ନୂଆଦିଲ୍ଲୀ: ଫ୍ଲାଏ ଦୁବାଇ ଫ୍ଲାଇଟ୍ ରେ କୋ-ପାଇଲଟଙ୍କ ଆକ୍ରମଣରେ ଗୁରୁତର ଆହତ ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ହେଉଛି। ଭାରତର ବୈଦେଶିକ ମନ୍ତ୍ରାଳୟ ଓ ୟୁଏଇସ୍ଥିତ ଭାରତୀୟ ଦୂତାବାସ ଶନିବାର ଏହି ସୂଚନା ଦେଇଛନ୍ତି। ଏହି ସୂଚନାରେ କ୍ୟାପ୍ଟେନ ମଚ୍ଛରଙ୍କୁ ‘ଉତ୍କୃଷ୍ଟ ଚିକିତ୍ସକୀୟ ସେବା’ ମିଳୁଥିବା ତଥା ମନ୍ତ୍ରାଳୟ ତାଙ୍କ ପରିବାର ଓ ସ୍ଥାନୀୟ ଅଧିକାରୀଙ୍କ ସମ୍ପର୍କରେ ଥିବା କୁହାଯାଇଛି।

ୟୁଏଇସ୍ଥିତ ଭାରତୀୟ ଦୂତାବାସ ଏକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ‘ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମିତ ଙ୍କ ଚିକିତ୍ସା ଜାରି ରହିଛି ଓ ସେ ଦ୍ରୁତ ଆରୋଗ୍ୟ ହେଉଛନ୍ତି। ଆମେ ତାଙ୍କ ପରିବାର ଓ ସ୍ଥାନୀୟ ଅଧିକାରୀଙ୍କ ସହିତ ଲଗାତାର ସମ୍ପର୍କରେ ରହିଛୁ ତଥା ସବୁପ୍ରକାର ସହାୟତା କରୁଛୁ। ୟୁଏଇ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଚିକିତ୍ସା ଲାଗି ଆମେ କୃତଜ୍ଞ ଓ ସ୍ମିତଙ୍କ ଶୀଘ୍ର ସୁସ୍ଥତା କାମନା କରୁଛୁ’।

ଉଲ୍ଲେଖଯୋଗ୍ୟ ଯେ ଗତ ସେପ୍ଟେମ୍ବର ୩୦ ତାରିଖ ଦିନ ଦୁବାଇରୁ ତେଲଆଭିବ ଯାଉଥିବା ଫ୍ଲାଏ ଦୁବାଇ ପ୍ଲେନର ଉଡାଣ କାଳରେ ଓମାନ ପାଇଲଟ କୁରାଢୀରେ ପାଇଲଟଙ୍କ ଉପରେ ଆକ୍ରମଣ କରିଦେଇଥିଲେ। ସେ ବିମାନର ନିୟନ୍ତ୍ରଣ ନିଜ ହାତକୁ ନେବାକୁ ଚାହୁଁଥିଲେ। ତେବେ ଗୁରୁତର ଆହତ ହୋଇଥିବା ସତ୍ତ୍ୱେ କ୍ୟାପ୍ଟେନ ମଚ୍ଛର ତାଙ୍କ ଉଦ୍ୟମକୁ ବିଫଳ କରିଥିଲେ। ୟୁଏଇ ଆଟର୍ଣ୍ଣି ଜେନେରାଲ କହିଛନ୍ତି କୋ-ପାଇଲଟ ଅଲ-ହମ୍ମାମୀଙ୍କ ଏହା ଆତଙ୍କବଦୀ କୃତ୍ୟ ଥିଲା ଓ ସେ ବିମାନକୁ ନିଜ ନିୟନ୍ତ୍ରଣକୁ ନେବାକୁ ଉଦ୍ୟମ କରିଥିଲେ।