ନୂଆଦିଲ୍ଲୀ: ରୁଷିଆ ରାଜନୀତି ଏବଂ ଗୁପ୍ତଚର ଦୁନିଆର ଏକ ବଡ଼ ସ୍ତମ୍ଭ ସର୍ଗେଇ ଇଭାନୋଭ୍‌ (Sergei Ivanov) ଙ୍କ ରହସ୍ୟଜନକ ମୃତ୍ୟୁ ଘଟିଛି। କ୍ରେମଲିନର ସୂଚନା ଅନୁଯାୟୀ, ଶୁକ୍ରବାର ୨୬ ଜୁନ୍ ୨୦୨୬ ରେ ତାଙ୍କର ପରଲୋକ ହୋଇଛି। ତେବେ ସରକାରୀ ସ୍ତରରେ ତାଙ୍କ ମୃତ୍ୟୁର କାରଣ କିମ୍ବା ପରିସ୍ଥିତି ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ, ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ଇଭାନୋଭଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ୨୦୦୧ ମସିହାରେ ରାଷ୍ଟ୍ରପତି ପୁଟିନ ସର୍ଗେଇ ଇଭାନୋଭଙ୍କୁ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ ଏବଂ ସେ ୨୦୦୭ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ। ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ରୁଷିଆ ସେନାକୁ ସଫଳ ମାର୍ଗଦର୍ଶନ କରି ଦ୍ୱିତୀୟ ଚେଚେନ୍ ଯୁଦ୍ଧରେ ବିଦ୍ରୋହୀ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ରୂପେ ଦମନ କରିଥିଲେ। ରୁଷିଆର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବାରେ ସେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ପୁଟିନଙ୍କ ସହ ସାକ୍ଷାତ
ଲେନିନଗ୍ରାଡ୍ (ବର୍ତ୍ତମାନର ସେଣ୍ଟ ପିଟର୍ସବର୍ଗ) ରେ ଜନ୍ମଗ୍ରହଣ କରିଥିବା ଇଭାନୋଭ: ସୋଭିଏତ୍ ସଂଘର ଗୁପ୍ତଚର ସଂସ୍ଥା 'କେଜିବି' (KGB) ରେ ଯୋଗଦେବା ପରେ ୧୯୭୦ ଦଶକର ଶେଷ ଭାଗରେ ତାଙ୍କର ସାକ୍ଷାତ ଭ୍ଲାଦିମିର ପୁଟିନଙ୍କ ସହ ହୋଇଥିଲା। ଦୁହେଁ କେଜିବିର ଲେନିନଗ୍ରାଡ୍ ନିର୍ଦ୍ଦେଶାଳୟରେ ଏକାଠି କାମ କରୁଥିଲେ ମଧ୍ୟ ସେମାନଙ୍କୁ ଅଲଗା ଅଲଗା ଦେଶକୁ ମିଶନରେ ପଠାଯାଇଥିଲା। ପୁଟିନ ପୂର୍ବ ଜର୍ମାନୀ ଯାଇଥିବା ବେଳେ ଇଭାନୋଭ୍‌ ଫିନଲ୍ୟାଣ୍ଡ ଏବଂ କେନିଆରେ ଗୁପ୍ତଚର ଭାବେ କାର୍ଯ୍ୟ କରିଥିଲେ।

ମ୍ୟାଟ୍ରିକ୍ସର 'ଏଜେଣ୍ଟ ସ୍ମିଥ୍'
 ପ୍ରସିଦ୍ଧ ସାମ୍ବାଦିକ ମିଖାଇଲ୍ ଜିଗାର୍ ତାଙ୍କର ଜନପ୍ରିୟ ପୁସ୍ତକ "ଅଲ୍ ଦି କ୍ରେମଲିନ୍ସ ମେନ୍" ରେ ଇଭାନୋଭଙ୍କୁ ଜଣେ ଆଦର୍ଶ ରୁଷୀୟ ଗୁପ୍ତଚର ଭାବେ ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି, "ସେ ଜଣେ ଆଦର୍ଶ ସୋଭିଏତ୍ ଗୁପ୍ତଚର। ଆପଣ ତାଙ୍କୁ ଗହଳି ଭିତରେ ସହଜରେ ଚିହ୍ନିପାରିବେ ନାହିଁ; ସେ ଦେଖିବାକୁ ଏବଂ ନାମରେ ପ୍ରସିଦ୍ଧ ଚଳଚ୍ଚିତ୍ର 'ଦି ମ୍ୟାଟ୍ରିକ୍ସ' ର 'ଏଜେଣ୍ଟ ସ୍ମିଥ୍' ଙ୍କ ଭଳି ଥିଲେ।’

ଗୁପ୍ତଚର ସଂସ୍ଥାଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା
୧୯୯୦ ଦଶକରେ ରୁଷିଆର ଦୁଇଟି ପ୍ରମୁଖ ଗୁପ୍ତଚର ସଂସ୍ଥା—ଫେଡେରାଲ୍ ସୁରକ୍ଷା ସେବା (FSB) ଏବଂ ବୈଦେଶିକ ଗୁପ୍ତଚର ସେବା (SVR) ମଧ୍ୟରେ ଇଭାନୋଭଙ୍କୁ ନିଜ ଟିମରେ ସାମିଲ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା। ସେ କିଛି ସମୟ ପାଇଁ ଏସଭିଆର ୟୁରୋପୀୟ ବିଭାଗର ପ୍ରଥମ ଡେପୁଟି ଡାଇରେକ୍ଟର ଭାବରେ କାର୍ଯ୍ୟ କରିଥିଲେ । ସେ ସବୁଠାରୁ କମ୍ ବୟସ୍କ ଜେନେରାଲ୍ ହେବାର ଗୌରବ ହାସଲ କରିଥିଲେ। କିନ୍ତୁ ୧୧୯୮ ମସିହାରେ ଯେତେବେଳେ ପୁଟିନ FSB ର ମୁଖ୍ୟ ହେଲେ, ସେ ତୁରନ୍ତ ଇଭାନୋଭଙ୍କୁ ନିଜର ବ୍ୟକ୍ତିଗତ ଡେପୁଟି ଭାବରେ ନିଯୁକ୍ତ କରିଥିଲେ ଏବଂ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବିଶ୍ଳେଷଣର ଦାୟିତ୍ୱ ଦେଇଥିଲେ। କିନ୍ତୁ ଆଜି ତାଙ୍କ ମୃତ୍ୟୁ ସହ କ୍ରେମଲିନ୍ ଏବଂ ରୁଷିଆର ଅନେକ ଗୁପ୍ତ ରହସ୍ୟ ଚିରଦିନ ପାଇଁ ମାଟିରେ ମିଶିଯାଇଛି।

ସେପଟେ ଇଭାନୋଭଙ୍କ ସଂପର୍କରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଭୂ-ରାଜନୈତିକ ବିଶେଷଜ୍ଞମାନଙ୍କ ଅନୁସାରେ, ସର୍ଗେଇ ଇଭାନୋଭଙ୍କର ରାଷ୍ଟ୍ରପତି ହେବାର ବଡ଼ ଆକାଂକ୍ଷା ହିଁ ତାଙ୍କ ରାଜନୈତିକ କ୍ୟାରିୟର ପାଇଁ ବାଧକ ସାଜିଥିଲା। ଭ୍ଲାଦିମିର ପୁଟିନ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ନକରିବା ପଛରେ ଏହି ପ୍ରମୁଖ କାରଣ ରହିଥିଲା। ପୁଟିନଙ୍କ ନିକଟତମ ସହଯୋଗୀ ଓ ଅଧିକାରୀମାନଙ୍କ ମଧ୍ୟରେ ସେତେବେଳେ ସର୍ବଦା ଏକ ଭୟ ଓ ଚିନ୍ତା ରହିଥିଲା ଯେ, ଯଦି ଇଭାନୋଭ୍‌ ଥରେ ରାଷ୍ଟ୍ରପତି ପଦ ହାସଲ କରିନିଅନ୍ତି, ତେବେ ସେ ନିଜ ସ୍ଥିତିକୁ ଏଭଳି ସୁଦୃଢ଼ କରିଦେବେ ଯେ ସେହି ସର୍ବୋଚ୍ଚ ପଦବୀକୁ ଆଉ କେବେହେଲେ ଛାଡ଼ିବେ ନାହିଁ।

ଇଭାନୋଭ୍‌ ପୁଟିନଙ୍କର ଜଣେ ଅତି ବିଶ୍ୱସ୍ତ ବନ୍ଧୁ ଭାବେ ରହିଥିଲେ, ତଥାପି ତାଙ୍କର ରାଜନୈତିକ ପ୍ରଭାବକୁ ଜାଣିଶୁଣି କମ୍ କରିବାକୁ ଚେଷ୍ଟା କରାଯାଇଥିଲା। ପୁଟିନ ତାଙ୍କୁ ଉପ-ପ୍ରଧାନମନ୍ତ୍ରୀ (୨୦୦୭-୨୦୧୧) ଏବଂ କ୍ରେମଲିନ୍‌ର ପ୍ରମୁଖ ଶାସନ ସଚିବ ବା ଚିଫ୍ ଅଫ୍ ଷ୍ଟାଫ୍ (୨୦୧୧-୨୦୧୬) ଭାବେ ନିଯୁକ୍ତ କରିଥିଲେ। ୨୦୧୬ ମସିହାରେ ତାଙ୍କୁ ପରିବେଶ ସୁରକ୍ଷା ଓ ପରିବହନ ପାଇଁ ରାଷ୍ଟ୍ରପତିଙ୍କ 'ସ୍ୱତନ୍ତ୍ର ଦୂତ' ଭାବରେ ନିଯୁକ୍ତ କରାଯାଇଥିଲା। ଏହି ପଦବୀର କୌଣସି ପ୍ରକୃତ ଭୂ-ରାଜନୈତିକ କ୍ଷମତା କିମ୍ବା ପ୍ରଭାବ ନଥିଲା। ଏହା ତାଙ୍କୁ ବାଧ୍ୟତାମୂଳକ ଭାବରେ ଦିଆଯାଇଥିବା ଏକ 'ସମ୍ମାନଜନକ ଅବସର' ଥିଲା। ଏହି କୂଟନୈତିକ ପଦବୀରୁ ସେ ଚଳିତ ବର୍ଷ (୨୦୨୬) ଆରମ୍ଭରେ ଇସ୍ତଫା ଦେଇଥିଲେ।

ୟୁକ୍ରେନ ଉପରେ ରୁଷିଆର ସାମରିକ ଆକ୍ରମଣ ଏବଂ ଯୁଦ୍ଧ ନୀତି ସହ ଜଡ଼ିତ ଥିବା ଯୋଗୁଁ ଇଭାନୋଭ୍‌ ନିଜ ଜୀବନର ଶେଷ ସମୟରେ ପାଶ୍ଚାତ୍ୟ ଦେଶଗୁଡ଼ିକର ଟାର୍ଗେଟରେ ଥିଲେ। ଆମେରିକାଏବଂ ୟୁରୋପୀୟ ୟୁନିଅନ୍ ତାଙ୍କ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇବା ସହ ତାଙ୍କର ସମସ୍ତ ସମ୍ପତ୍ତିକୁ ଜବତ କରିଦେଇଥିଲେ ଏବଂ ତାଙ୍କ ଭ୍ରମଣ ଉପରେ ବ୍ୟାନ୍ ଲଗାଇଥିଲେ। ତେବେ ସର୍ଗେଇ ଇଭାନୋଭଙ୍କ ମୃତ୍ୟୁ ସହ ଆଧୁନିକ କ୍ରେମଲିନ୍ ପ୍ରଶାସନର ମୂଳଦୁଆ ପକାଇଥିବା ଜଣେ ପ୍ରଭାବଶାଳୀ ନେତାଙ୍କ ଅନ୍ତ ହୋଇଛି ।