ପୁଣେ: ମହାରାଷ୍ଟ୍ରର ପୁଣେ ସ୍ଥିତ ଲୋହାଗଡ଼ ଦୁର୍ଗ ହତ୍ୟାକାଣ୍ଡ ମାମଲାରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିଜର ଭାବି ସ୍ବାମୀ କେତନ ଅଗ୍ରୱାଲଙ୍କୁ ଦୁର୍ଗରୁ ଠେଲି ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲଙ୍କ ପରିବାର ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛି । ସିୟାଙ୍କ ମା’ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଯଦି ସିୟା ଦୋଷୀ ପ୍ରମାଣିତ ହୁଏ, ତେବେ ତାକୁ ଫାଶୀ ଦଣ୍ଡ ମିଳିବା ଉଚିତ୍।

ଏହି ଜଘନ୍ୟ ହତ୍ୟାକାଣ୍ଡ ପଦାକୁ ଆସିବା ପରେ ସିୟାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି । ଗଣମାଧ୍ୟମ ସଂସ୍ଥା 'ନ୍ୟୁଜ୍‌ଡଟ୍‌ଜ'କୁ ପ୍ରତିକ୍ରିୟା ଦେଇ ସିୟାଙ୍କ ମା’ କହିଛନ୍ତି, ‘ଯଦି ସେ (ସିୟା) ପ୍ରକୃତରେ ଦୋଷୀ, ତେବେ ତାକୁ କଠୋରରୁ କଠୋର ଦଣ୍ଡ ମିଳିବା ଦରକାର। ଯଦି ସେ ଦୋଷ କରିଛି, ତେବେ ତାକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ; ଆଉ ଏକଥା ଜଣେ ମା’ ନିଜ ମୁହଁରେ କହୁଛି।’

ସିୟାଙ୍କ ପିତା ପ୍ରବୀଣ ଗୋୟଲ ମଧ୍ୟ ସମାନ କଥା କହିଛନ୍ତି । ଏହି ମାମଲାରେ ଯିଏ ବି ଦୋଷୀ, ସେ ନିଜ ଝିଅ ହେଲେ ମଧ୍ୟ ପ୍ରଶାସନ ତାକୁ ଫାଶୀ ଦେବା ଉଚିତ୍। ସେ କୌଣସି ପ୍ରକାରର ଅପରାଧକୁ ପ୍ରଶୟ ଦେବେ ନାହିଁ ବୋଲି ସେ କହିଛନ୍ତି।

ଝିଅର ଏଭଳି କଳାକାରନାମା ଏବଂ ସାମାଜିକ ଅପମାନ ସହିନପାରି ସିୟାଙ୍କ ପିତା ପ୍ରବୀଣ ଗୋୟଲ ହୃଦ୍‌ଘାତର ଶିକାର ହୋଇଛନ୍ତି। ବର୍ତ୍ତମାନ ସେ ପୁଣେର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହସ୍ପିଟାଲରେ ପିତାମାତାଙ୍କ ଦେଖାଶୁଣା କରିବା ପାଇଁ ସିୟାଙ୍କ ଭାଇ ଅଛନ୍ତି। ଅନ୍ୟପକ୍ଷରେ, ପୁଣେର ମାର୍କେଟ୍ ୟାର୍ଡ ଅଞ୍ଚଳରେ ଥିବା ସେମାନଙ୍କ ବାସଭବନ 'ଲୀଲା କୁଞ୍ଜ'ରେ ବର୍ତ୍ତମାନ ତାଲା ପଡ଼ିଥିବା ଦେଖିବାକୁ ମିଳିଛି।

ପୋଲିସ ସୂଚନା ଅନୁଯାୟୀ, ଜୁନ୍ ୧୮ ତାରିଖ ସକାଳେ ସିୟା ଗୋୟଲ ନିଜ ପ୍ରେମିକ ଚେତନ ବାବୁଲାଲ ଚୌଧୁରୀଙ୍କ ସହ ପୁଣେର ଏକ କାଫେରେ ଭେଟ ହୋଇ ହତ୍ୟାର ସମ୍ପୂର୍ଣ୍ଣ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏହାପରେ କେତନ ଅଗ୍ରୱାଲଙ୍କୁ ଟ୍ରେକିଂ ବାହାନାରେ ଲୋହାଗଡ଼ ଦୁର୍ଗକୁ ନିଆଯାଇଥିଲା।

ସେଠାରେ ସିୟା ଓ ଚେତନ ମିଶି କେତନଙ୍କୁ ପାହାଡ଼ ଉପରୁ ତଳକୁ ଠେଲି ଦେଇଥିଲେ, ଫଳରେ ଗଭୀର ଖାତରେ ପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଦର୍ଶାଇବାକୁ ଚେଷ୍ଟା କରାଯାଇଥିଲା, ମାତ୍ର ପୋଲିସ ଏହାର ପର୍ଦ୍ଦାଫାଶ କରି ଉଭୟଙ୍କ ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରି ଗିରଫ କରିଛି।