ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷିଆ ଅଭୂତପୂର୍ବ ଆକାଶୀୟ ଆକ୍ରମଣ କରିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲେନସ୍କିଙ୍କ ଅନୁସାରେ ଏହି ଆକ୍ରମଣରେ ୧୬ଟି କ୍ଷେତ୍ରକୁ ଲକ୍ଷ୍ୟ କରି ପାଖାପାଖି ୧୯୦୦ ଡ୍ରୋନ, ୧୬୦୦ ବୋମା ଓ ୧୪୪ ପ୍ରକାରର ମିଜାଇଲ ମାଡ଼ କରାଯାଇଛି, ଯେଉଁଥିରେ ବାଲିଷ୍ଟିକ୍ ମିଜାଇଲ ମଧ୍ୟ ଥିଲା। ଋଷିଆର ଏପରି ଆକ୍ରମଣ ଯୋଗୁ ୟୁକ୍ରେନର ୧୫୦୦ଟି ସ୍ଥାନ କ୍ଷତିଗ୍ରସ୍ତ ହୋଇଛି, ଏଥିରେ ଅନେକ ଆବାସୀୟ ଭବନ ମଧ୍ୟ ଟାର୍ଗେଟ୍ ହୋଇଛି।

ଋଷିଆର ଏହି ଆକ୍ରମଣରେ ୟୁକ୍ରେନୀୟ ସହର ସୁମି, ବ୍ରୋଭରୀ, ଖାରକିଭ, ଓଡେସା, ଜାପୋରିଜ୍ୟା, ଦ୍ନିପ୍ରୋ ଓ ଲଭିବ ଆଦି ସହର ଗୁରୁତ୍ତର ପ୍ରଭାବିତ ହୋଇଛି। ଲଭିବରୁ ମିଳୁଥିବା ଏକ ଭିଡିଓରେ ଆବାସିକ ଆପାର୍ଟମେଣ୍ଟ ଧ୍ୱଂସସ୍ତୁପରେ ପରିଣତ ହେଉଥିବା ଦେଖା ଯାଉଛି। ଜରୁରିକାଳୀନ ସେବା ସାରା ରାତି ନିଆଁ ଲିଭାଇବା ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ। ବ୍ରୋଭରୀରେ ହୋଇଥିବା ଡ୍ରୋନ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ସେହିପରି ଖାରକିଭ ଗତ କିଛି ସପ୍ତାହ ହେଲା ଲଗାତାର ଆକ୍ରମଣର ସମ୍ମୁଖୀନ ହେଉଛି।

ଓଡେସା, ଜାପୋରିଜ୍ୟା ଓ ଦ୍ନିପ୍ରୋରେ ରାତି ତମାମ ବିସ୍ଫୋରଣ ହେଉଥିଲା। ସୁମିରେ ବୋମା ବର୍ଷା କାରଣରୁ ଶହ ଶହ ଘର ଧ୍ୱଂସସ୍ତୁପରେ ପରିଣତ ହୋଇଛି। ଫଳରେ ହଜାର ହଜାର ପରିବାର ବାସହରାଇଥିବା ବେଳେ ଅସୁରକ୍ଷିତ ସ୍ଥାନରେ ରହିବାକୁ ବାଧ୍ୟ ହୋଇଛନ୍ତି। ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ଅଧିକାଂଶ ଡ୍ରୋନକୁ ଅଟକାଇବାକୁ ସକ୍ଷମ। ହେଲେ ବାଲିଷ୍ଟିକ୍ ମିଜାଇଲକୁ ରୋକା ଯାଇ ପାରୁନି। ଏଣୁ ଜନବସତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ବହୁ ସଂଖ୍ୟାରେ ମିଜାଇଲ ଓ ଡ୍ରୋନ ଆକ୍ରମଣ କରି ୟୁକ୍ରେନର ଏୟାରଡିଫେନ୍ସକୁ ଓଭରଲୋଡ କରିବା ଋଷିଆର ଉଦ୍ଦେଶ୍ୟ। ଏହି ଆକ୍ରମଣରେ ବିଦ୍ୟୁତ, ପାଣି ଓ ସଞ୍ଚାର ସେବା ପ୍ରଭାବିତ ହୋଇଛି। ଏଣୁ ଉପୁଜିଥିବା ପରିସ୍ଥିତିରେ ୟୁକ୍ରେନ ପାଶ୍ଚାତ୍ୟ ଦେଶମାନଙ୍କୁ ଏୟାର ଡିଫେନ୍ସ ସିଷ୍ଟମ ଓ ଆଣ୍ଟି ବାଲିଷ୍ଟିକ୍ ମିଜାଇଲ ସହାୟତା ନିମନ୍ତେ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଏହି ସବୁ ଅସ୍ତ୍ରଶସ୍ତ୍ର ଗୋଦାମରେ ପଡି ଧୂଳି ହେବାକୁ ନୁହେଁ ଲୋକଙ୍କ ଜୀବନ ବଞ୍ଚାଇବାରେ ଉପଯୋଗ ହେବ।