ ପରିମାଣର ସାମଗ୍ରୀ ମଧ୍ୟ ଆଣିଛୁ। ତାଙ୍କ ଫାଉଣ୍ଡେସନ୍ ଟିମ୍ ଭାରତରୁ ବହୁ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି କମ୍ବଳ ଏବଂ ଖାଦ୍ୟ ସାମଗ୍ରୀ ସାଙ୍ଗରେ ଧରି ଆସିଛନ୍ତି। ଭାରତରୁ ନେପାଳକୁ ଏହି ସାମଗ୍ରୀ ପରିବହନ କରିବା ଟିକେ ଚ୍ୟାଲେଞ୍ଜିଂ ଥିଲେ ମଧ୍ୟ, ପୀଡ଼ିତମାନଙ୍କ ଜୀବନକୁ ପୁଣିଥରେ ଟ୍ରାକକୁ ଫେରାଇ ଆଣିବା ପାଇଁ ସେମାନେ ପ୍ରତିଶ୍ରୁତିବଦ୍ଧ।"

ଭବିଷ୍ୟତରେ ସାହାଯ୍ୟ ଜାରି ରହିବ

ସୋନୁ ସୁଦ ଆହୁରି କହିଛନ୍ତି ଯେ ଏହି ସଙ୍କଟ ଦୂର ହେବା ପରେ ମଧ୍ୟ ଫାଉଣ୍ଡେସନ ସହାୟତା ପ୍ରଦାନ ଜାରି ରଖିବାକୁ ଚାହୁଁଛି। ସେ କହିଛନ୍ତି, "ଆମେ ନିଶ୍ଚିତ କରିବୁ ଯେ ରିଲିଫ୍ ସାମଗ୍ରୀ ସେମାନଙ୍କ ପାଖରେ ପହଞ୍ଚିବ - କେବଳ ଏହି ମାସରେ ନୁହେଁ, ଆଗାମୀ ମାସଗୁଡ଼ିକରେ ମଧ୍ୟ। ପ୍ରଭାବିତ ଲୋକଙ୍କୁ କିପରି କ୍ରମାଗତ ସହାୟତା ଯୋଗାଇ ଦିଆଯିବ, ସେନେଇ ତାଙ୍କ ଦଳ ଭୂମିରେ ରହି ସ୍ଥିତିର ମୂଲ୍ୟାଙ୍କନ କରୁଛି। ସାହାଯ୍ୟ କରିବା ସମସ୍ତଙ୍କର କର୍ତ୍ତବ୍ୟ' ଏହି ବାର୍ତ୍ତା ଦେଇ ସୋନୁ ସୁଦ ପୁଣିଥରେ ସମଗ୍ର ବିଶ୍ୱର ହୃଦୟ ଜିତିଛନ୍ତି। ଏବେ ଏହି ସବୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି ।