ଭୁବନେଶ୍ୱର ୦୮।୦୬ : ତାତିରୁ ନିସ୍ତାର ନାହିଁ । ଆହୁରି ଜଳାଇବ। ନିଆଁବର୍ଷା ଜାରି ରହିବ। ଆସନ୍ତା ତିନି ଦିନ ତାପମାତ୍ରା ଆହୁରି ୩ ଡିଗ୍ରୀ ବଢ଼ିପାରେ। ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରଚଣ୍ଡ ତାତି ଓ ଗୁଳୁଗୁଳି ଅନୁଭୂତ ହେବ। ଏଭଳି ସତର୍କ କରାଇଛି ପାଣିପାଗ ବିଭାଗ।

ରବିବାର ରାଜଧାନୀ ସମେତ ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ତାତି ୪୦ ଡିଗ୍ରୀ ପାର୍ ହୋଇଥିଲା । ଦିନ ୧୧ଟାରୁ ତତଲା ହାୱା ବହିଥିଲା । ହେଲେ ଅପରାହ୍ନରେ ପାଗ ବଦଳି ଯାଇଥିଲା । କଟକ, ଭୁବନେଶ୍ୱର, ପାରାଦୀପ, ବାଲେଶ୍ୱରରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଛି । ଜୋର୍ରେ ପବନ ସହିତ ପ୍ରବଳ ବର୍ଷା ହୋଇଥିଲା । ବିଜୁଳି ଓ ଘଡ଼ଘଡ଼ିର ଗର୍ଜନ ବି ଡରାଇଥିଲା । ତେବେ ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୪୧.୯ ଡିଗ୍ରୀ ଛୁଇଁଥିଲା । ଟିଟିଲାଗଡ଼ରେ ୪୧.୭, ଭବାନୀପାଟଣା ଓ ନୟାଗଡ଼ରେ ୪୧.୫, ତାଳଚେରରେ ୪୧, ବଲାଙ୍ଗୀରରେ ୪୦.୮, ସମ୍ବଲପୁରରେ ୪୦.୬, ସୋନପୁରରେ ୪୦.୬ ଡିଗ୍ରୀ ରେକର୍ଡ ହୋଇଥିଲା।

Also Read:-Philippines Earthquake Tsunami Warning: ଫିଲିପାଇନ୍ସରେ ୭.୮ ତୀବ୍ରତାର ଭୂକମ୍ପ, ଏସିଆର ଅନେକ ଦେଶରେ ସୁନାମି ଆଲର୍ଟ ଜାରି

ଆସନ୍ତା ୧୦ରୁ ୧୩ ତାରିଖ ଭିତରେ ଓଡ଼ିଶାରେ ମୌସୁମୀ ପହଞ୍ଚିବ ବୋଲି ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । ମୌସୁମୀକୁ ନେଇ ଆକଳନ କରି ସେ କହିଛନ୍ତି, ବଙ୍ଗୋପସାଗରରେ ମୌସୁମୀ ପ୍ରକ୍ରିୟା ମନ୍ଥର ଥିଲା । କିନ୍ତୁ ଗତ ୨ ଦିନରେ ଏଥିରେ ସୁଧାର ଦେଖାଦେଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ିଛି । ସାମୁଦ୍ରିକ ଆର୍ଦ୍ରତା ଓଡ଼ିଶା ଉପରକୁ ବିସ୍ତାର କରୁଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପାଗ ବଦଳୁଛି । ଘଡ଼ଘଡ଼ି ସହ ବର୍ଷା ହେଉଛି । ବଙ୍ଗୋପସାଗରରେ ଏବେ ସୁଦ୍ଧା କୌଣସି ସୁସଂଗଠିତ ଲଘୁଚାପ କ୍ଷେତ୍ର ବା ଅବପାତ ସୃଷ୍ଟି ହୋଇନି । ତଥାପି ମୌସୁମୀ ଦୁର୍ବଳ ହେବାର କୌଣସି ସଙ୍କେତ ନାହିଁ । ମୌସୁମୀ ଅଗ୍ରଗତି ପାଇଁ ସ୍ଥିତି ଅନୁକୂଳ ରହିଛି ।

ଆସନ୍ତା ୮ରୁ ୧୦ ତାରିଖ ଭିତରେ ଆକାଶରେ ମେଘର ପରିମାଣ ବଢ଼ିବ। ଗୁଳୁଗୁଳି ବି ବଢ଼ିବ। କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ପ୍ରକୋପ ଅଧିକ ହେବ। ତାପମାତ୍ରା ଧୀରେ ଧୀରେ କମିବ। ୧୦ରୁ ୧୩ ତାରିଖ ଭିତରେ ଓଡ଼ିଶାକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ଅଧିକ। ୧୨ରୁ ୧୫ ତାରିଖ ସୁଦ୍ଧା ମୌସୁମୀ ପ୍ରଭାବରେ ବର୍ଷା ବଢ଼ିବ।

ତେବେ ପଶ୍ଚିମ ଓଡ଼ିଶାକୁ ମୌସୁମୀ ପହଞ୍ଚିବା ବେଳକୁ ୧୨ରୁ ୧୬ ତାରିଖ ହୋଇଯିବ। ୧୫ରୁ ୧୮ ଭିତରେ ସେଠାରେ ମୌସୁମୀ ବର୍ଷା ବଢ଼ିବ । ୧୦ ତାରିଖ ଯାଏ ପଶ୍ଚିମ ଓଡ଼ିଶାରେ ତାତିରୁ ତ୍ରାହି ମିଳିବନି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

Watch Video:-