ମୁମ୍ବାଇ: ଗୁରୁବାର ଶେୟାର ବଜାର ବନ୍ଦ ହେବାର ଠିକ୍ ପୂର୍ବରୁ ସେନସେକ୍ସରେ ଦେଖିବାକୁ ମିଳିଥିବା ତୀବ୍ର ଓ ଅସ୍ୱାଭାବିକ ଉତ୍ଥାନ-ପତନକୁ ନେଇ ଟ୍ରେଡରମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଇତି ମଧ୍ୟରେ ଜଣେ ଟ୍ରେଡରଙ୍କ ବଡ଼ ଦାବି ମାର୍କେଟରେ ହଇଚଇ ସୃଷ୍ଟି କରିଛି। ମାତ୍ର ୫ ମିନିଟ୍‌ରେ ସେନସେକ୍ସ ପୁଟ୍ ଅପସନ୍‌ରେ ୧ ଲକ୍ଷ ଟଙ୍କାର ନିବେଶ ପ୍ରାୟ ୪୪ ଲକ୍ଷ ଟଙ୍କାରେ ପରିଣତ ହୋଇପାରିଥାନ୍ତା ବୋଲି ସେ କହିବା ପରେ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଜଣେ ଟ୍ରେଡର ଏକ କଳ୍ପନାମୂଳକ ଟ୍ରେଡର ଉଦାହରଣ ଦେଇ ଦାବି କରିଛନ୍ତି ଯେ ଯଦି କୌଣସି ନିବେଶକ ୩ଟା ୧୫ ପିଏମ୍‌ରେ ସେନସେକ୍ସ ୭୬,୫୦୦ ପୁଟ୍ ଅପସନରେ ୧ ଲକ୍ଷ ଟଙ୍କା ଲଗାଇ ୩ଟା ୨୦ ପିଏମ୍‌ରେ ବିକ୍ରି କରିଥାନ୍ତେ, ତେବେ ପ୍ରାୟ ୪୪ ଲକ୍ଷ ଟଙ୍କା ଲାଭ ହୋଇପାରିଥାନ୍ତା। ତେବେ ମୂଳ ପୋଷ୍ଟରେ ସମୟ ଲେଖିବା ବେଳେ ଭୁଲ୍ ହୋଇଥିବା ଜଣାପଡ଼ିଛି। ସେଠାରେ ୩ଟା ୧୫ ମିନିଟ୍ ଏଏମ ଲେଖା ହେବା କଥା ହେଲେ ଭୁଲ୍‌ରେ ପିଏମ୍ ହୋଇଯାଇଛି।

କେବଳ କିଛି ମିନିଟ୍‌ରେ ସେନସେକ୍ସରେ ୨,୦୦୦ ପଏଣ୍ଟର ଝଟକା

ମାସିକ ଡେରିଭେଟିଭ୍ସ ଏକ୍ସପାୟରି ଦିନରେ ସsନସେକ୍ସ ବନ୍ଦ ହେବାର କିଛି ମିନିଟ୍ ପୂର୍ବରୁ ଶେୟାର ମାର୍କେଟ୍ ଅସାଧାରଣ ଅପ୍‌ଡାଉନ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଅପରାହ୍ନ ୩ଟା ୧୭ ମିନିଟ୍‌ରେ ସେନସେକ୍ସ ପ୍ରାୟ ୭୭,୨୦୦ ପଏଣ୍ଟ ନିକଟରେ ଥିଲା। ମାତ୍ର ୬ ମିନିଟ୍ ମଧ୍ୟରେ ଏହା ପ୍ରାୟ ୭୪,୯୮୩ ପଏଣ୍ଟକୁ ଖସିଯାଇଥିଲା। ଅର୍ଥାତ୍, କିଛି ମିନିଟ୍ ମଧ୍ୟରେ ସୂଚକାଙ୍କରେ ୨,୦୦୦ରୁ ଅଧିକ ପଏଣ୍ଟର ପତନ ଘଟିଥିଲା। ତେବେ ଏହି ଗତି ଅଧିକ ସମୟ ରହିନଥିଲା। ୩ଟା ୨୩ ମିନିଟ୍ରୁ ୩ଟା ୩୦ ମିନିଟ୍ ମଧ୍ୟରେ ସେନସେକ୍ସ ପୁଣି ପ୍ରାୟ ୨,୦୦୦ ପଏଣ୍ଟ ଫେରି ଆସିଥିଲା। ଶେଷରେ ସେନସେକ୍ସ ୭୬,୯୩୪ ପଏଣ୍ଟରେ ବନ୍ଦ ହୋଇଥିଲା। ବୁଧବାର ତୁଳନାରେ ଏହା ୫୩୯ ପଏଣ୍ଟ ତଳେ ଥିଲା।

Also Read- Gold Price: ଭାରତରେ ୧୦ ଗ୍ରାମ ସୁନା ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ? ବିଶେଷଜ୍ଞଙ୍କ ଦାବି ଜାଣିଲେ ଆଶ୍ଚର୍ଯ୍ୟ ହେବେ

ରିଲାଏନ୍ସ HDFC ବ୍ୟାଙ୍କ ଓ ଅନ୍ୟ ଶେୟରରେ ବି ତୀବ୍ର ଉତ୍ଥାନ-ପତନ

କେବଳ ସେନସେକ୍ସରେ ନୁହେଁ, ଏହି ସମୟରେ ବଡ଼ ବଡ଼ ଶେୟାରରେ ମଧ୍ୟ ଅସାଧାରଣ ମୂଲ୍ୟ ପରିବର୍ତ୍ତନ ଦେଖାଯାଇଥିଲା। ସେନସେକ୍ସରେ ସର୍ବାଧିକ ଓଜନ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଶେୟାର ମାତ୍ର ୭ ମିନିଟ୍‌ରେ ପ୍ରାୟ ୧,୨୮୯ ଟଙ୍କାରୁ ୧,୨୫୦ ଟଙ୍କାକୁ ଖସିଥିଲା। ପରେ ଏହାର ମୂଲ୍ୟରେ ତୀବ୍ର ସୁଧାର ହୋଇ ଶେୟର ପ୍ରାୟ ୧,୨୮୬ ଟଙ୍କାରେ ବନ୍ଦ ହୋଇଥିଲା। ଏହା ବ୍ୟତୀତ HDFC ବ୍ୟାଙ୍କ, ITC ଓ ଭାରତୀ ଏୟାରଟେଲ୍ ଭଳି ପ୍ରମୁଖ ଶେୟରରେ ମଧ୍ୟ ବନ୍ଦ ସମୟରେ ବଡ଼ ମୂଲ୍ୟ ପରିବର୍ତ୍ତନ ଦେଖାଯାଇଥିଲା।

ନୂଆ କ୍ଲୋଜିଂ ଅକ୍ସନ ସେସନକୁ ନେଇ ପ୍ରଶ୍ନ

ବଜାର ବନ୍ଦ ହେବା ପୂର୍ବରୁ ଏଭଳି ତୀବ୍ର ଅପଡାଉନ ହେବା ପରେ ନୂଆ Closing Auction Session (CAS) ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ (BSE) ଅଗଷ୍ଟ ୩ରୁ ଶେୟରର କ୍ଲୋଜିଂ ମୂଲ୍ୟ ନିର୍ଦ୍ଧାରଣ ପାଇଁ CAS ବ୍ୟବସ୍ଥା ଆରମ୍ଭ କରିଥିଲା। ମୂଲ୍ୟରେ କୃତ୍ରିମ ହସ୍ତକ୍ଷେପ ଓ ମାନିପୁଲେସନର ସମ୍ଭାବନା କମାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଥିଲା।

ଏହି ବ୍ୟବସ୍ଥା ବର୍ତ୍ତମାନ ଇକ୍ୱିଟି ଡେରିଭେଟିଭ୍ସ ଟ୍ରେଡିଂ ହେଉଥିବା ପ୍ରାୟ ୨୦୦ଟି ଶେୟରରେ ଲାଗୁ ହେଉଛି। ଅନ୍ୟ ଶେୟରଗୁଡ଼ିକରେ ପୂର୍ବର ଭଲ୍ୟୁମ୍-ୱେଟେଡ୍ ଆଭେରେଜ୍ ପ୍ରାଇସ୍ ପଦ୍ଧତି ଜାରି ରହିଛି। CAS ଲାଗୁ ହେବା ପରଠାରୁ ବଜାର ବନ୍ଦ ହେବାର ଠିକ୍ ପୂର୍ବରୁ, ଅର୍ଥାତ୍ ୩ଟା ୧୫ରୁ ୩ଟା ୩୦ ମଧ୍ୟରେ, ସେନସେକ୍ସ ଓ ନିଫ୍ଟିରେ ଅସାଧାରଣ ମୂଲ୍ୟ ପରିବର୍ତ୍ତନ ନଜରକୁ ଆସିଥିବା ଚର୍ଚ୍ଚା ହେଉଛି।

SEBIର ସମ୍ପ୍ରତିକ କାର୍ଯ୍ୟାନୁଷ୍ଠାନ ପରେ ଆହୁରି ବଢ଼ିଲା ଚର୍ଚ୍ଚା

ଏହି ଘଟଣା ଏଭଳି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ସେନସେକ୍ସ ଓ ଏହାର ଅଂଶୀଦାର ଶେୟାରରେ ମାନିପୁଲେସନ୍ ଅଭିଯୋଗ ନେଇ ବଜାର ନିୟାମକ ସେବି ନିକଟରେ କାର୍ଯ୍ୟାନୁଷ୍ଠାନ ନେଇଛି। ଗୋଟିଏ ସପ୍ତାହ ପୂର୍ବରୁ ସେବି ଜେପି ମୋର୍ଗାନ ସହ ସମ୍ପର୍କିତ ସଂସ୍ଥା କପଥାଲ ମରିସିଅସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ସେନସେକ୍ସ ଓ ଏହାର ଅଂଶୀଦାର ଶେୟରରେ କଥିତ ମାନିପୁଲେସନର ଅଭିଯୋଗ ମଧ୍ୟ ଆସିଥିଲା। ମାନସୀ ଷ୍ଟକ୍ ଏବଂ ସେୟାର ବ୍ରୋକିଙ୍ଗ (Mansi Stock & Share Broking) ବିରୋଧରେ ମଧ୍ୟ ସମାନ ପ୍ରକାରର ଅଭିଯୋଗ ହୋଇଥିଲା। ନିୟାମକ ଉଭୟ ସଂସ୍ଥାକୁ ସମ୍ପୃକ୍ତ ବଜାର କାରବାରରୁ ବାରଣ କରିବା ସହ କଥିତ ଅବୈଧ ଲାଭର ପ୍ରାୟ ୩.୮ କୋଟି ଟଙ୍କା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା।

୧ ଲକ୍ଷରୁ ୪୪ ଲକ୍ଷ ଦାବି କେତେ ବାସ୍ତବ?

ଟ୍ରେଡରଙ୍କ ୧ ଲକ୍ଷ ଟଙ୍କାରୁ ୪୪ ଲକ୍ଷ ଟଙ୍କା ହେବାର ଦାବି ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି। କିନ୍ତୁ ଏହା ମନେ ରଖିବା ଜରୁରୀ ଯେ, ଏହା ଏକ କଳ୍ପନା କରାଯାଇଥିବା ହିସାବ, ବାସ୍ତବ ଟ୍ରେଡ୍ର ପ୍ରମାଣ ନୁହେଁ। ସେନସେକ୍ସର ଅତ୍ୟଧିକ ତୀବ୍ର ମୂଲ୍ୟ ପରିବର୍ତ୍ତନକୁ ଆଧାର କରି ଏହି ହିସାବ କରାଯାଇଛି। ତେଣୁ ପ୍ରକୃତରେ କୌଣସି ଟ୍ରେଡର ୫ ମିନିଟ୍ରେ ୧ ଲକ୍ଷ ଟଙ୍କାକୁ ୪୪ ଲକ୍ଷ ଟଙ୍କା କରିଥିଲେ ବୋଲି ଏଥିରୁ ନିଶ୍ଚିତ ହେଉନାହିଁ। ତେଣୁ ଟ୍ରେଡିଂ ବେଳେ ସବୁବେଳେ ସତର୍କ ରହି ଟ୍ରେଡିଂ କରିବା ଉଚିତ। ଏଭଳି କଳ୍ପନାଯୁକ୍ତ ଟ୍ରେଡିଂରେ ବିଶ୍ୱାସ କରି ଟଙ୍କା ନିବେଶ କରିବା ଉଚିତ୍ ନୁହେଁ।