ନୂଆଦିଲ୍ଲୀ ୩୧।୦୭; ମହାଦେବଙ୍କ ଅତି ପ୍ରିୟ ମାସ ଶ୍ରାବଣର ଆରମ୍ଭ ହୋଇସାରିଛି। ଶ୍ରାବଣ ଭଳି ପବିତ୍ର ମାସରେ ଭଗବାନ ଶିବ ଏବଂ ମାତା ପାର୍ବତୀ ମର୍ତ୍ତ୍ୟକୁ ବିଚରଣ କରିବାକୁ ଆସିଥା’ନ୍ତି ବୋଲି ମାନ୍ୟତା ମଧ୍ୟ ରହିଛି । ଏହି ସମୟରେ ସମର୍ପଣ ଭାବ ସହ ପ୍ରଭୁ ଶିବଙ୍କର ପୂଜା କଲେ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଶାସ୍ତ୍ର କୁହେ । ଶିବଙ୍କର କୃପାଲାଭ କରିବା ପାଇଁ ପୂଜା-ପାଠର ଯେତିକି ଆବଶ୍ୟକତା ରହିଛି ସେତିକି ସତର୍କତା ଅବଲମ୍ବନ କରିବା ମଧ୍ୟ ଅତି ଜରୁରୀ । ଜ୍ୟୋତିଷଙ୍କ ମତରେ, ଏହି ପବିତ୍ର ମାସରେ କିଛି କାର୍ଯ୍ୟ କରିବାକୁ କଡ଼ାକଡ଼ି ଭାବେ ମନା କରାଯାଇଛି ଯାହା ଅଜାଣତରେ କରିଦେଲେ ମଧ୍ୟ ମହାଦେବ ଅସନ୍ତୁଷ୍ଟ ହୋଇପାରନ୍ତି ।

ଶ୍ରାବଣ ମାସରେ ତାମସିକ ଭୋଜନ ଯଥା- ରସୁଣ, ପିଆଜ, ଆମିଷ ଏବଂ ମଦ୍ୟପାନଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଉଚିତ୍ ।

ଏହାସହ ଶିବଲିଙ୍ଗ ପୂଜା ସମୟରେ କିଛି ଖାସ୍ ଜିନିଷ ଯେପରିକି ହଳଦୀ, କୁଙ୍କୁମ, ତୁଳସୀ ପତ୍ର, କେତକୀ ଫୁଲ ଏବଂ କଟା ବେଲପତ୍ର କଦାପି ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ ନାହିଁ ।

ସେହିପରି ଶିବଲିଙ୍ଗରେ କେବେ ମଧ୍ୟ ତମ୍ବା ପାତ୍ରରେ କ୍ଷୀର ଢ଼ାଳନ୍ତୁ ନାହିଁ କାରଣ ତମ୍ବାରେ କ୍ଷୀର ବିଷାକ୍ତ ହୋଇଯାଏ; କ୍ଷୀର କେବଳ ପିତ୍ତଳ, ରୂପା କିମ୍ବା ଷ୍ଟିଲ୍ ପାତ୍ରରେ ହିଁ ଚଢ଼ାଇବା ଉଚିତ୍।

ଏହି ମାସରେ ଶରୀରରେ ତେଲ ମାଲିସ କରିବା, ନଖ କାଟିବା କିମ୍ବା ଦାଢ଼ି-ଚୁଟି କାଟିବାକୁ ମଧ୍ୟ ଅଶୁଭ ବୋଲି କୁହାଯାଏ । ଏପରିକି ଶ୍ରାବଣ ବ୍ରତ ରଖିଥିବା ଲୋକ ଦିନବେଳେ ଶୋଇବାଠାରୁ ନିବୃତ୍ତ ରହିବା ଆବଶ୍ୟକ । କାରଣ ଏହି ସମୟ କେବଳ ଶିବ ନାମ ସ୍ମରଣ ଓ ମନ୍ତ୍ର ଜପ ପାଇଁ ସର୍ବୋତ୍ତମ ଅଟେ ।

ଏହା ସହିତ ଗାଈ, ନନ୍ଦୀ ବା ସାପ ଭଳି କୌଣସି ଜୀବଜନ୍ତୁଙ୍କୁ କଷ୍ଟ ନ ଦେଇ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଜରୁରୀ ବୋଲି ଶାସ୍ତ୍ରରେ କୁହାଯାଇଛି ।

ଶେଷରେ ଶ୍ରାବଣ ମାସ ହେଉଛି ଆତ୍ମିକ ଶୁଦ୍ଧିର ପର୍ବ ତେଣୁ ଏହି ସମୟରେ କାହାକୁ କଟୁ କଥା କହିବା, କ୍ରୋଧ କରିବା କିମ୍ବା ବୟସ୍କ ଓ ମହିଳାମାନଙ୍କୁ ଅପମାନିତ କରିବା ମହାଦେବଙ୍କ ପୂଜାର ଫଳକୁ ନଷ୍ଟ କରିଦେଇଥାଏ । ତେଣୁ ସୁସ୍ଥ ମନ, ମଧୁର ବାଣୀ ଏବଂ ସାତ୍ତ୍ବିକ ବିଚାରଧାରା ସହିତ ମହାଦେବଙ୍କ ଆରାଧନା କଲେ ଜୀବନର ସମସ୍ତ ଦୁଃଖ ଓ କଷ୍ଟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି ।