ସୁନ୍ଦରଗଡ଼ ୧୯।୯: ପୁଣି ଟେନସନ୍ ଦେଲାଣି ସ୍କ୍ରବ୍ ଟାଇଫସ୍ । ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ୯ ଶହ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ୫ ହଜାର ୬ ଶହ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି । ଜିଲ୍ଲାରୁ ପ୍ରତି ଦିନ ୧୦୦ରୁ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଉଛି । ରୋଗୀଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ପ୍ରତି ଦିନ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଚିନ୍ତା ବଢାଇଛି ସ୍କ୍ରବ୍ ଟାଇଫସ୍ । ଗାଁ ଗାଁରେ ଅଙ୍ଗନବାଡି, ଆଶା କର୍ମୀ ଏବଂ ଡାକ୍ତରୀ ଟିମ୍ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସଚେତନ କରୁଛି ।

ସ୍କ୍ରବ୍ ଟାଇଫସ୍‌ର ଲକ୍ଷଣ

ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ହେଲେ ରୋଗୀଙ୍କର ଜ୍ବର, ମୁଣ୍ଡବିନ୍ଧା, ତଳିପେଟରେ ଯନ୍ତ୍ରଣା, ଶ୍ବାସ ପ୍ରଶ୍ବାସରେ କଷ୍ଟ ଭଳି ଲକ୍ଷଣ ଦେଖାଯାଇଥାଏ । ରୋଗ ନିରୂପଣରେ ବିଳମ୍ବ ହେଲେ ଜୀବନ ଯିବାର ଆଶଙ୍କା ମଧ୍ୟ ଥାଏ । ତୁରନ୍ତ ରୋଗ ନିରୂପଣ ହୋଇପାରିଲେ ଚିକିତ୍ସା ପଦ୍ଧତି ଅତି ସାଧାରଣ ବୋଲି ଡାକ୍ତର କହିଛନ୍ତି ।

ଏହି କୀଟ କାମୁଡ଼ିଲେ ବ୍ୟାପେ ସ୍କ୍ରବ୍ ଟାଇଫସ୍

ଚିଗସ ନାମକ ଏକ ବିଷାକ୍ତ କୀଟ ଯୋଗୁଁ ଏହି ରୋଗ ସୃଷ୍ଟି ହୋଇଥାଏ । ଯେଉଁମାନେ ବିଲ କିମ୍ବା ଜଙ୍ଗଲରେ କାମ କରନ୍ତି ଗଛରେ ଥିବା କୀଟ ସେମାନଙ୍କୁ କାମୁଡ଼ିଲେ ଏହି ରୋଗ ହୋଇଥାଏ । ଜଙ୍ଗଲ ଓ ବିଲକୁ ଗଲେ ପୂରା ପୋଷାକ ପିନ୍ଧିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଜ୍ବର ହେଲେ ତୁରନ୍ତ ଡାକ୍ତରଖାନା ଆସିବା ପାଇଁ ପରାମର୍ଶ ଦିଆଯାଉଛି ।

Also Read:- ଜଣ୍ଡିସ୍ ଭୟରେ ହଷ୍ଟେଲ ଖାଲି, ଘରକୁ ଫେରିଲେ ୬୦ ଛାତ୍ରୀ

ସେପଟେ ସ୍କ୍ରବ୍ ଟାଇଫସ୍ ସ୍ଥିତି ଉପରେ ନଜର ରଖାଯାଇଥିବା ଭାରପ୍ରାପ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଶିବାଶିଷ ମହାରଣା ସୂଚନା ଦେଇଛନ୍ତି ।