ଶ୍ରୀନଗର, ୬ / ୧୧ :- ଜମ୍ମୁ-କଶ୍ମୀରର ଶାସକ ଦଳ ନ୍ୟାସନାଲ କନଫରେନ୍ସରେ ଏବେ ସବୁ କିଛି ଠିକ୍ ଚାଲିନାହିଁ। ଦଳ ଭିତରେ ବଢ଼ୁଛି ଅସନ୍ତୋଷ। ବିଧାୟକଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଯଦିଓ ଦଳୀୟ ନେତୃତ୍ୱ ଏବଂ ଅସନ୍ତୁଷ୍ଟ ବୋଲି କୁହାଯାଉଥିବା ବିଧାୟକମାନେ ଦଳରେ କୌଣସି ଫାଟ ଥିବା କଥାକୁ ଖଣ୍ଡନ କରିଛନ୍ତି, ତଥାପି ଏହି ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିଛି ବିଜେପି। ନ୍ୟାସନାଲ କନଫରେନ୍ସକୁ ଏକ ‘ବୁଡ଼ିଯାଉଥିବା ଜାହାଜ’ ବୋଲି କହିବା ସହ ଫାରୁକ୍ ଅବଦୁଲ୍ଲା ଓ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛି ଦଳ।

ଜମ୍ମୁ-କଶ୍ମୀର ବିଜେପି ସଭାପତି ସତ୍ ଶର୍ମା ନ୍ୟାସନାଲ କନଫରେନ୍ସକୁ ଟାର୍ଗେଟ୍ କରି କହିଛନ୍ତି ଯେ, ଦଳ ଏବେ ବୁଡ଼ିଯାଉଥିବା ଜାହାଜ ଭଳି ସ୍ଥିତିରେ ରହିଛି। ଫାରୁକ୍ ଅବଦୁଲ୍ଲା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନିଜ ଦଳକୁ ସମ୍ଭାଳିବାରେ ବିଫଳ ହେଉଥିବା ସେ ଅଭିଯୋଗ କରିଛନ୍ତି। ଅସନ୍ତୁଷ୍ଟ ବିଧାୟକଙ୍କ ସହ ବାରମ୍ବାର ବୈଠକ କରିବା ଦଳୀୟ ନେତୃତ୍ୱର ଦୁର୍ବଳତାକୁ ଦର୍ଶାଉଛି ବୋଲି ତାଙ୍କ ମତ। ଏଥିସହ ଜମ୍ମୁ-କଶ୍ମୀରବାସୀ ବାରମ୍ବାର ନ୍ୟାସନାଲ କନଫରେନ୍ସକୁ ପ୍ରତ୍ୟାଖ୍ୟାନ କରିଆସିଛନ୍ତି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଛନ୍ତି।

ବିଜେପିର ଏହି ବୟାନ ଏଭଳି ସମୟରେ ଆସିଛି, ଯେତେବେଳେ ଶୁକ୍ରବାର ଶ୍ରୀନଗରରେ ଫାରୁକ୍ ଅବଦୁଲ୍ଲା ଅସନ୍ତୁଷ୍ଟ ବୋଲି କୁହାଯାଉଥିବା ବିଧାୟକମାନଙ୍କ ସହ ବୈଠକ କରିଥିଲେ। ବୈଠକ ପରେ ବିଧାୟକମାନେ ଦଳରେ କୌଣସି ଫାଟ ନଥିବା ସ୍ପଷ୍ଟ କରିଥିଲେ।

ବିଧାୟକ ଅବଦୁଲ ମଜିଦ କ୍ୟାବିନେଟ୍ରେ ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ସ୍ଥାନ ଦିଆଯିବା ପ୍ରସଙ୍ଗ ଉଠାଇଥିଲେ। ତାଙ୍କ କହିବା ଅନୁସାରେ, କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ନାମରେ ବଦନାମ ରହିଛି। ତେବେ ଏହା ସହିତ ସେ ନ୍ୟାସନାଲ କନଫରେନ୍ସ ପ୍ରତି ନିଜର ଆନୁଗତ୍ୟ ମଧ୍ୟ ପ୍ରକାଶ କରିଥିଲେ।

ସେହିପରି ଅନ୍ୟ ଜଣେ ବିଧାୟକ ନଜିର ଗୁରେଜି ଫାରୁକ୍ ଅବଦୁଲ୍ଲାଙ୍କ ସହ ହୋଇଥିବା ବୈଠକକୁ ଏକ ନିୟମିତ ପ୍ରକ୍ରିୟା ବୋଲି କହିଛନ୍ତି। ବିଧାୟକମାନେ ସମୟ ସମୟରେ ନିଜ ସମସ୍ୟା ନେଇ ଦଳୀୟ ନେତୃତ୍ୱଙ୍କୁ ଭେଟିଥାନ୍ତି। ଏଥିରେ ଅସ୍ୱାଭାବିକ କିଛି ନାହିଁ ବୋଲି ସେ କହିଛନ୍ତି। କିଛି ସମସ୍ୟା ଥିବାରୁ ଆମେ ଏକାଠି ବସି ଆଲୋଚନା କରିଥିଲୁ। କିନ୍ତୁ ଏହାକୁ ଏପରି ଭାବେ ଉପସ୍ଥାପନ କରାଗଲା, ଯେମିତି ନ୍ୟାସନାଲ କନଫରେନ୍ସ ଭାଙ୍ଗିଯାଇଛି। ବାସ୍ତବରେ ସେଭଳି କିଛି ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

also read-ସୂର୍ଯ୍ୟକୁମାର ଯାବଦ ଏବଂ ତାଙ୍କ ପରିବାରକୁ ଭେଟିଲେ ପିଏମ୍ ମୋଦୀ, କ୍ରିକେଟରଙ୍କ ଝିଅ ଗାଇଲେ ଭଜନ

ବିଧାୟକମାନେ ନିଜର ସମସ୍ୟା ଦଳର ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ରଖିଥିବା ବେଳେ କିଛି ପ୍ରସଙ୍ଗର ତୁରନ୍ତ ସମାଧାନ ଏବଂ ଅନ୍ୟଗୁଡ଼ିକର ପର୍ଯ୍ୟାୟକ୍ରମେ ସମାଧାନ କରାଯିବ ବୋଲି ନେତୃତ୍ୱ ଆଶ୍ୱାସନା ଦେଇଥିବା ସେ କହିଛନ୍ତି।

ଅନ୍ୟପଟେ ଦଳରେ ବିଦ୍ରୋହ ଓ ଫାଟ ସୃଷ୍ଟି ହେବା ଖବର ମଧ୍ୟରେ ନେତୃତ୍ୱ ବିଧାୟକମାନଙ୍କୁ ଏକାଠି ରଖିବାକୁ ଉଦ୍ୟମ ଜାରି ରଖିଛି। ଶୁକ୍ରବାରର ବୈଠକ ମଧ୍ୟ ଏହି ପ୍ରୟାସର ଏକ ଅଂଶ ବୋଲି କୁହାଯାଉଛି। ଦଳର ସଭାପତି ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ, ନ୍ୟାସନାଲ କନଫରେନ୍ସ ଏକଜୁଟ ଅଛି ଏବଂ ଏହା କେବେ ଭାଙ୍ଗିବ ନାହିଁ। ଅସନ୍ତୁଷ୍ଟ ବିଧାୟକଙ୍କ ସହ ଆଲୋଚନା ହୋଇଛି ଏବଂ ସେମାନଙ୍କ ଚିନ୍ତା ଓ ଅଭିଯୋଗ ଯଥାର୍ଥ। ଦଳ ଏହା ଉପରେ ଗଭୀର ଭାବେ ବିଚାର କରିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୭ ତାରିଖରେ ଜମ୍ମୁ-କଶ୍ମୀରରେ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଥିଲା। ଏହି ସମ୍ପ୍ରସାରଣରେ ମନ୍ତ୍ରୀ ପଦ ନମିଳିବାରୁ କିଛି ବିଧାୟକଙ୍କ ସମର୍ଥକ ଅସନ୍ତୋଷ ପ୍ରକାଶ କରିବା ସହ ନାରାବାଜି କରିଥିଲେ। ଏହାପରେ ଅସନ୍ତୁଷ୍ଟ ବିଧାୟକମାନେ ଏକ ପୃଥକ ବୈଠକରେ ଯୋଗ ଦେଇଥିଲେ। ଏହି ଘଟଣା ପରେ ଦଳରେ ଫାଟ ସୃଷ୍ଟି ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା।

ଅସନ୍ତୁଷ୍ଟ ବିଧାୟକଙ୍କ ମୁଖ୍ୟ ଆପତ୍ତି ଥିଲା କ୍ୟାବିନେଟ୍ରେ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ମନ୍ତ୍ରୀ ପଦରେ ଥିବା କିଛି ବ୍ୟକ୍ତିଙ୍କୁ ପୁଣିଥରେ ସ୍ଥାନ ଦିଆଯିବା। ସେମାନଙ୍କ ଦାବି ହେଉଛି, ଦୀର୍ଘଦିନ ଧରି ମନ୍ତ୍ରୀ ପଦରେ ଥିବା ନେତାଙ୍କ ବଦଳରେ ନୂଆ ବିଧାୟକଙ୍କୁ ସୁଯୋଗ ଦିଆଯାଉ। ଏହି ପ୍ରସଙ୍ଗରେ ବରିଷ୍ଠ ବିଧାୟକ ମୁବାରକଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି।

ତେବେ ନ୍ୟାସନାଲ କନଫରେନ୍ସ ନେତୃତ୍ୱ ଦଳରେ କୌଣସି ଫାଟ ନଥିବା କହୁଥିବା ବେଳେ ବିଧାୟକଙ୍କ ଅସନ୍ତୋଷ କେତେ ଶୀଘ୍ର ଦୂର ହେଉଛି, ତାହା ଉପରେ ଏବେ ରାଜନୈତିକ ମହଲର ନଜର ରହିଛି।