ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ସୋମବାର କଂଗ୍ରେସ ନେତା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ଅନ୍ୟମାନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆବେଦନ ଉପରେ ଜବାବ ଦେବାକୁ ୩ ସପ୍ତାହ ସମୟ ଦେଇଛନ୍ତି। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ମନୋଜ ଜୈନ କହିଛନ୍ତି ଯେ ଏହି ମାମଲାର ଶୁଣାଣି କୋର୍ଟ ସେପ୍ଟେମ୍ବର ୧୦ ତାରିଖରେ କରିବେ। ତେବେ କୋର୍ଟ କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରତିବାଦୀଙ୍କ ଓକିଲ ଇଡି ଆବେଦନ ଉପରେ ଜବାବ ଦେବା ପାଇଁ ସମୟ ନିବେଦନ କରିଥିଲେ। ହେଲେ ସରକାରଙ୍କ ପକ୍ଷରୁ ହାଜର ସୋଲିସିଟର ଜେନେରାଲ ଏହାକୁ ବିରୋଧ କରିଥିଲେ।

ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଏହି ମାମଲାରେ ନିମ୍ନ କୋର୍ଟ ‘ଭୟାନକ ଭୁଲ’ କରିଛନ୍ତି। ଏହା ଛଡା ପ୍ରତିବାଦୀମାନେ ହାଇକୋର୍ଟଙ୍କ ଦ୍ୱାରା ୨ ମାସ ପୂର୍ବେ ଜବାବ ଦାଖଲ ନିମନ୍ତେ ସମୟ ଦିଆଯିବା ସତ୍ତ୍ୱେ ଏ ବାବଦେ କୌଣସି ପଦକ୍ଷେପ ନେଇ ନାହାନ୍ତି। ମେହେଟ୍ଟା କହିଛନ୍ତି ଯେ ଏହା କେବଳ ଆଇନର ପ୍ରଶ୍ନ। ଜବାବ ଦାଖଲ ଲାଗି ୨ ମାସ ସମୟ ମିଳିଥିଲା। ଜବାବ ଦାଖଲକୁ ନେଇ ଆମେ ଆପତ୍ତି କରିପାରିବୁନି, ଏହା ବିଶୁଦ୍ଧ ରୂପେ ଆଇନର ପ୍ରଶ୍ନ ବୋଲି ସୋଲିସିଟର ଜେନେରାଲ କହିଛନ୍ତି।

ଉଭୟପକ୍ଷଙ୍କ ତର୍କ ଶୁଣିବା ପରେ ହାଇକୋର୍ଟ ପରବର୍ତ୍ତି ଶୁଣାଣି ନିମନ୍ତେ ସେପ୍ଟେମ୍ବର ୧୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ଓ ପ୍ରତିବାଦୀଙ୍କୁ ୩ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୨ ଡିସେମ୍ବର ୨୦୨୫ରେ ଉଚ୍ଚନ୍ୟାୟାଳୟ ଗାନ୍ଧି ପରିବାର ଓ ଅନ୍ୟମାନଙ୍କୁ ମୁଖ୍ୟ ଆବେଦନ ସହିତ ଇଡିର ସେହି ଆବେଦନ ଉପରେ ନୋଟିସ୍ ଜାରି କରିଥିଲେ ଯେଉଁଥିରେ ଡିସେମ୍ବର ୧୬ ତାରିଖରେ ଟ୍ରାୟଲ କୋର୍ଟଙ୍କ ଆଦେଶ ଉପରୋ ରୋକ ଲଗାଇବାକୁ ଦାବି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ମାମଲାରେ ଏଜେନ୍ସୀ ଅଭିଯୋଗର ସଂଜ୍ଞାନ ଆଇନରେ ଅସ୍ୱୀକାର୍ଯ୍ୟ, କାରଣ ଏହା ଏଫଆଇଆର ଉପରେ ଆଧାରିତ ନଥିଲା।

ହାଇକୋର୍ଟ ଗାନ୍ଧି ପରିବାର ବ୍ୟତୀତ ଇଡି ଆବେଦନ ଉପରେ ସୁମନ ଦୁବେ, ସାମ ପିତ୍ରୋଡା, ୟଙ୍ଗ ଇଣ୍ଡିଆନ, ଡୋଟେକ୍ସ ମର୍ଚ୍ଚେଣ୍ଡାଇଜ୍ ପ୍ରାଇଭେଟ ଲିମିଟେଡ ଓ ସୁନୀଲ ଭଣ୍ଡାରୀଙ୍କୁ ମଧ୍ୟ ନୋଟିସ୍ ଜାରି କରିଥିଲେ। ଇଡି ମଧ୍ୟ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ସମେତ କଂଗ୍ରେସର ସୁମନ ଦୁବେ, ସ୍ୟାମ ପିତ୍ରୋଡା ଓ ୟଙ୍ଗ ଇଣ୍ଡିଆ ତଥା ସ୍ୱର୍ଗତ ନେତା ମୋତିଲାଲ ଭୋରା, ଅସ୍କାର ଫର୍ଣ୍ଣାଣ୍ଡିଜଙ୍କ ଉପରେ ଷଡ଼ଯନ୍ତ୍ର ଓ ମନିଲଣ୍ଡ୍ରିଂର ଅଭିଯୋଗ କରିଥିଲା। ଇଡି ଅଭିଯୋଗ କରିଥିଲା ଯେ ଏମାନେ ନ୍ୟାସନାଲ ହେରଲ୍ଡ ପ୍ରକାଶନ କରୁଥିବା ଆସୋସିଏଟେଡ ଜର୍ଣ୍ଣାଲସ ଲିମିଟେଡ (ଏଜେଏଲ) ସମ୍ପର୍କିତ ପାଖାପାଖି ୨୦୦୦ କୋଟି ଟଙ୍କାର ସମ୍ପତ୍ତି ହାସଲ କରିଛନ୍ତି।

ଏଥିରେ ଏହା ବି ଅଭିଯୋଗ ରହିଛି ଯେ ଗାନ୍ଧି ପରିବାର ନିକଟରେ ୟଙ୍ଗ ଇଣ୍ଡିଆନର ୭୬% ସେୟାର ଥିଲା, ଯେଉଁମାନେ ୯୦ କୋଟି ଟଙ୍କା ଋଣ ବଦଳରେ ଏଜେଏଲ ସମ୍ପତ୍ତି ଧୋକାରେ ହାତେଇ ନେଇଛନ୍ତି। ଫେବୃଆରୀ ୧୯ ତାରିଖରେ ସୋଲିସିଟର ଜେନେରାଲ ମେହେଟ୍ଟା ଇଡି ପକ୍ଷରୁ ହାଜର ହୋଇ ତର୍କ ଦେଇଥିଲେ ଯେ ମାମଲା ଆଇନର ଏକ ସ୍ପଷ୍ଟ ପ୍ରଶ୍ନ ସହ ସମ୍ବଦ୍ଧିତ ଓ ନିମ୍ନ କୋର୍ଟ ସଂଜ୍ଞାନ ନେବା ପାଇଁ ଅସ୍ୱୀକାର କରିବା ଲାଗି ଦିଆଯାଇଥିବା କାରଣ ‘ସ୍ପଷ୍ଟ ରୂପେ ବିକୃତ’। ମେହେଟ୍ଟା କହିଛନ୍ତି ଯେ ଏହି ମାମଲାରେ ଆଇନ ଆଧାରରେ ବିତର୍କ ହେବା ଆବଶ୍ୟକ, ତଥ୍ୟ ଆଧାରରେ ନୁହେଁ ଏଥିରେ ନିମ୍ନ କୋର୍ଟଙ୍କ ନିଷ୍କର୍ସ ଅନ୍ୟ ମାମଲାରେ ବାଧା ସୃଷ୍ଟି କରୁଛି।

ନିମ୍ନ କୋର୍ଟ ତାଙ୍କ ଆଦେଶରେ କହିଥିଲେ ଯେ ‘ଧନ ସୋଧନ ନିବାରଣ ଅଧିନିୟମ (ପିଏମଏଲଏ) ଅନୁସୂଚୀରେ ଉଲ୍ଲେଖିତ ଅପରାଧରେ ଏଫଆଇଆର ନଥିବାରୁ ଧନସୋଧନ ଅପରାଧ ସମ୍ପର୍କିତ ଯାଞ୍ଚ ଓ ଏହାର ପରିଣାମ ସ୍ୱରୂପ ପ୍ରସିକ୍ୟୁସନ କମ୍ପ୍ଲିଆଣ୍ଟ (ଅଭିଯୋଗପତ୍ର ଓ ସମକକ୍ଷ)ରକ୍ଷଣାବେକ୍ଷଣ ଯୋଗ୍ୟନୁହେଁ’। ଏଥିରେ କୁହାଯାଇଥିଲା ଯେ ଏଜେନ୍ସୀର ଯାଞ୍ଚ ଏକ ବ୍ୟକ୍ତିଗତ ଅଭିଯୋଗ ଆଧାରରେ ହୋଇଥିଲା, ଏଫଆଇଆଧାରରେ ନୁହେଁ।