ବାରିପଦା: ଜନ୍ମକଲା ମାଆକୁ ତଣ୍ଟି ଚିପି ମାରିଦେଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ସଦରଥାନା ବରଜପୁର ଗ୍ରାମରେ । ଗାଁର କୁଇଁଆ ସିଂ (୧୯) ନିଜ ମାଆକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ।

ସୂଚନା ଅନୁସାରେ, ସ୍ବାମୀଙ୍କ ମୃତ୍ୟୁ ପରେ ଗାଁର ଶ୍ରୀମତୀ ସିଂ ନିଜ ୪ ପୁଅ ଓ ୨ ଝିଅଙ୍କୁ ଚଳୁଥିଲେ। ତେବେ ଦୁଇ ଝିଅଙ୍କ ବିବାହ ପରେ ଶ୍ରୀମତୀ ଓ ୪ ପୁଅ ଚେନ୍ନାଇ ଯାଇ ସେଠାରେ କାମ କରୁଥିଲେ। ନିକଟରେ ଶ୍ରୀମତୀ ଓ ଦ୍ବିତୀୟ ପୁଅ କୁଇଁଆ ଗାଁକୁ ଆସିଥିଲେ । କିନ୍ତୁ ଗୁରୁବାର ରାତିରେ ମାଆ- ପୁଅ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା।

Also Read: 

ଏଥିରେ ସମ୍ଭବତଃ ମାଆର ତଣ୍ଟି ଚିପି ଦେବାରୁ ସେ ସେହିଠାରେ ଟଳିପଡ଼ିଥିଲେ । ତେବେ ସକାଳେ ପଡ଼ୋଶୀଙ୍କ ଠାରୁ ଖବର ପାଇ ବାରିପଦା ସଦର ଏସଡିପିଓ ପ୍ରଭାତ ମଲ୍ଲିକ ସାଇଣ୍ଟିଫିକ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପୂର୍ବକ ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ କୁଇଁଆକୁ ଗିରଫ କରିଛନ୍ତି । ମୃତ ଶ୍ରୀମତୀଙ୍କ ବେକରେ ଦାଗ ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ଏସଡିପିଓ।