ଫିଲିପାଇନ୍ସ:ଫିଲିପାଇନ୍ସ ଉପକୂଳରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ ସମଗ୍ର ଏସିଆରେ ସୁନାମି (Tsunami) ଆଲର୍ଟ ଜାରି କରାଯାଇଛି। ଆମେରିକାନ୍ ଜିଓଲୋଜିକାଲ୍ ସର୍ଭେ (USGS) ଅନୁଯାୟୀ ରବିବାର ସ୍ଥାନୀୟ ସମୟ ସକାଳ ପ୍ରାୟ ୭:୪୦ ମିନିଟ୍ରେ ଫିଲିପାଇନ୍ସର ମିଣ୍ଡାନାଓ (Mindanao) ଦ୍ୱୀପ ନିକଟରେ ୭.୮ ତୀବ୍ରତାର ଏହି ଭୂକମ୍ପ ସୃଷ୍ଟି ହୋଇଥିଲା।

ସୁନାମି ଆଶଙ୍କା:
ପାସିଫିକ୍ ସୁନାମି ୱାର୍ଣ୍ଣିଂ ସେଣ୍ଟରର ସୂଚନା ଅନୁଯାୟୀ, ଫିଲିପାଇନ୍ସର ଉପକୂଳବର୍ତ୍ତୀ ଅଞ୍ଚଳରେ ୩ ମିଟର ପର୍ଯ୍ୟନ୍ତ ଉଚ୍ଚ ସୁନାମି ଲହରୀ ମାଡ଼ ହୋଇପାରେ। ସେହିପରି ଇଣ୍ଡୋନେସିଆ ଏବଂ ମାଲେସିଆର କିଛି ଅଂଶରେ ୧ ମିଟର ପର୍ଯ୍ୟନ୍ତ ଲହରୀ ଉଠିବାର ସମ୍ଭାବନା ରହିଛି।

ବିଭିନ୍ନ ଦେଶରେ ସତର୍କତା:ଇଣ୍ଡୋନେସିଆ, ଫିଲିପାଇନ୍ସ ଏବଂ ଜାପାନର ପ୍ରଶାସନିକ ଅଧିକାରୀମାନେ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛନ୍ତି। ତେବେ ଏହାଦ୍ୱାରା ଆମେରିକାର ଉପକୂଳ ଅଞ୍ଚଳ ପ୍ରତି କୌଣସି ବିପଦ ନାହିଁ ବୋଲି ଆମେରିକାର ଜାତୀୟ ସୁନାମି ସତର୍କତା କେନ୍ଦ୍ର ସ୍ପଷ୍ଟ କରିଛି। (ସୂଚନାଯୋଗ୍ୟ ଯେ, ପ୍ରଥମେ ଏହି ଭୂକମ୍ପର ତୀବ୍ରତା ୮.୨ ବୋଲି ଅନୁମାନ କରାଯାଉଥିଲା, କିନ୍ତୁ ପରେ ଏହାକୁ ୭.୮ ବୋଲି ସ୍ପଷ୍ଟ କରାଯାଇଛି।)

ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ନିର୍ଦ୍ଦେଶ:ଫିଲିପାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଭୋଲକାନୋଲୋଜି ଆଣ୍ଡ୍ ସିସମୋଲୋଜି (PHIVOLCS) ପକ୍ଷରୁ ସାରଙ୍ଗାନି, ଦାଭାଓ ଅକ୍ସିଡେଣ୍ଟାଲ୍ (Davao Occidental), ତାୱି-ତାୱି ଏବଂ ସୁଲୁ ସମେତ ମୋଟ ୯ଟି ପ୍ରଦେଶର ଉପକୂଳବର୍ତ୍ତୀ ଲୋକମାନଙ୍କୁ ତୁରନ୍ତ ଉଚ୍ଚ ସ୍ଥାନ ବା ଦେଶର ଭିତର ଅଞ୍ଚଳକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଡଙ୍ଗା ମାଲିକଙ୍କୁ ପରାମର୍ଶ:ବନ୍ଦର କିମ୍ବା ଅଗଭୀର ଉପକୂଳ ଜଳରେ ଥିବା ଡଙ୍ଗାଗୁଡ଼ିକୁ ସୁରକ୍ଷିତ ରଖିବାକୁ ଏବଂ ଲୋକଙ୍କୁ ପାଣି କୂଳରୁ ଦୂରେଇ ରହିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ବର୍ତ୍ତମାନ ଗଭୀର ସମୁଦ୍ର ଭିତରେ ମାଛ ମାରୁଥିବା କିମ୍ବା ଯାତ୍ରା କରୁଥିବା ଡଙ୍ଗାଗୁଡ଼ିକ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ କୂଳକୁ ନଆସି ସମୁଦ୍ର ମଧ୍ୟରେ ହିଁ ରହିବାକୁ ପରାମର୍ଶ ଦିଆଯାଇଛି।