ପୁରୀ ୩।୧୦: ଶାରଦୀୟ ଦୁର୍ଗାପୂଜା ପାଇଁ ଆଜିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପାରମ୍ପରିକ ପ୍ରସ୍ତୁତି। ପରମ୍ପରା ଅନୁସାରେ ମୂଳାଷ୍ଟମୀ ଅବସରରେ ଗଜପତିଙ୍କ ଶ୍ରୀନହରରୁ ଆଜି ଷୋଳପୂଜାର ବିଧି ଆରମ୍ଭ ହୋଇଛି। ଶ୍ରୀକ୍ଷେତ୍ରରେ ଥିବା ସବୁ ଶକ୍ତି ପୀଠରେ ଏହି ଷୋଳପୂଜା ପାଇଁ ଆଚାର୍ଯ୍ୟ ବରଣ କାର୍ଯ୍ୟ କରାଯାଇଛି। ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ରାଜଗୁରୁ ଆଜି ସ୍ତ୍ରୋତ୍ରୀୟ ବ୍ରାହ୍ମଣ, ମୁକ୍ତିମଣ୍ଡପ ବ୍ରାହ୍ମଣ ଏବଂ ଶାସନ ବ୍ରାହ୍ମଣଙ୍କୁ ଡାକି ବରଣ କରିବା ସହ ବସ୍ତ୍ର ଦାନ କରି ବିଭିନ୍ନ ପୀଠରେ ନିଯୁକ୍ତି କରିଛନ୍ତି। ଏହି ଆଚାର୍ଯ୍ୟ ମାନେ ଆଜିଠାରୁ ଷୋଳପୂଜାର ବିଧି ଅନୁସାରେ ପୁରୀରେ ଥିବା ଶକ୍ତିପୀଠ ଗୁଡ଼ିକରେ ଚଣ୍ତିପାଠ, ଦୁର୍ଗା ଆରାଧନା ପ୍ରଭୃତି କରିବେ। ଆଶ୍ବୀନ ମାସ କୃଷ୍ଣପକ୍ଷ ଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଏହି ପୂଜାର୍ଚ୍ଚନା କରାଯିବାର ପରମ୍ପରା ଅଛି।

ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ମା' ବିମଳାଙ୍କ ପୀଠରେ ଷୋଡ଼ଶ ପୂଜାବିଧି ଆରମ୍ଭ ହୋଇଛି । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଭୁବନେଶ୍ୱରୀ, ବାଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ ଦକ୍ଷିଣକାଳୀ, ଅଲାମଚଣ୍ତୀ ଓ ପଞ୍ଚମୁଖୀ ପୀଠରେ ମଧ୍ୟ ଷୋଳପୂଜା ଆରମ୍ଭ ହୋଇଛି । ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ଭଣ୍ଡାର ଘରୁ ମା' ଦୁର୍ଗାଙ୍କ ସ୍ବର୍ଣ୍ଣ ପ୍ରତିମା ରତ୍ନ ସିଂହାସନରେ ବିଜେ ହୋଇଥାଏ । ପରେ ମା' ସୁଭଦ୍ରାଙ୍କ ଆଜ୍ଞାମାଳ ଦୁର୍ଗାଙ୍କୁ ଲାଗି କରାଯିବା ପରେ ମାଜଣା ମଣ୍ଡପରେ ଠାକୁରାଣୀଙ୍କ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହୋଇଥାଏ।

ଶାରଦୀୟ ପୂଜାପାଇଁ ଶ୍ରୀକ୍ଷେତ୍ରରେ ଏବେଠାରୁ ପୂଜାବିଧି ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିରରେ ବିଶେଷ କରି ଏହି ସମୟରେ ଦୁର୍ଗାମାଧବ ଉପାସନା ସହ ଗୁପ୍ତ ଗୁଣ୍ତିଚାର ବିଧି ମଧ୍ୟ ଆରମ୍ଭ କରାଯିବ ।