ମୁମ୍ବାଇ: ଦରମା ବୃଦ୍ଧି ଏବଂ ଅନ୍ୟାନ୍ୟ ଦାବି ନେଇ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଧାରଣାରେ ବସିଲେ ଏୟାର ଇଣ୍ଡିଆର ଗ୍ରାଉଣ୍ଡ ହୋଲ୍ଡିଂ ଷ୍ଟାଫ। ଫଳରେ ସୋମବାର ବିମାନ ବନ୍ଦରରୁ ଅନେକ ବିମାନର ଉଡ଼ାଣ ବାଧାପ୍ରାପ୍ତ ହୋଇଛି।

ରିପୋର୍ଟ ଅନୁସାରେ, ଏଆଇ ଏୟାରପୋର୍ଟ ସର୍ଭିସେସ ଲିମିଟେଡ (AISL)ର କର୍ମଚାରୀଙ୍କ ବିରୋଧ ପ୍ରଦର୍ଶନ କାରଣରୁ ଅନେକ ଉଡ଼ାଣରେ ଅହେତୁକ ବିଳମ୍ବ ହୋଇଛି। ମୁମ୍ବାଇ ବିମାନବନ୍ଦରରୁ ପ୍ରସ୍ଥାନ କରୁଥିବା ପ୍ରାୟ ୧୫ ଉଡ଼ାଣ ୯୦ ମିନିଟରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବ ହୋଇଛି। ଅନେକ ଅନ୍ତର୍ଜାତୀୟ ଏବଂ ଘରୋଇ ଉଡ଼ାଣର ଯାତ୍ରୀ ଘଣ୍ଟା ଘଣ୍ଟା ଧରି ବିମାନ ଭିତରେ ହିଁ ବସି ରହିଥିଲେ।

ହାଇଦ୍ରାବାଦରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ସକାଳ ୧୧ଟା ୪୫ରେ ପହଞ୍ଚିଥିଲା। କିନ୍ତୁ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବାକୁ ପ୍ରାୟ ୧ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଓହ୍ଲାଇବା ପରେ ଜଣାପଡ଼ିଥିଲା ଯେ, ଗ୍ରାଉଣ୍ଡ ଷ୍ଟାଫ୍ ବିରୋଧ ଯୋଗୁ ଏଭଳି ସମସ୍ୟା ଉପୁଜିଥିଲା। ଏମିତିକି ଯାତ୍ରୀଙ୍କୁ ସେମାନଙ୍କ ଜିନିଷପତ୍ର ପାଇବାରେ ମଧ୍ୟ ଆହୁରି ଅଧଘଣ୍ଟା ବିଳମ୍ବ ହୋଇଥିଲା। ସେହିଭଳି ମୁମ୍ବାଇରୁ ଦେହରାଦୁନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ ୪୩୧, ୧୨:୧୦ ବଦଳରେ ପ୍ରାୟ ୨ ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଥିଲା।

Also Read: ଉଡ଼ାଣ ଭରିବାକୁ ପ୍ରସ୍ତୁତ ପ୍ରଥମ ସ୍ୱଦେଶୀ Airbus C-295 ବିମାନ

ସୂଚନାଥାଉକି, ଏଆଇଏସଏଲ, ଏୟାର ଇଣ୍ଡିଆ ଗ୍ରୁପର ଗ୍ରାଉଣ୍ଡ ହ୍ୟାଣ୍ଡେଲିଂ ଏଜେନ୍ସି। ଏହା ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ ବ୍ୟତୀତ ମୁମ୍ବାଇ ବିମାନ ବନ୍ଦର ଏବଂ ଦେଶର ଅନ୍ୟ ବିମାନ ବନ୍ଦରରେ ଅନେକ ଅନ୍ତର୍ଜାତୀୟ ଏୟାରଲାଇନ୍ସକୁ ସେବା ଯୋଗାଉଛି। କମ୍ପାନି ଦେଶର ୮୪ ବିମାନ ବନ୍ଦରରେ ଫ୍ଲାଏ ଦୁବାଇ, ସଉଦିୟା, ଓମାନ ଏୟାର ଏବଂ ସଲାମ ଏୟାର ଭଳି ବିଦେଶୀ କମ୍ପାନିଙ୍କ ସମେତ ପ୍ରାୟ ୮୦ ଏୟାରଲାଇନ୍ସର ଗ୍ରାଉଣ୍ଡ ହ୍ୟାଣ୍ଡେଲିଂ ମଧ୍ୟ ସମ୍ଭାଳୁଛି। କମ୍ପାନିରେ ପ୍ରାୟ ୨୦ ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଏବଂ ଏହା ପ୍ରତିଦିନ ହାରହାରି ୬୫୦ ଉଡ଼ାଣ ପରିଚାଳନା କରିଥାଏ।