​​​​​​​ଫ୍ରାନ୍ସ: ସାରା ୟୁରୋପରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ଯାହା ଫ୍ରାନ୍ସକୁ ସବୁଠାରୁ ଅଧିକ ପ୍ରଭାବିତ କରିଛି। ଏହି ଭୀଷଣ ଗରମରୁ ରକ୍ଷା ପାଇବା ପାଇଁ ଫ୍ରାନ୍ସର ଲୋକେ ଆପ୍ରାଣା ଚେଷ୍ଟା କରୁଛନ୍ତି।  ଏହାରି ଭିତରେ ଫ୍ରାନ୍ସର ଚାମ୍ବେରୀ (Chambery) ସହରରେ ଥିବା ଏକ ଦୋକାନରେ ଏୟାର କଣ୍ଡିସନର (AC) କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଚାଲିଥିବା ଧସ୍ତାଧସ୍ତିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।

ଦୋକାନରେ ଅଭାବନୀୟ ଦୃଶ୍ୟ

ଚାମ୍ବେରୀ ସହରରେ ଥିବା ଏକ ଏସି ଦୋକାନ ଖୋଲିବା ମାତ୍ରେ ଗ୍ରାହକମାନେ ଦୋକାନ ଭିତରକୁ ଅତର୍ଛ ଫସିଯାଇଥିଲେ। କାଳେ ଦୋକାନରେ ଏସି ସରିଯିବ, ତେଣୁ ଆଗ କିଣିନେଲେ କଥା ସରିଲା। ଏଥିପାଇଁ ଯିଏ ଯେମିତି ପାରିଲେ ଦୋକାନ ଭିତରକୁ ଠେଲିପେଲି ପଶିଯାଇଥିଲେ। ଏୟାର କଣ୍ଡିସନର ଏବଂ କୁଲର ସେକ୍ସନରେ ପହଞ୍ଚିବା ପାଇଁ ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଗରମରୁ ବର୍ତ୍ତିବା ପାଇଁ ଲୋକେ ଏପରି ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ଯେ, ଦୋକାନ ଭିତରେ ଏକ ଅରାଜକତା ସୃଷ୍ଟି ହୋଇଥିଲା। ଫ୍ରାନ୍ସ ଭଳି ଦେଶରେ ଗରମ ପାଇଁ ଏଭଳି ଦୃଶ୍ୟ ଦେଖିବା ବେଶ୍ ବିରଳ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

କାହିଁକି ଏତେ ଗରମ?

ପାଣିପାଗ ବିଜ୍ଞାନୀଙ୍କ ମତରେ, ଏହି ଚରମ ତାପମାତ୍ରା ପାଇଁ 'ହିଟ୍ ଡୋମ୍' (heat dome) ଦାୟୀ। ଏହା ଏକ ପ୍ରକାର ଉଚ୍ଚ ଚାପ ବଳୟ ଯାହା ଗରମ ପବନକୁ ଚାରିପଟୁ ବନ୍ଦ କରି ରଖେ, ଫଳରେ ସଫା ଆକାଶ ସହିତ ପ୍ରଖର ସୂର୍ଯ୍ୟକିରଣ ପଡ଼ି ଦୀର୍ଘ ସମୟ ପର୍ଯ୍ୟନ୍ତ ଗରମ ଅନୁଭୂତ ହୁଏ।

ସେପଟେ ସାରା ବିଶ୍ୱରେ ତାପମାତ୍ରା ବଢ଼ିବାରେ ଲାଗିଛି। ଏହି ସପ୍ତାହରେ ରାଜଧାନୀ ପ୍ୟାରିସ୍‌ରେ ୪୦° ସେଲସିୟସରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ଫ୍ରାନ୍ସର ଜାତୀୟ ହାରାହାରି ତାପମାତ୍ରା ଏହି ସପ୍ତାହରେ ୨୯.୮°C ରେ ପହଞ୍ଚିଛି, ଯାହା ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି। କେବଳ ଫ୍ରାନ୍ସ ନୁହେଁ, ଇଟାଲୀ ଏବଂ ସ୍ପେନର ବିଭିନ୍ନ ଅଞ୍ଚଳରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ଯାହା ସେଠାକାର ଲୋକଙ୍କ ପାଇଁ ଏକ ଅସାଧାରଣ ପରିସ୍ଥିତି ସୃଷ୍ଟି କରିଛି। ଏହି ପ୍ରବଳ ଗରମ ଯୋଗୁ କୋଟି କୋଟି ଲୋକଙ୍କ ସ୍ୱାସ୍ଥ୍ୟ ବିପଦରେ ଥିବାବେଳେ ପ୍ରଶାସନ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଏସି ପାଇଁ ରାଜନୀତି

ଫ୍ରାନ୍ସରେ ବଢ଼ୁଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦେଶରେ 'ଏୟାର କଣ୍ଡିସନିଂ' ବ୍ୟବହାରକୁ ନେଇ ଏକ ନୂଆ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ବର୍ତ୍ତମାନ ଫ୍ରାନ୍ସର ମାତ୍ର ୨୫% ଘରେ ଏସି ରହିଛି, ଯାହାକି ଆମେରିକା ବା ଜାପାନ (୯୦%) ତୁଳନାରେ ବହୁତ କମ୍। ଅତ୍ୟଧିକ ତାପମାତ୍ରା ଯୋଗୁ ହଜାର ହଜାର ସ୍କୁଲ ବନ୍ଦ ରହିବା ଏବଂ ଡାକ୍ତରଖାନାରେ ପରିସ୍ଥିତି ଅସମ୍ଭାଳ ହେବାରୁ ଏବେ ଏହି ବିଷୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ପୂର୍ବରୁ ପରିବେଶବିତମାନେ ଏସି ବ୍ୟବହାରକୁ ପରିବେଶ ପାଇଁ କ୍ଷତିକାରକ ବୋଲି ବିରୋଧ କରୁଥିଲେ। ସେମାନଙ୍କ ମତରେ ଏସିରୁ ନିର୍ଗତ ଗ୍ୟାସ୍, ବିଦ୍ୟୁତ୍ ବ୍ୟବହାର ଏବଂ ବାହାରକୁ ଆସୁଥିବା ଗରମ ପବନ ସହରର ତାପମାତ୍ରାକୁ ଆହୁରି ବଢ଼ାଇଥାଏ। କିନ୍ତୁ ଏବେ ସ୍ଥିତି ବଦଳିଛି। ଗ୍ରୀନ୍ ପାର୍ଟିର ନେତା ମାରିନ୍ ଟୋଣ୍ଡେଲିୟର୍ ମଧ୍ୟ ସ୍ୱୀକାର କରିଛନ୍ତି ଯେ ସ୍କୁଲ ଓ ଡାକ୍ତରଖାନାରେ ଏସି ଏବେ ଅପରିହାର୍ଯ୍ୟ।

ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଏହାକୁ ନେଇ ମତଭେଦ ଦେଖାଦେଇଛି। ଦକ୍ଷିଣପନ୍ଥୀ ନେତ୍ରୀ ମାରିନ୍ ଲେ ପେନ୍ ସ୍କୁଲ ଓ ଡାକ୍ତରଖାନାରେ ଏସି ଲଗାଇବା ପାଇଁ ଏକ ଦେଶବ୍ୟାପୀ ଯୋଜନା  ଏବଂ ଘରୋଇ ଉପଭୋକ୍ତାଙ୍କ ପାଇଁ ବଡ଼ ଆର୍ଥିକ ସହାୟତାର ପ୍ରସ୍ତାବ ଦେଇଛନ୍ତି। ତେବେ ସମାଲୋଚକମାନେ ଏହାକୁ ଏକ ସୁଯୋଗବାଦୀ ପଦକ୍ଷେପ ବୋଲି କହୁଛନ୍ତି। ଉଭୟ ରାଜନୈତିକ ଓ ପରିବେଶଗତ ସମସ୍ୟା ସତ୍ତ୍ୱେ, ବଢ଼ୁଥିବା ତାପମାତ୍ରାରୁ ବଞ୍ଚିବା ପାଇଁ ଫ୍ରାନ୍ସ ପାଇଁ ଅଧିକ ଏସି ବ୍ୟବହାର ଏକ ଅନିବାର୍ଯ୍ୟ ପଦକ୍ଷେପ ହୋଇପଡ଼ିଛି।