ମୁମ୍ୱାଇ: ଆଉ ଦିନକର ଅପେକ୍ଷା । ମୈଦାନରେ ଦେଖିବାକୁ ରଙ୍ଗ ବେରଙ୍ଗର ଜର୍ସି । ଏ ବର୍ଷର ଫଟାଫଟ୍ କ୍ରିକେଟ ପୂର୍ବରୁ ଜୋରଦାର ପ୍ରସ୍ତୁତିରେ ଲାଗି ପଡିଛି ଚେନ୍ନାଇ ସୁପର କିଙ୍ଗ୍ସ । ୫ ଥରରେ ଚାମ୍ପିଅନ ପୁଣିଥରେ ଟ୍ରଫି ହାତେଇବାକୁ ଲାଗିଛି । ଗତ ଥର ଦଳ ସେତେଟା ଭଲ ପ୍ରଦର୍ଶନ କରିନିଥିଲେ । ବହୁତ ଗୁଡିଏ ସମାଲୋଚନାର ଶିକାର ହୋଇଥିଲା ଟିମ୍ । ଏମିତିକି ପରିଚାଳନା ନେଇ ଉଠିଥିଲା ପ୍ରଶ୍ନ । କେହି କେହି କହିଥିଲେ କି, ବୋଧ୍ ହୁଏ ଟିମ୍ ସିଲେକ୍ସନରେ ରହିଥିଲା ତ୍ରୁଟି । ଏବେ କିନ୍ତୁ ସେହି ଭୁଲର ପୁନରାବୃତ୍ତି ନହେଉ ସେଇ ଲକ୍ଷ୍ୟରେ ଟିମ୍ । ଦଳରେ ପୁରା ଆମୂଳ ଚୂଳ ପରିବର୍ତ୍ତନ କରାଯାଇଛି । ଏମିତିକି ଫୋକସରେ ଟପ୍ ବ୍ୟାଟିଂ ଅର୍ଡର ।

କ'ଣ କହିଲେ କ୍ୟାପଟେନ୍?

ମୁମ୍ୱାଇରେ ହୋଇଥିବା କ୍ୟାପଟେନ୍ସ ମିଟ୍‌ରେ କିଛି ଖୁଲାସା କରିଛନ୍ତି ଅଧିନାୟକ ଋତୁରାଜ ଗାୟକ୍ୱାଡ୍ । ଗାୟକ୍ୱାଡ ଖୋଲାଖୋଲି କହିଛନ୍ତି ସେ ସାମସନଙ୍କ ସହ ମ୍ୟାଚ୍ ଓପନିଂ କରିବେ । କିନ୍ତୁ ସଞ୍ଜୁ ପ୍ରଥମେ ଆରମ୍ଭ କରିବେ ଇନିଂସ । ଏହାର ଅର୍ଥ ଗତ ସିଜନରେ ଅନେକ ପରୀକ୍ଷଣ ପରେ, CSK ଏବେ ଅଭିଜ୍ଞତା ଉପରେ ନିର୍ଭର କରୁଛି । ଗତ ସିଜନରେ, ଟପ୍ ଅର୍ଡର CSK ପାଇଁ ଏକ ପ୍ରମୁଖ ସମସ୍ୟା ଥିଲା ।

​​​​​​​

ଗାୟକୱାଡଙ୍କୁ ଦୀର୍ଘ ସମୟ ଧରି ୩ ନମ୍ବରରେ ବ୍ୟାଟିଂ କରିବାକୁ ପଡିଥିଲା । ଯେତେବେଳେ ରଚିନ ରବିନ୍ଦ୍ର, ଡେଭନ କନୱେ ଓ ରାହୁଲ ତ୍ରିପାଠିଙ୍କ ଭଳି ଖେଳାଳିଙ୍କୁ ଓପନିଂ ପୋଜିସନରେ ଛଡାଯାଇଥିଲା । କିନ୍ତୁ କୌଣସି ଯୋଡି ଦଳକୁ ଦେଇପାରିନଥିଲେ ସଫଳତା । ସିଜନ ମଧ୍ୟଭାଗରେ ଗାୟକୱାଡ ଆହତ ହେତୁ ହେବା ପରେ, ଯୁବ ତାରକା ଆୟୁଷ ମାହାତ୍ରେ ଓ ଡେୱାଲ୍ଡ ବ୍ରେଭିସ୍‌ଙ୍କୁ ସୁଯୋଗ ମିଳିଥିଲା। ମାହାତ୍ରେ ସାତ ଇନିଂସରେ ୨୪୦ ରନ (ହାରାହାରି ୩୪.୨୮, ଷ୍ଟ୍ରାଇକ୍ ରେଟ୍ ୧୮୮.୭) କରିଥିଲେ ।

ଖାସ୍ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଏକ ଚମତ୍କାର ୯୪ରନ ଅନ୍ତର୍ଭୁକ୍ତ ଥିଲା । ଏହି ସମୟରେ ବ୍ରେଭିସ୍ ଫିନିସର ଭାବରେ ନିଜର ଦମ୍ ଦେଖାଇଥିଲେ । ଛଅ ଇନିଂସରେ କରିଥିଲେ ୨୨୫ ରନ୍ । ଏହା ସତ୍ତ୍ୱେ, ଦଳ ପରିଚାଳନା ଅଭିଜ୍ଞତାକୁ ପ୍ରାଥମିକତା ଦେଇଛି । ରବିନ୍ଦ୍ର ଜାଡେଜା ଓ ସାମ କରନଙ୍କ ବଦଳରେ ସଞ୍ଜୁ ସାମସନଙ୍କୁ ରାଜସ୍ଥାନ ରୟାଲ୍ସରୁ CSKକୁ ବଦଳ କରାଯାଇଥିଲା ।

କେଉଁ ଅର୍ଡରରେ ଖେଳିବେ ଧୋନୀ

ଏହି ସମୟରେ, ଦଳର ସବୁଠାରୁ ବଡ଼ ନାମ MS ଧୋନିଙ୍କ ବ୍ୟାଟିଂ ପୋଜିସନ ଅନିଶ୍ଚିତତା ରହିଛି । ଏହି ପ୍ରଶ୍ନର ଉତ୍ତରରେ ଗାୟକୱାଡ କହିଛନ୍ତି ଯେ ପ୍ରଶଂସକମାନଙ୍କୁ ପ୍ରଥମ ମ୍ୟାଚ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। CSK ମାର୍ଚ୍ଚ ୩୦ରେ ଗୌହାଟିର ବାରସାପାରା ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଏହାର IPL 2026 ଅଭିଯାନ ଆରମ୍ଭ କରିବ । ଏହା ପରେ ଦଳ ଏପ୍ରିଲ ୩ ରେ ଚେନ୍ନାଇରେ ପଞ୍ଜାବ କିଙ୍ଗସ ବିପକ୍ଷରେ ଓ ଏପ୍ରିଲ ୧୧ରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏହାର ଘରୋଇ ମ୍ୟାଚ୍ ଖେଳିବ।