ଭୁବନେଶ୍ବର ୨।୧୨: ଏଏସ୍‌ଓ ପରୀକ୍ଷା ଅନିୟମିତତା ପ୍ରସଙ୍ଗରେ କଳା ତାଲିକାଭୁକ୍ତ ହୋଇଛି ସିଲିକନ୍ ଟେକ୍ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡ୍ । ଏହି ସଂସ୍ଥାକୁ ୫ ବର୍ଷ ପର୍ଯ୍ୟନ୍ତ କଳା ତାଲିକାଭୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୫ ମେ’ ଚୁକ୍ତି ଅନୁଯାୟୀ ଏହି ସଂସ୍ଥାକୁ ପରୀକ୍ଷା ପରିଚାଳନା ପାଇଁ ଅନୁମତି ମିଳିଥିଲା । ଚଳିତ ବର୍ଷ ଜୁଲାଇ ମାସରେ ଏଏସଓ ପଦବୀ ପାଇଁ ଏହିଠାରେ ମୁଖ୍ୟ ଲିଖିତ ପରୀକ୍ଷା କରାଯାଇଥିଲା । ତେବେ ସଂସ୍ଥା ବିରୁଦ୍ଧରେ ଗୋପନୀୟତା ଭଙ୍ଗ କରିବାର ଅଭିଯୋଗ ହୋଇଛି । ଯାହା ପ୍ରମାଣିତ ହେବା ପରେ ଏହାକୁ ୫ ବର୍ଷ ପାଇଁ କଳା ତାଲିକାଭୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ସ୍କାମ୍‌ରେ ସାମ୍ନାକୁ ଆସିବା ପରେ ସିଲିକନ୍‌ ଟେକ୍‌ ସହ ସମସ୍ତ ଚୁକ୍ତି ବାତିଲ କରିଥିଲେ ରାଜ୍ୟ ସରକାର । ସିଲିକନ୍‌ ଟେକ୍‌ ମାଲିକ ସୁରେଶ ନାୟକ ପୂର୍ବରୁ ଗିରଫ ହୋଇଛନ୍ତି । ନଭେମ୍ବର ୧୨ ତାରିଖରେ, ହାଇକୋର୍ଟ ପରୀକ୍ଷାର ନିରପେକ୍ଷତା ଉପରେ ଗମ୍ଭୀର ସନ୍ଦେହ ପ୍ରକାଶ କରି ଜୁଲାଇ ୧୩ ତାରିଖରେ କମ୍ପାନୀ ଦ୍ୱାରା ପରିଚାଳିତ ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ କରିଦେଇଥିଲେ । ଏସଆଇ ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତି ଥିବା ଅଭିଯୋଗରେ କମ୍ପାନୀର ମାଲିକ ସୁରେଶ ନାୟକଙ୍କୁ ନଭେମ୍ବର ୩ ତାରିଖରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।