ଗୁରୁଗ୍ରାମ: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ବୁଧବାର ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଆଡମିଟ ହୋଇଛନ୍ତି। ଏକ ସର୍ଜରୀ ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାନୁୟାରୀରୁ ଏପର୍ଯ୍ୟନ୍ତ ସୋନିଆ ୩ ଥର ହସ୍ପିଟାଲରେ ଭର୍ତ୍ତି ହେଲେଣି। ଏହା ପୂର୍ବରୁ ମାର୍ଚ୍ଚ ମାସରେ ସୋନିଆଙ୍କୁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କ ପେଟରେ ସଂକ୍ରମଣ ସମ୍ପର୍କିତ ସମସ୍ୟାର ଉପଚାର କରାଯାଇଥିଲା। ଏହା ପୂର୍ବରୁ ଜାନୁୟାରୀ ମାସରେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେବା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେତେବେଳେ ଦିଲ୍ଲୀ ଅତ୍ୟଧିକ ଶୀତର ପ୍ରକୋପ ଓ ପ୍ରଦୂଷଣ ଜନିତ କାରଣରୁ ସେ ଅସୁସ୍ଥ ହୋଇପଡିଥିଲେ। ୭୯ ବର୍ଷ ବୟଷ୍କା ସୋନିଆ ଗାନ୍ଧି ଏବେ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଅଛନ୍ତି। ତେବେ ଏହା ପୂର୍ବରୁ ସେ ରାୟବରେଲୀ ଲୋକସଭା ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ। ହେଲେ ସେ ୨୦୨୪ରେ ଆଉ ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ସେ ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ। ସୋନିଆ ଜୁନ ୨୦୨୫ରେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଲାଗି ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଗତ କିଛି ବର୍ଷ ହେଲା ସୋନିଆଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଛି। ଏଣୁ କଂଗ୍ରେସରେ ତାଙ୍କର ସକ୍ରିୟତା ମଧ୍ୟ ହ୍ରାସ ହୋଇଛି। ରାଜନୈତିକ ବୈଠକ ଓ ରାଲିମାନଙ୍କରେ ତାଙ୍କ ଉପସ୍ଥିତି ପୂର୍ବାପେକ୍ଷା ହ୍ରାସ ହୋଇଛି। ନିକଟରେ ଶେଷ ହୋଇଥିବା ୫ ଟି ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟ ସେ ସେପରି ସକ୍ରିୟତା ଦେଖାଇ ନଥିଲେ। ତେବେ ଏହି ନିର୍ବାଚନରେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେ ପ୍ରଚାର ଦାୟିତ୍ୱ ତୁଲାଇଥିଲେ।