ଅଯୋଧ୍ୟା : ରାମ ମନ୍ଦିର କଥିତ ଦାନ ଚୋରି ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପିଛିଲା ୫ ବର୍ଷର ଖାତାକୁ ପୁଣି ଅଡିଟ କରିବ। କାରଣ ପ୍ରାରମ୍ଭିତ ତଦନ୍ତ କାଳରେ ଏଥିରେ ବ୍ୟାପକ ଆର୍ଥିକ ଗଡ଼ବଡିର ସଂକେତ ମିଳିଛି ବୋଲି ସୂତ୍ରରୁ ଶୁକ୍ରବାର ଏହି ସୂଚନା ମିଳିଛି। ସୂତ୍ର ଅନୁସାରେ ପୁନଃ ଅଡିଟରେ ମନ୍ଦିର ନିର୍ମାଣ ସମ୍ପର୍କିତ ବ୍ୟୟ ସମେତ ଦାନ ରୂପେ ମିଳିଥିବା ସୁନା ଓ ରୂପା ଆଦି ଅନ୍ୟ ବସ୍ତୁକୁ ମଧ୍ୟ ସାମିଲ କରାଯିବ। ପ୍ରାରମ୍ଭିକ ତଦନ୍ତ କାଳରେ ସାମ୍ନାକୁ ଆସିଥିବା କଥିତ ଚୋରି ପ୍ରମାଣ ପରେ ଏସଆଇଟି ପୁରା ୫ ବର୍ଷର ଟ୍ରଷ୍ଟର ଆର୍ଥିକ ରେକର୍ଡକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ।

ଏହିକ୍ରମରେ ଏସଆଇଟି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ର ସାଧାରଣ ସମ୍ପାଦକ ଚମ୍ପତ ରାୟ, ଟ୍ରଷ୍ଟି ଅନିଲ ମିଶ୍ର ଓ ମନ୍ଦିର ନିର୍ମାଣ ଏବଂ ପ୍ରବନ୍ଧନ ସହ ସମ୍ପୃକ୍ତ ଗୋପାଲ ରାଓଙ୍କୁ ପଚରା ଉଚରା କରିଛି। ରାୟ ଓ ମିଶ୍ର ନିଜନିଜ ପଦରୁ ଇସ୍ତଫା ଦେଇଛନ୍ତି ଓ ଜୁଲାଇ ୬ ତାରିଖରେ ହେବାକୁ ଥିବା ବୈଠକରେ ସେମାନଙ୍କ ଉପରେ ନିଷ୍ପତ୍ତି ନିଆଯିବାର ଅନୁମାନ କରାଯାଉଛି। ସେହିପରି ପୋଲିସ ଯାଞ୍ଚରେ ପାଖାପାଖି ୧୧ ଗ୍ରାମ ସୁନା, ପାଖାପାଖି ୩୭୫ ଗ୍ରାମ ରୁପା ଓ ୧,୧୨୧ ଆମେରିକୀୟ ଡଲାର ମଧ୍ୟ ଜବତ କରିଛି। କୁହାଯାଉଛି ତଦନ୍ତକାରୀ ଅଯୋଧ୍ୟାର ଏକ ଯୋଗ କେନ୍ଦ୍ରରୁ ପେଟିଏମ କ୍ୟୁଆର କୋଡ୍ ର ‘ରାମ ରାଜ୍ୟ କୋଷ’ ଲେବୁଲ ଲଗା ଏକ ଦାନବାକ୍ସ ଜବତ କରିଛନ୍ତି। ଏହି ଦାନ ବାକ୍ସ ସେହିଠାରୁ ଜବତ ହୋଇଛି ଯେଉଁଠି ଅବିନାଶ ଶୁକ୍ଲା ଦୀର୍ଘ ଏକ ଦଶନ୍ଧୀ ଧରି ରହି ଆସୁଥିଲା।

କଥିତ ରାମ ମନ୍ଦିର ଦାନ ଚୋରି ମାମଲା ଜୁନ ୭ ତାରିଖରେ ସାମ୍ନାକୁ ଆସିଥିଲା। ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟିର ପ୍ରାରମ୍ଭିକ ରିପୋର୍ଟ ଆଧାରରେ ଜୁନ ୨୫ ତାରିଖ ଦିନ ଏକ ଏଫଆଇଆର ରୁଜୁ ହୋଇଥିଲା। ମନ୍ଦିରର ଦାନ ଗଣନା ପ୍ରକ୍ରିୟା ସହ ସମ୍ପୃକ୍ତ ୮ ଜଣ ଲୋକଙ୍କୁ ଗିରଫ କରାଯାଇଛି। ମାମଲାରେ ଅଧିକ ଯାଞ୍ଚ ଜାରି ରହିଛି। ଅନ୍ୟଏକ ଘଟଣାକ୍ରମରେ ଦାନ ଚୋରି ମୁଖ୍ୟ ଅଭିଯୁକ୍ତ ଅବିନାଶ ଶୁକ୍ଳ ବିରୋଧରେ ପୋଲିସ ତଦନ୍ତ ତ୍ୱରାନ୍ୱିତ ହୋଇଛି। ଅବିନାସ ଶୁକ୍ଲା ଠାରୁ ସର୍ବାଧିକ ୨୦ ଲକ୍ଷ ଟଙ୍କା ପୋଲିସ ଜବତ କରିଥିଲା।