ନୂଆଦିଲ୍ଲୀ: ବାଂଲାଦେଶର ଜାତୀୟ ପିତା ଶେଖ୍ ମୁଜିବୁର ରହମାନଙ୍କ ଝିଅ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ବିତିଗଲାଣି। ବର୍ତ୍ତମାନ ତାଙ୍କୁ ନିଜ ଦେଶରେ ମୃତ୍ୟୁଦଣ୍ଡ ମିଳିଥିବା ବେଳେ ତାଙ୍କ ରାଜନୈତିକ ଦଳ 'ଆୱାମୀ ଲିଗ୍' ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ସ୍ଥିତି ଅତ୍ୟନ୍ତ ଜଟିଳ ଥିଲେ ମଧ୍ୟ ସେ ନିଜ ନିଷ୍ପତ୍ତିରେ ଅଟଳ ଅଛନ୍ତି।

ଆମେରିକାର ପ୍ରସିଦ୍ଧ ଜେନେରାଲ ଡଗଲାସ୍ ମ୍ୟାକ୍ଆର୍ଥରଙ୍କ ଶୈଳୀରେ ସେ ଦୃଢ଼ତାର ସହ କହିଛନ୍ତି, ‘ମୁଁ ଚଳିତ ବର୍ଷ ହିଁ ନିଜ ମାଟିକୁ ଫେରିବି।’ ଏକ ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି ଯେ, ଆୱାମୀ ଲିଗ୍ କେବଳ ଏକ ଦଳ ନୁହେଁ, ବରଂ ଏକ ସାମଗ୍ରିକ ‘ଶକ୍ତି’। ଏହା ସହ ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ସେ ଦେଶର ସ୍ଵାଧୀନତା ଉପରେ ଆକ୍ରମଣ ବୋଲି ଅଭିହିତ କରିଛନ୍ତି।

ନିକଟରେ (ଜୁନ୍ ୨୩, ମଙ୍ଗଳବାର) ଆୱାମୀ ଲିଗ୍‌ର ୭୭ତମ ପ୍ରତିଷ୍ଠା ଦିବସ ଥିଲା। ସରକାରୀ ନିଷେଧାଦେଶ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ଵେ ଦଳର କର୍ମୀମାନେ ଏହାକୁ ପାଳନ କରିଥିଲେ, ଯେଉଁଥିପାଇଁ ଅନେକ ସକ୍ରିୟ ସଦସ୍ୟଙ୍କୁ ଗିରଫ ମଧ୍ୟ କରାଯାଇଛି। ସେହିପରି ଏକ ବିଶେଷ ଆଲୋଚନାରେ ସେ ବାଂଲାଦେଶର ବର୍ତ୍ତମାନର ସ୍ଥିତିକୁ ନେଇ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନର ଉତ୍ତର ରଖିଛନ୍ତି ।

ପ୍ରତିକୂଳ ପରିସ୍ଥିତି ଏବଂ ଆଇନଗତ କଟକଣା ସତ୍ତ୍ଵେ ଚଳିତ ବର୍ଷ ଶେଷ ସୁଦ୍ଧା ସେ ବାଂଲାଦେଶ ଫେରିବା ପାଇଁ ସମ୍ପୂର୍ଣ୍ଣ ଆଶାବାଦୀ ଅଛନ୍ତି। ଦେଶରେ ରହୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଉପରେ ସେ ସବୁଠାରୁ ଅଧିକ ଗୁରୁତ୍ଵ ଦେଇଛନ୍ତି ଏବଂ ଏଥିରେ କୌଣସି ଆପୋଷ ବୁଝାମଣା କରାଯିବ ନାହିଁ ବୋଲି କହିଛନ୍ତି। ଦଳ ଉପରେ ପ୍ରତିବନ୍ଧକ ଲଗାଇ ଏହାର ଚେରକୁ ନଷ୍ଟ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶେଖ ହସିନା ।