ବ୍ରହ୍ମପୁର: କାର୍ଯ୍ୟାଳୟ ଭିତରୁ ଟାଣି ଆଣି ବ୍ଲକ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ କରାଗଲା ଭର୍ତ୍ତି। ମଙ୍ଗଳବାର ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକଙ୍କୁ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ। ଏଥିରେ ତାଙ୍କ ଅବସ୍ଥା ଗୁରୁତର ହୋଇଛି। ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ସମୟରେ ବ୍ଲକ ପରିସର ନିଜ ଚାମ୍ୱରରେ ବସିଥିବା ବେଳେ କିଛି ଦୁର୍ବୃତ୍ତ ଅତର୍କିତ ଭାବରେ ପଶିଆସି ତାଙ୍କୁ ବାହାରକୁ ଟାଣି ନେଇଥିଲେ। ଆଉ ବ୍ଲକ ପରିସରରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଲହୁଲୁହାଣ ହୋଇଥିଲେ କୃଷ୍ଣଚନ୍ଦ୍ର। ତାଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ଶରୀରରେ ବହୁ ସ୍ଥାନରେ କ୍ଷତ ହୋଇଥିଲା। ଆକ୍ରମଣ ପରେ ଦୁର୍ବୃତ୍ତମାନେ ସେଠାରେ ଫେରାର ହୋଇଯାଇଥିଲେ।

ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୃଷ୍ଣଚନ୍ଦ୍ରଙ୍କୁ ଉଦ୍ଧାର କରି ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ଶରୀରରେ ଗଭୀର ଆଘାତ ହେତୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଏଭଳି ଘଟଣା ନିନ୍ଦନୀୟ ବୋଲି କହିଛନ୍ତି ଶେରଗଡ଼ ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର।