ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍ ଯୁଦ୍ଧ ଭୟଙ୍କର ମୋଡ଼ ନେଇଛି। ୟୁକ୍ରେନର ରାଜଧାନୀ କିଭ୍ ଉପରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ ରୁଷ ଚେତାବନୀ ଦେଇଛି। ସେଠାରେ ରହୁଥିବା ବିଦେଶୀ କୂଟନୀତିଜ୍ଞ ଏବଂ ଅନ୍ୟ ଦେଶର ନାଗରିକମାନଙ୍କୁ ତୁରନ୍ତ କିଭ୍ ସହର ଛାଡ଼ି ଚାଲିଯିବାକୁ ଋଷ ବୈଦେଶିକ ମନ୍ତ୍ରଣାଳୟ ଶନିବାର କଡ଼ା ନିର୍ଦ୍ଦେଶ ଜାରି କରିଛି। ରୁଷ କହିଛି, ସତର୍କ କରାଯିବା ସତ୍ତ୍ୱେ ଅନେକ ଲୋକ ନିଜ ଜୀବନକୁ ବିପଦରେ ପକାଉଛନ୍ତି।

ଆଗାମୀ ଦିନରେ ରୁଷ ସେନା ପକ୍ଷରୁ ଭୟଙ୍କର ପ୍ରତିଶୋଧମୂଳକ ଆକ୍ରମଣ ଜାରି ରହିବ ଏବଂ ଏହି ନିର୍ଦ୍ଦେଶକୁ ଅମାନ୍ୟ କଲେ ହେବାକୁ ଥିବା ଯେକୌଣସି ଆଘାତ କିମ୍ବା କ୍ଷତି ପାଇଁ ସେମାନେ ନିଜେ ଦାୟୀ ରହିବେ ବୋଲି ମସ୍କୋ ସ୍ପଷ୍ଟ କରିଛି। ଗତ କିଛି ଦିନ ହେବ ରୁଷ କିଭର ମୁଖ୍ୟ ଭିତ୍ତିଭୂମି, ବିଦ୍ୟୁତ୍ କେନ୍ଦ୍ର ଏବଂ ପୋଲଗୁଡ଼ିକୁ ଟାର୍ଗେଟ କରୁଛି । କିଭ୍ ମେୟର ଭିତାଲି କ୍ଲିଚକୋ କହିଛନ୍ତି ଯେ, ରୁଷର ପ୍ରଚଣ୍ଡ ଆକ୍ରମଣ ସହରକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଛି।

ବିଭିନ୍ନ ସେତୁ ଏବଂ ଶକ୍ତି ପ୍ରକଳ୍ପ ନଷ୍ଟ ହେବା ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସହରର ପ୍ରାୟ ୩୦ ଲକ୍ଷ ବାସିନ୍ଦା ସାଇରନ୍ ଶବ୍ଦ ଶୁଣି ବଙ୍କର ଏବଂ ସୁରକ୍ଷିତ ଆଶ୍ରୟସ୍ଥଳୀରେ ଶରଣ ନେବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବଡ଼ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଆକ୍ରମଣ କରାଉଛନ୍ତି ।

ଫେବୃଆରୀ ୨୦୨୨ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଦ୍ବିତୀୟ ବିଶ୍ୱଯୁଦ୍ଧ ପରଠାରୁ ୟୁରୋପରେ ସବୁଠାରୁ ଭୟଙ୍କର ରୂପ ନେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ସତ୍ତ୍ୱେ ଯୁଦ୍ଧବିରାମ ସମ୍ଭବ ହୋଇପାରିନାହିଁ। ଏହି ସମୟରେ, ଡିସେମ୍ବର ୨୦୨୬ରେ ହେବାକୁ ଥିବା ୨୧ତମ ଜି-୨୦ (G20) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆମେରିକା ପକ୍ଷରୁ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ନିମନ୍ତ୍ରଣ କରାଯାଇଛି। ଯଦି ପୁଟିନ ସମ୍ମିଳନୀୟରେ ଯୋଗ ଦିଅନ୍ତି, ତେବେ ହେବାକୁ ଥିବା ଆଲୋଚନା ମାଧ୍ୟମରେ ଯୁଦ୍ଧ ବନ୍ଦ ନେଇ ବାଟ ଖୋଲିପାରେ ।