କୋଲକାତା: ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କାଳରେ ମଧ୍ୟ ଛକାପଞ୍ଝା ଜାରି ରହିଛି। ବିଭିନ୍ନ ସ୍ଥାନରୁ ହିଂସା ଓ ଗଣ୍ଡଗୋଳର ଖବର ଆସୁଛି। ଫଲତା ବିଧାନସଭା ନିର୍ବାଚନମଣ୍ଡଳିରେ ଲୋକେ ତୃଣମୂଳ କଂଗ୍ରେସ (ଟିଏମସି) ଧମକାଉଥିବାର ଅଭିଯୋଗ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ମତଦାନ କାଳରେ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ଅଶାନ୍ତି ଉପୁଜିଥିବାର ସୂଚନା ଆସୁଛି। ମତଦାନ କାଳରେ ହିଂସା ଓ ବୋମାମାଡ଼ ରୋକିବା ପାଇଁ ଏନଆଇଏକୁ ମୁତୟନ କରାଯାଇଛି। ଏହା ଛଡା ହିଂସା ଓ ଝଗଡ଼ାଝାଟି ଖବର ଲଗାତାର ଆସିବାରେ ଲାଗିଛି।

ଦକ୍ଷିଣ ୨୪ ପ୍ରଗଣାରେ ବିଜେପି ପ୍ରାର୍ଥୀଙ୍କ ଉପରେ ଆକ୍ରମଣ
ଦ୍ୱିତୀୟ ପର୍ଯ୍ୟାୟ ମତଦାନ କାଳରେ ଦକ୍ଷିଣ ୨୪ ପ୍ରଗଣାରେ ବିଜେପି ପ୍ରାର୍ଥୀ ବିକାଶ ସର୍ଦ୍ଦାରଙ୍କ ଉପରେ ଆକ୍ରମଣ କରାଯାଇଛି। ଲୋକେ ତାଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ବିକାଶ ସର୍ଦ୍ଦାର ଅଭିଯୋଗ କରିଛନ୍ତି ଯେ ଲୋକେ ‘ଜୟ ବାଂଲା’ସ୍ଲୋଗାନ ଦେଇ ମୋତେ ମାରପିଟ କରିବା ସହ ଗାଳିଗୁଲଜ କରିଛନ୍ତି। ଏଠାରେ ସୁରକ୍ଷାର କୌଣସି ବନ୍ଦୋବସ୍ତ ନଥିବା ବିକାଶ ସର୍ଦ୍ଦାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଜଣେ ପ୍ରାର୍ଥୀ ଭାବେ ମୋତେ ଯେତେବେଳେ ସୁରକ୍ଷା ମିଳି ପାରୁ ନାହିଁ ସାଧାରଣ ଲୋକଙ୍କୁ ଏଥିରେ କଣ ସୁରକ୍ଷା ମିଳୁଥିବା ସହଜରେ ଅନୁମାନ କରାଯାଇପାରେ।

ଫଲତା ଓ ହାୱଡାରେ ଲାଠି ଚାର୍ଜ
ସୁରକ୍ଷା ବଳ ଫଲତାର ବେଲସିଂଘାରେ ବୁଥ ନମ୍ବର ୧୮୬ରେ ଲାଠି ଚାର୍ଜ କରିଛନ୍ତି। ଖବର ଅନୁସାରେ ପୋଲିଂ ବୁଧର ୧୦୦ ମିଟର ପରିସରକୁ ସର୍ବସାଧାରଣଙ୍କ ପ୍ରବେଶ କଟକଣା ଥିଲା। ତେବେ ଲୋକେ ଆଇନ ଉଲ୍ଲଂଘନ କରି ବୁଥ ଚାରିପଟେ ଘେରି ରହି ହୋ ହଲ୍ଲା କରୁଥିଲେ। ଏଣୁ କେନ୍ଦ୍ରୀୟ ବଳ ଜବାନ ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଲାଠି ଚାର୍ଜ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସେହିପରି ହାୱଡାର ବାଲି ବିଧାନସଭା ନିର୍ବାଚନମଣ୍ଡଳିର ଡନବସ୍କୋ ଲିଲୁଆହ ସହଲରଲ ବିଦ୍ୟାଳୟରେ ଚାଲିଥିବା ଭୋଟଗ୍ରହଣ କେନ୍ଦ୍ରରେ ଇଭିଏମ ଅଚଳ ହୋଇପଡିବାରୁ ଉତ୍ତେଜନା ଦେଖା ଦେଇଥିଲା। ଫଳରେ ପରିସ୍ଥିତି ଆୟତ୍ତ କରିବାକୁ ସୁରକ୍ଷା ବଳ ଲାଠିଚାର୍ଜ କରିବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ହୋଇଛି ରେକର୍ଡ ଭୋଟିଂ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଜାରି ରାଜନୈତିକ ଉତ୍ତେଜନା ସତ୍ତ୍ୱେ ଭୋଟରଙ୍କ ମଧ୍ୟରେ ଜୋରଦାର ଉତ୍ସାହ ପରିଲକ୍ଷିତ ହୋଇଛି। ଲୋକଙ୍କ ମଧ୍ୟରେ ଭୋଟଦାନକୁ ନେଇ ଉତ୍ସାହ ଯୋଗୁ ମଧ୍ୟାହ୍ନ ଗୋଟାଏ ସୁଦ୍ଧା ୬୧.୧୧%ରୁ ଅଧିକ ଭୋଟଗ୍ରହଣ ହୋଇଥିଲା। ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୧୪୨ ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ଭୋଟ ଗ୍ରହଣ ହେଉଛି। ନିର୍ବାଚନରେ ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ୧୪୪୮ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା ହେଉଛି।

Also Read..ନଦିଆରେ ବିଜେପି ପ୍ରାର୍ଥୀ ସୈକତ ସରକାରଙ୍କ ଉପରେ ରକ୍ତାକ୍ତ ଆକ୍ରମଣ, ଟିଏମସି ବିରୋଧରେ ଅଭିଯୋଗ