ମୁମ୍ବାଇ: ମହାରାଷ୍ଟ୍ରର ଥାଣେ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଶିବସେନା (UBT) ର ଜଣେ ପୂର୍ବତନ ସାଂସଦଙ୍କ ବୋହୂ ନିଜ ସ୍ବାମୀ ଏବଂ ଶାଶୁଘର ଲୋକଙ୍କ ବିରୋଧରେ ଜୋରଜବରଦସ୍ତି ଗୋମୂତ୍ର ପିଆଇବା ଏବଂ ଗୁଣିଗାରେଡ଼ି କରିଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ବୋହୂଙ୍କ ଅଭିଯୋଗ ଆଧାରରେ ପୋଲିସ ଅନ୍ଧବିଶ୍ବାସ ବିରୋଧୀ ଆଇନ ଏବଂ ଅପରାଧିକ ଧାରାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଥାନାରେ ଏଫ୍‌ଆଇଆର୍‌ 
ଅଭିଯୋଗକାରୀ ଗିରିଜା ରାଉତ ନିଜ ଶ୍ବଶୁର ତଥା ଶିବସେନା (UBT) ନେତା ବିନାୟକ ରାଉତ, ସ୍ବାମୀ ଗିତେଶ ରାଉତ ଏବଂ ଦୁଇ ଜଣ ତାନ୍ତ୍ରିକ (ଫିରୋଜ ବାବା ଓ କାଜି ବାବା) ଙ୍କ ନାମରେ ଏଫ୍‌ଆଇଆର୍‌ ଦେଇଛନ୍ତି। ଗିରିଜାଙ୍କ କହିବା ଅନୁସାରେ, ବିବାହ ପରଠାରୁ ତାଙ୍କୁ ବର୍ଷ ବର୍ଷ ଧରି ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ତାଙ୍କୁ ବିଭିନ୍ନ ଭଣ୍ଡ ବାବାଙ୍କ ପାଖକୁ ନିଆଯାଇ ଗୁଣିଗାରେଡ଼ି କରାଯାଉଥିଲା, ଗୋମୂତ୍ର ପିଇବାକୁ ବାଧ୍ୟ କରାଯାଉଥିଲା ଏବଂ କଳା ଯାଦୁ ପାଇଁ ତାଙ୍କ ମୁଣ୍ଡରୁ କେଶ ନିଆଯାଇଥିଲା ।

ଗିରିଜା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଶାଶୁଘର ଲୋକେ ପାରିବାରିକ ଏବଂ ଦାମ୍ପତ୍ୟ ସମସ୍ୟା ପାଇଁ ଅଲୌକିକ ଶକ୍ତିକୁ ଦାୟୀ କରୁଥିଲେ। ସେ ହାଇପରଥାଇରଏଡ୍ (Hyperthyroidism) ରୋଗରେ ପୀଡ଼ିତ ଥିବା ସତ୍ତ୍ବେ ତାଙ୍କୁ ଚିକିତ୍ସା କରାନଯାଇ ଏଭଳି ଅନ୍ଧବିଶ୍ବାସର ଆଶ୍ରୟ ନିଆଯାଇଥିଲା। ସେ କହିଛନ୍ତି, ‘ମୋ ସ୍ବାମୀ ଦାମ୍ପତ୍ୟ ଜୀବନ ଆଗକୁ ବଢ଼ାଇବାରେ ଅସମର୍ଥ ଥିଲେ, ସେଥିପାଇଁ ଶାଶୁଘର ଲୋକେ ମୋତେ କୋଙ୍କଣ ଅଞ୍ଚଳର ଭଣ୍ଡ ବାବାଙ୍କ ପାଖକୁ ନେଉଥିଲେ। ଏହା ଟଙ୍କାପଇସାର ମାମଲା ନୁହେଁ, ବରଂ ମୋ ଉପରେ ହୋଇଥିବା ଶାରୀରିକ ଓ ମାନସିକ ନିର୍ଯାତନାର କଥା।’

ଏହି ଅଭିଯୋଗ ଭିତ୍ତିରେ ପୋଲିସ ମହାରାଷ୍ଟ୍ର ଅନ୍ଧବିଶ୍ବାସ ଓ କଳା ଯାଦୁ ବିରୋଧୀ ଆଇନ, ୨୦୧୩ ଏବଂ ଭାରତୀୟ ନ୍ୟାୟ ସଂହିତା (BNS) ର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ଅନ୍ୟପଟେ, ପୂର୍ବତନ ସାଂସଦ ବିନାୟକ ରାଉତ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି। ସେ ଏହାକୁ ପରିବାର ଉପରେ ପ୍ରତିଶୋଧ ନେବା ଏବଂ ଭରଣପୋଷଣ (Alimony) ମାମଲା ସହ ଜଡ଼ିତ ବୋଲି ଦର୍ଶାଇଛନ୍ତି। ତାଙ୍କ କହିବା ଅନୁସାରେ, ଏହି ଘଟଣାଗୁଡ଼ିକ ୨୦୧୮ ରୁ ୨୦୨୨ ମଧ୍ୟରେ ଘଟିଥିବା କୁହାଯାଉଛି, କିନ୍ତୁ ସେତେବେଳେ କୌଣସି ଅଭିଯୋଗ କରାଯାଇ ନଥିଲା। ଯେତେବେଳେ ଭରଣପୋଷଣ ମାମଲା କୋର୍ଟକୁ ଗଲା, ସେତେବେଳେ ଗିରିଜା ପୋଲିସ ପାଖକୁ ଯାଇଛନ୍ତି। 

ବିନାୟକ ରାଉତ ଦାବି କରିଛନ୍ତି ଯେ, ତାଙ୍କ ବୋହୂ ପ୍ରାୟ ୫ କୋଟି ଟଙ୍କାର ଏକ ଫ୍ଲାଟ୍ ଏବଂ ମାସିକ ୨ ଲକ୍ଷ ଟଙ୍କାର ଭରଣପୋଷଣ ଦାବି କରୁଥିଲେ, ଯାହାକୁ ତାଙ୍କ ପରିବାର ପ୍ରତ୍ୟାଖ୍ୟାନ କରିଥିଲା। ଗତ ତିନି ବର୍ଷ ହେବ ଗିରିଜା ତାଙ୍କ ସ୍ବାମୀଙ୍କଠାରୁ ଅଲଗା ରହୁଥିବା ବେଳେ ବାବାମାନଙ୍କ ପାଖକୁ ଯିବା ସମୟରେ ତାଙ୍କ ବାପାମା' ମଧ୍ୟ ଉପସ୍ଥିତ ଥିଲେ ବୋଲି ସେ କହିଛନ୍ତି।