ନୂଆଦିଲ୍ଲୀ: ଇରାନ ପରେ ଏବେ କ୍ୟୁବା ଉପରେ ଆକ୍ରମଣ କରିବାକୁ ଯାଉଛି ଆମେରିକା । ଆମେରିକାର ସିନେଟ୍ ରାଷ୍ଟ୍ରପତି ଟ୍ରମ୍ପଙ୍କୁ କ୍ୟୁବା ଉପରେ ସାମରିକ ଆକ୍ରମଣ କରିବାକୁ ଅନୁମତି ଦେଇଛି। ବିରୋଧୀ ଦଳ ଦ୍ୱାରା ଆଗତ ‘ଆକ୍ରମଣ ନକରିବା ପାଇଁ ଏକ ପ୍ରସ୍ତାବ’ ସିନେଟରେ ୫୧-୪୭ ଭୋଟରେ କାଟ୍ ଖାଇଛି ।

ଅଧିକାଂଶ ରିପବ୍ଲିକାନ ସିନେଟର ରାଷ୍ଟ୍ରପତିଙ୍କ ସପକ୍ଷରେ ଭୋଟ ଦେଇ ଏହାକୁ ଜାତୀୟ ସୁରକ୍ଷା ପ୍ରସଙ୍ଗ ବୋଲି କହିଛନ୍ତି । ଡେମୋକ୍ରାଟମାନେ ଏହାକୁ ସାମ୍ବିଧାନିକ ପ୍ରକ୍ରିୟାର ଉଲ୍ଲଂଘନ ବୋଲି କହିଛନ୍ତି । କିନ୍ତୁ ଦୁଇଜଣ ଡେମୋକ୍ରାଟିକ୍ ସିନେଟର ସିନେଟରେ ଅନୁପସ୍ଥିତ ରହି ଟ୍ରମ୍ପଙ୍କୁ ସାହାଯ୍ୟ କରିଛନ୍ତି । ଆମେରିକୀୟ ଗୁଇନ୍ଦା ରିପୋର୍ଟରେ କ୍ୟୁବା ସରକାର ରୁଷ ଏବଂ ଚୀନ୍ ସହିତ ସାମରିକ ସହଯୋଗ କରୁଥିବା ଅଭିଯୋଗ ହୋଇଛି । ରାଷ୍ଟ୍ରପତି ଟ୍ରମ୍ପ୍ କ୍ୟୁବାକୁ ‘ଆଞ୍ଚଳିକ ବିପଦ’ ବୋଲି ଘୋଷଣା କରି ସାରିଛନ୍ତି।

ବିବାଦ କ’ଣ ?

ଆମେରିକା-କ୍ୟୁବା ବିବାଦ ୬୭ ବର୍ଷ ପୁରୁଣା। ଏହା ୨୦୨୬ରେ ପୁଣି ଥରେ ଉଗ୍ର ରୂପ ଧାରଣ କରିଛି । ବିବାଦର ମୂଳ ହେଉଛି ୧୯୫୯ ର ବିପ୍ଳବ। ଫିଡେଲ କାଷ୍ଟ୍ରୋ ଆମେରିକା ସମର୍ଥିତ ବାଟିଷ୍ଟା ସରକାରଙ୍କୁ ହଟାଇ ଏକ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠା କରିଥିଲେ। ଆମେରିକା କ୍ୟୁବା ଚିନି କାରଖାନା ଏବଂ କମ୍ପାନୀଗୁଡ଼ିକୁ ଜବତ କରିବା ପରେ ୧୯୬୦ରୁ ପ୍ରତିବନ୍ଧକ ଲଗାଇଥିଲା। ଏହା ପରେ, କ୍ୟୁବା ଶୀତଳ ଯୁଦ୍ଧରେ ସୋଭିଏତ୍ ସଂଘର ପକ୍ଷ ନେଇଥିଲା। ୧୯୬୨ କ୍ଷେପଣାସ୍ତ୍ର ସଙ୍କଟ ପରେ, ଆମେରିକା ସମ୍ପୂର୍ଣ୍ଣ ଅବରୋଧ କରିଥିଲା। ୧୯୮୨ ରେ, କ୍ୟୁବାକୁ ‘ଆତଙ୍କବାଦୀ ପ୍ରାୟୋଜିତ ଦେଶ’ ଘୋଷଣା କରିଥିଲା ଆମେରିକା ।

ସଙ୍କଟରେ କ୍ୟୁବା

ଜାନୁଆରୀ ୨୦୨୬ ପରଠାରୁ କ୍ୟୁବାରେ ତୈଳ ପହଞ୍ଚିନାହିଁ । ଟ୍ରମ୍ପ ଜାନୁଆରୀ ୨୯ ତାରିଖରେ, ଯେଉଁ ଦେଶ କ୍ୟୁବାକୁ ତୈଳ ଯୋଗାଇବ ତା ବିରୋଧରେ ଶୁଳ୍କ ଲାଗୁ କରାଯିବ ବୋଲି ଆମେରିକା ଏକ ନିର୍ଦ୍ଦେଶ ଜାରି କରିଥିଲା । ଏହା ପୂର୍ବରୁ ଜାନୁଆରୀ ୩ ତାରିଖରେ ଭେନେଜୁଏଲାରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ କରିଥିଲା । ମାଦୁରୋଙ୍କୁ ବନ୍ଦୀ କରାଯାଇଥିଲା, ତେଲ ଯୋଗାଣ ବନ୍ଦ କରି ଦିଆଯାଇଥିଲା। ଆମେରିକାର ଚାପରେ ମେକ୍ସିକୋ ମଧ୍ୟ କ୍ୟୁବାକୁ ତେଲ ଯୋଗାଣ ବନ୍ଦ କରିଦେଇଛି ।