ମୁମ୍ବାଇ ୨୬।୧୨: ରୂପା ଦର ଏବେ ନିବେଶକ ଓ କ୍ରେତାଙ୍କୁ ତାଜୁବ କରିଛି। ଡିସେମ୍ବର ୨୫ ତାରିଖ ଦିନ ରୂପା ଦରରେ ବ୍ୟାପକ ବୃଦ୍ଧି ଦେଖାଯାଇଛି। ଏହି ଦିନକରେ କେଜି ପିଛା ଦର ପାଖାପାଖି ୯୦୦୦ ଟଙ୍କା ବଢି ଯାଇଛି। ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ରୂପା ଦର ନୂଆ ରେକର୍ଡ କାୟମ କରିଛି। ଏହି ସମୟରେ ଦେଶର ବଡ଼ ବଡ଼ ସହରାଞ୍ଚଳରେ କେଜି ପିଛା ଦର ୨ଲକ୍ଷ ୩୨ ହଜାର ଟଙ୍କାରେ କାରବାର ହୋଇଥିବା ଜଣାପଡିଛି।

ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ରୂପା ଦରରେ ୪% ବୃଦ୍ଧି ଦେଖାଯାଇଛି। ଏଣୁ କେଜି ପିଛା ଦର ୨ଲକ୍ଷ ୩୨ ହଜାର ୨୦୦ ଟଙ୍କାକୁ ପହଞ୍ଚି ଯାଇଛି। ପୂର୍ବାହ୍ନ ୯ଟା ବାଜି ୧୦ ମିନିଟ୍ ରେ ନୂଆ ରୂପା ଦର ଜାରି ହେବା ପରେ ବଜାରରେ ହଇଚଇ ସୃଷ୍ଟି ହୋଇଛି। କେବଳ ଘରୋଇ ବଜାର ନୁହେଁ ଅନ୍ତର୍ଜାତୀୟ ବଜାରରେ ରୂପା ଦର ଏବେ ରାଲି କରୁଛି। ସ୍ପଟ ସିଲଭର ଦର ପ୍ରତି ଟ୍ରୟ ଆଉନ୍ସ ୭୪.୫୬ ଡଲାରକୁ ପହଞ୍ଚି ଯାଇଛି। କେବଳ ଏତିକି ନୁହେଁ କିଛି ସମୟ ଲାଗି ୭୫.୧୪ ଡଲାରର ଅଲଟାଇମ ହାଇ ସ୍ତରକୁ ମଧ୍ୟ ଛୁଇଁଥିଲା। ୨୦୨୫ ମସିହାରେ ଏ ପର୍ଯ୍ୟନ୍ତ ରୂପା ୧୫୮% ମଜଭୁତ ହୋଇଛି, ଯାହା ସୁନାର ୭୨% ବୃଦ୍ଧି ଠାରୁ ବି ବହୁତ ଅଧିକ।

ରୂପାର ଏପରି ଦର ବୃଦ୍ଧି ପଛରେ ମଜଭୁତ ଔଦ୍ୟୋଗିକ ଚାହିଦା ମଧ୍ୟ ଏକ କାରଣ। ଇଲେକ୍ଟ୍ରିକ୍ ଭେଇକଲ, ସୋଲାର ଏନର୍ଜୀ, ସେମି କଣ୍ଡକ୍ଟର ଓ ଡାଟା ସେଣ୍ଟର ଭଳି ନୂଆ ଯୁଗର ସେକ୍ଟରରେ ରୂପା ଖର୍ଚ୍ଚ ବଢି ଯାଇଛି। ଅନ୍ୟପଟେ ରୂପା ଯୋଗାଣ କମ ଯୋଗୁ ଏପରି ଦରବୃଦ୍ଧି ହେଉଛି। ସିଲଭର ଇନିଷ୍ଟିଚ୍ୟୁଟ ରିପୋର୍ଟ ଅନୁସାରେ ଅନେକ ବର୍ଷରୁ ରୂପା ବଜାର ଡେଫିସିଟର ସାମ୍ନା କରିଆସୁଛି। ଏଣୁ ଦର ଉପରେ ଚାପ ରହିଛି। ଏଥିରେ ଏକ୍ସପର୍ଟଙ୍କ କହିବା କଥା ହେଉଛି ଯଦି ଅନ୍ତର୍ଜାତୀୟ ବଜାରରେ ଚାହିଦା ଏଇଭଳି ରହେ ଓ ସପ୍ଲାଇ ପରିସ୍ଥିତିରେ ସୁଧାର ନ ଆସେ ଆଗାମୀ ଦିନମାନଙ୍କରେ ରୂପା ଦର ଆହୁରି ବଢିପାରେ। ଦର ବୃଦ୍ଧି ହେଲେ ଲାଭ ଆଦାୟର ମଧ୍ୟ ସମ୍ଭାବନା ରହିଛି।