ନୂଆଦିଲ୍ଲୀ: ଦୁର୍ଗମ ମରୁଭୂମିରେ ବଡ଼ ସାମରିକ ଢ଼ାଞ୍ଚା ନିର୍ମାଣ କରୁଛି ଚୀନ୍ । ଦେଶର ପରମାଣୁ ଯୁଦ୍ଧ କ୍ଷମତା ବହୁଗୁଣିତ କରିବା ଲକ୍ଷରେ ଚୀନ୍ ନିଜର ଏହି ଭତ୍ତିଭୂମିକୁ ଆହୁରି ସୁଦୃଢ଼ କରୁଛି । ୮୦ରୁ ଅଧିକ ଲଞ୍ଚ ପ୍ୟାଡ୍, ୩ଟି ଅକ୍ଟାଗନ ବା ଅଷ୍ଟଭୁଜାକାର (Octagon-shaped) ପ୍ରତିଷ୍ଠାନ ମଧ୍ୟ ହୋଇଥିବା ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି । ଏହି ଚିତ୍ରକୁ ଦେଖିଲେ, କୌଣସି ସାଇନ୍ସ ଫିକ୍ସନ ଫିଲ୍ମର ସେଟ୍ ପରି ମନେ ହେଉଛି । ଚୀନର ଏହି ସାମରିକ ଭିତ୍ତିଭୂମି ଆମେରିକା ସମେତ ସମଗ୍ର ବିଶ୍ବକୁ ଚିନ୍ତାରେ ପକାଇଛି । କାହିଁକି ହଠାତ ପରମାଣୁ ଭିତ୍ତିଭୂମିକୁ ଆହୁରି ମଜଭୁତ କରୁଛି ଚୀନ୍ ? ଦୁର୍ଗମ ମରୁଭୂମିରେ ପରମାଣୁ କାର୍ଯ୍ୟକ୍ରମ ବୃଦ୍ଧି କରିବା ପଛରେ ଡ୍ରାଗନର ଲକ୍ଷ୍ୟ କଣ ?

ବିଶେଷଜ୍ଞମାନଙ୍କ ମତରେ, ଯଦି ଆମେରିକା ପକ୍ଷରୁ ଚୀନର ପରମାଣୁ କେନ୍ଦ୍ରଗୁଡ଼ିକ ଉପରେ ପ୍ରଥମେ ଆକ୍ରମଣ ହୁଏ, ତେବେ ଚୀନ ଏହି ସାମରିକ କେନ୍ଦ୍ରରୁ ପାଲଟା ପରମାଣୁ ଆକ୍ରମଣ କରିପାରିବ । ଚୀନ ପାଖରେ ବର୍ତ୍ତମାନ ଏଭଳି ମିସାଇଲ୍ ରହିଛି ଯାହା ଆମେରିକାର ଯେକୌଣସି ସ୍ଥାନକୁ ପହଞ୍ଚିପାରିବ । ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହେଉଛି ଯେ, ବେଜିଂ ନିଜର ପରମାଣୁ ମିସାଇଲ୍ ବାହିନୀର ଭିତ୍ତିଭୂମିକୁ ଆହୁରି ମଜଭୁତ କରିବାରେ ଲାଗିଛି।

ସାଟେଲାଇଟ୍ ଚିତ୍ରକୁ ଅନୁଧ୍ୟାନ କରିବା ପରେ ଜଣାପଡ଼ିଛି ଯେ, ଚୀନ ନିଜର 'ହାମି' (Hami) ପରମାଣୁ ମିସାଇଲ୍ ସାଇଲୋ କ୍ଷେତ୍ର ନିକଟରେ ୮୦ରୁ ଅଧିକ ଲଞ୍ଚ ପ୍ୟାଡ୍ ନିର୍ମାଣ କରିଛି। ଏହା ସହିତ ୩ଟି ବଡ଼ ଅଷ୍ଟଭୁଜାକାର (Octagon-shaped) ପ୍ରତିଷ୍ଠାନ ମଧ୍ୟ ତିଆରି କରାଯାଇଛି। ସୁରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଲଞ୍ଚ ପ୍ୟାଡଗୁଡ଼ିକୁ ମୋବାଇଲ୍ ମିସାଇଲ୍ ଲଞ୍ଚର ଏବଂ ଏୟାର-ଡିଫେନ୍ସ ସିଷ୍ଟମ୍ ପାଇଁ ବ୍ୟବହାର କରାଯାଇପାରିବ। ଅନ୍ୟପଟେ ବଡ଼ ଅଷ୍ଟଭୁଜାକାର କେନ୍ଦ୍ରଗୁଡ଼ିକୁ ଯୋଗାଯୋଗ, ଇଲେକ୍ଟ୍ରୋନିକ୍ ୱାରଫେୟାର୍ ଏବଂ ସାମରିକ କମାଣ୍ଡ ପାଇଁ ବ୍ୟବହାର କରାଯିବାର ସମ୍ଭାବନା ରହିଛି।

ଚୀନର ରଣନୀତି

ବିଶେଷଜ୍ଞଙ୍କ ମତରେ, ଏହି ସାମରିକ ଭିତ୍ତିଭୂମି ମରୁଭୂମିର ହଜାର ହଜାର ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି। ଏହା ଚୀନର ପରମାଣୁ ପ୍ରତିରୋଧକ କ୍ଷମତାକୁ ବହୁ ଗୁଣିତ କରିବ। ଚୀନ ଏହା ସୁନିଶ୍ଚିତ କରିବାକୁ ଚାହୁଁଛି ଯେ, ଶତ୍ରୁ ପକ୍ଷର ପ୍ରଥମ ଆକ୍ରମଣରେ କିଛି ସାଇଲୋ (ପରମାଣୁ ଯୁଦ୍ଧାସ୍ତ୍ର ଗଚ୍ଛିତ ସ୍ଥାନ) ନଷ୍ଟ ହେଲେ ମଧ୍ୟ ସେମାନଙ୍କର ପରମାଣୁ ଶକ୍ତିର ଦ୍ବିତୀୟ ତଥା ସୁରକ୍ଷିତ କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ସକ୍ରିୟ ରହିବ।

ପରମାଣୁ କାର୍ଯ୍ୟକ୍ରମ ଉପରେ ନଜର ରଖୁଥିବା ବିଶେଷଜ୍ଞ ହାନ୍ସ କ୍ରିଷ୍ଟେନସେନ କହିଛନ୍ତି ଯେ, ଚୀନର ଏହି ପ୍ରୟାସ ଅତି ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ। ଆମେରିକା ଓ ରୁଷ ଭଳି ବଡ଼ ପରମାଣୁ ଶକ୍ତି ସମ୍ପନ୍ନ ଦେଶଗୁଡ଼ିକ ମଧ୍ୟ ନିଜର ମିସାଇଲ୍ ସାଇଲୋ ଚାରିପାଖରେ ଏଭଳି ବ୍ୟାପକ ସୁରକ୍ଷା ବଳୟ ବା ଭିତ୍ତିଭୂମି ନିର୍ମାଣ କରନ୍ତି ନାହିଁ।

ଆମେରିକାର ପ୍ରତିକ୍ରିୟା

ସିଙ୍ଗାପୁରରେ ଆୟୋଜିତ ଏକ ପ୍ରତିରକ୍ଷା ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଚୀନର ଏହି ସାମରିକ ବିସ୍ତାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ହେଗସେଥ୍ କହିଛନ୍ତି ଯେ, ଚୀନର ଏହି ଐତିହାସିକ ସାମରିକ ଅଭିବୃଦ୍ଧି କାରଣରୁ ଇଣ୍ଡୋ-ପାସିଫିକ୍ (ଭାରତ-ପ୍ରଶାନ୍ତ ମହାସାଗରୀୟ) କ୍ଷେତ୍ରର ଅନେକ ଦେଶ ମଧ୍ୟରେ ଭୟ ଓ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି। ଏହା ସତ୍ତ୍ୱେ ସେ ସ୍ପଷ୍ଟ କରିଛନ୍ତି ଯେ, ଆମେରିକା ଚୀନ ସହ କୌଣସି ଅଯଥା ବିବାଦ କିମ୍ବା ଉତ୍ତେଜନା ଚାହେଁ ନାହିଁ ।

ଚୀନର ପରମାଣୁ ନୀତି

ଚୀନ ସର୍ବଦା ଦାବି କରିଆସିଛି ଯେ ତା’ର ପରମାଣୁ ନୀତି କେବଳ ଆତ୍ମରକ୍ଷା ଏବଂ ପ୍ରତିରୋଧ ପାଇଁ ଉଦ୍ଦିଷ୍ଟ। ଚୀନର "ନୋ ଫାଷ୍ଟ ୟୁଜ୍" (No First Use) ନୀତି ରହିଛି, ଅର୍ଥାତ ଚୀନ ନିଜ ଆଡ଼ୁ ପ୍ରଥମେ କାହା ଉପରେ ପରମାଣୁ ଆକ୍ରମଣ କରିବ ନାହିଁ। କିନ୍ତୁ ବିଶେଷଜ୍ଞଙ୍କ ମତରେ, ତାଇୱାନ ସହିତ ଭବିଷ୍ୟତରେ କୌଣସି ଯୁଦ୍ଧ ହେଲେ ବାହାର ଦେଶଗୁଡ଼ିକୁ ଦୂରେଇ ରଖିବା ପାଇଁ ଚୀନ ଏହି ପରମାଣୁ ଶକ୍ତିର ଭୟ ଦେଖାଇପାରେ। ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି ଯେ, ତାଇୱାନ ପ୍ରସଙ୍ଗରେ ଭୁଲ ନିଷ୍ପତ୍ତି ଉଭୟ ଦେଶକୁ ଏକ ବିପଜ୍ଜନକ ସ୍ଥିତିକୁ ଠେଲି ଦେଇପାରେ। ସେପଟେ ଏହି ସାଟେଲାଇଟ୍ ଚିତ୍ର ସମ୍ପର୍କରେ ଚୀନର ପ୍ରତିରକ୍ଷା ମନ୍ତ୍ରଣାଳୟ କିମ୍ବା ଆମେରିକାର ପେଣ୍ଟାଗନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।