ଅମୃତସର: ପ୍ରସିଦ୍ଧ କମେଡିଆନ କପିଲ ଶର୍ମାଙ୍କ ଅମୃତସରସ୍ଥିତ ବାସଭବନ ବାହାରେ ଫାୟରିଂ ହୋଇଛି। କୁହାଯାଉଛି ରବିବାର ବିଳମ୍ବିତ ରାତ୍ରିରେ ବାଇକ ସବାର କିଛି ଦୁର୍ବୃତ୍ତ କପିଲ ଶର୍ମାଙ୍କ ଘର ବାହାରେ ଗୁଳି ଚଳାଇଛନ୍ତି। ଘଟଣା ସମୟରେ କପିଲ ଶର୍ମାଙ୍କ ପରିବାର ଘର ଭିତରେ ଥିଲେ। ତେବେ ସୁଟିଂ ପାଇଁ କପିଲ ଏବେ ମୁମ୍ବାଇରେ ରହୁଥିବା ଜଣାପଡିଛି। କପିଲ ଶର୍ମାଙ୍କ ଘର ଅମୃତସର ହୋଲି ସିଟିରେ ରହିଛି।

ଗୁଳିକାଣ୍ଡ ସୂଚନା ମିଳିବାମାତ୍ରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିବା ବେଳେ ସ୍ଥାନୀୟ ଅଞ୍ଚଳର ସୁରକ୍ଷା କଡ଼ାକଡ଼ି କରାଯାଇଛି। ଗୁଳିକାଣ୍ଡ ପରେ ପୋଲିସ କପିଲ ଶର୍ମାଙ୍କ ଘର ଓ ଆଖପାଖ ଘରର ସିସିଟିଭି କ୍ୟାମେରା ଫୁଟେଜ ସଂଗ୍ରହ କରିଛି। ପୋଲିସ ଏବେ ଗୁଳିକାଣ୍ଡରେ ସାମିଲ ଲୋକଙ୍କ ଯିବା ଆସିବା ରୁଟ ଓ ସେମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି। ମାମଲାରେ ସୁରକ୍ଷା ଗାର୍ଡ ଓ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପୋଲିସ ପଚରା ଉଚରା କରିଛି। ପୋଲିସ ଅନୁସାରେ ଏବେ ପର୍ଯ୍ୟନ୍ତ ଗୁଳିକାଣ୍ଡ କରିଥିବା ଲୋକଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇ ନାହିଁ। ଏହା ଛଡା ଏହି ଘଟଣା ଧମକ, ବଟି ଆଦାୟ ଅଥବା ପୁରୁଣା ଶତ୍ରୁତା କାରଣରୁ ହୋଇ ନାହିଁତ ତାହା ମଧ୍ୟ ପୋଲିସ ତଦନ୍ତ କରୁଛି।

ଘଟଣା ସମୟରେ କପିଲ ଶର୍ମା ଓ ତାଙ୍କ ପରିବାର ମୁମ୍ବାଇରେ ଥିଲେ। ଏଣୁ ଘଟଣା ବେଳେ ଘରେ କିଏ ସବୁ ଥିଲେ ତାହା ଜାଣିବା ପାଇଁ ପୋଲିସ ଉଦ୍ୟମ କରୁଛି। ଏହାପୂର୍ବରୁ କାନାଡାର ସରେ ସହରରେ ନୂଆକରି ଖୋଲିଥିବା କପିଲ ଶର୍ମାଙ୍କ ‘କାପସ୍ କାଫେ’ ଉପରେ ଗୁଳିମାଡ଼ ହୋଇଥିଲା। ଏହି ଗୁଳିକାଣ୍ଡ ଘଟଣା ପାଇଁ କେତେକ ଖାଲିସ୍ତାନୀ ସମର୍ଥକ ସଙ୍ଗଠନ ନିଜକୁ ଦାୟି କରିଥିଲେ। ଏଥିରେ ଅମୃତସରସ୍ଥିତ କପିଲ ଶର୍ମାଙ୍କ ଘର ଆଗରେ ହୋଇଥିବା ଗୁଳିକାଣ୍ଡକୁ ନେଇ ପୋଲିସ ଅନ୍ତର୍ଜାତୀୟ କନେକ୍ସନ ଓ ପୁରୁଣା ଧମକ ଦୃଷ୍ଟିକୋଣରୁ ମଧ୍ୟ ଯାଞ୍ଚ କରୁଛି।

ତେବେ ଘଟଣା ପରେ ହୋଲିସିଟି ଅଞ୍ଚଳର ସୁରକ୍ଷା ବଢାଇ ଦିଆଯାଇଛି। ପୋଲିସ ଟିମ୍ ଲଗାତାର ଆଖାପାଖର ଲୋକଙ୍କୁ ପଚରା ଉଚରା କରୁଛି। ଅଧିକାରୀ କହିଛନ୍ତି ଯେ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ କରାଯିବ।